Latest Odisha News

BREAKING NEWS

ଜାତିବାଚକ ବିଶେଷ୍ୟ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ

ଯେଉଁପଦ କୌଣସି ନିର୍ଦ୍ଦିଷ୍ଟ ନାମ ବା ସଂଜ୍ଞା ପ୍ରକାଶ ନ କରି ଗୋଟିଏ ଗୋଷ୍ଠୀ, ଦଳ, ଶ୍ରେଣୀ, ଜାତି ବା ବିଭାଗକୁ ବୁଝାଇଥାଏ ତାହା ଜାତିବାଚକ ବିଶେଷ୍ୟ । ଆମେ ମଣିଷ କହିଲେ ମଣିଷ ଜାତିକୁ ଯେମିତି ବୁଝୁ ସେମିତି ଦେଶ, ପାହାଡ଼, ପଶୁ, ପକ୍ଷୀ, ଫୁଲ, ଫଳ, ପରିବା, ସହର, ବହି, ଭାଷା ଇତ୍ୟାଦିକୁ ଆମେ ସମୂହ ବା ଶ୍ରେଣୀ ଭାବେ ନେଇଥାଉ । ଏସବୁ ଜାତିବାଚକ ବିଶେଷ୍ୟର ଉଦାହରଣ । ଜାତିବାଚକ ଓ ବ୍ୟକ୍ତିବାଚକ ମଧ୍ୟରେ ପାର୍ଥକ୍ୟ ବୁଝିବାପାଇଁ ଆଉ କେତୋଟି ଉଦାହରଣ ବୁଝାଇ କହିବା- ଜାତିବାଚକ ବିଶେଷ୍ୟ
ବ୍ୟକ୍ତିବାଚକ ବିଶେଷ୍ୟ

ଦେଶ ଭାରତ
ପାହାଡ଼ ହିମାଳୟ
ପଶୁ ବାଘ
ପକ୍ଷୀ ମୟୂର
ଫୁଲ ପଦ୍ମ
ଫଳ କମଳା
ପରିବା ଆଳୁ
ସହର ସମ୍ବଲପୁର
ବହି ନୀଳଶୈଳ
ଭାଷା ଓଡ଼ିଆ
କେତୋଟି ବାକ୍ୟରୁ ମଧ୍ୟ ଆମେ ଉଭୟ ମଧ୍ୟରେ ଥିବା ସମ୍ପର୍କ ଓ ପ୍ରଭେଦକୁ ବୁଝିପାରିବା ।

କ) ଭାରତ ଗୋଟିଏ ବହୁଭାଷୀ ଦେଶ ।
ଖ) ପଦ୍ମ ଆମର ଜାତୀୟ ଫୁଲ ।
ଗ) ଓଡ଼ିଆ ଭାରତର ଷଷ୍ଠ ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତ ଭାଷା ।
ଘ) ସମ୍ବଲପୁର ଓଡ଼ିଶାର ସୁନ୍ଦର ସହର ।
ଙ) ଏଭରେଷ୍ଟ ପୃଥିବୀର ଉଚ୍ଚତମ ପର୍ବତ ।

 ବସ୍ତୁବାଚକ ବିଶେଷ୍ୟ : ବସ୍ତୁର ନାମ ପ୍ରକାଶ କରୁଥିବା ବିଶେଷ୍ୟ ପଦକୁ ବସ୍ତୁବାଚକ ବିଶେଷ୍ୟ କୁହାଯାଏ । ଯେମିତିକି- କାଠ, ପଥର, ସୁନା, ରୁପା, ଲୁହା, କାଗଜ, ଚିନି, ଗୁଡ଼, ପେଟ୍ରୋଲ ଇତ୍ୟାଦି । ବସ୍ତୁ ବା ସାମଗ୍ରୀ ସୂଚକ ଏହିସବୁ ବିଶେଷ୍ୟ ପଦକୁ ବସ୍ତୁବାଚକ ବିଶେଷ୍ୟ କୁହାଯାଇଥାଏ । କେତୋଟି ବାକ୍ୟରୁ ଆମେ ବସ୍ତୁବାଚକ ବିଶେଷ୍ୟକୁ ଆଉ ଟିକେ ଭଲରେ ବୁଝିପାରିବା –

କ) ଆଗକାଳରେ କାଠ କଲମ ବ୍ୟବହାର ହେଉଥିଲା ।
ଖ) ପେଟ୍ରୋଲ ଦର ଦିନକୁ ଦିନ ବଢ଼ିଚାଲିଛି ।
ଗ) ଆଖୁରୁ ଚିନି ତିଆରି ହୁଏ ।
ଘ) ପର୍ବପର୍ବାଣିରେ ସୁନା ଦୋକାନରେ ଭିଡ଼ ଜମେ ।
ଘ) ଗୁଡ଼ ଦେହପାଇଁ ସ୍ୱାସ୍ଥ୍ୟକର ।

ଗୁଣବାଚକ ବିଶେଷ୍ୟ: କୌଣସି ନିର୍ଦ୍ଦିଷ୍ଟ ଗୁଣର ନାମ ବା ଅବସ୍ଥାକୁ ବୁଝାଉଥିବା ବିଶେଷ୍ୟ ପଦକୁ ଗୁଣବାଚକ ବିଶେଷ କୁହାଯାଏ । ଯେମିତିକି- ସରଳତା ଶୈଶବ ମମତା । କୈଶୋର ।

ଗୁଣବାଚକ ବିଶେଷ୍ୟର ଆଉ କେତୋଟି ଉଦାହରଣ- ଉଦାରତା, ସହିଷ୍ଣୁତା ଧୈର୍ଯ୍ୟ, ସ୍ନେହ, ଶ୍ରଦ୍ଧା, ସତ୍ୟ, ଦୟା, କ୍ଷମା, ଭକ୍ତି, ସାହସ, କ୍ରୋଧ, ପାଣ୍ଡିତ୍ୟ, ସେବା ଇତ୍ୟାଦି । ଆମେ କେତୋଟି ବାକ୍ୟରେ ବି ଗୁଣବାଚକ ବିଶେଷ୍ୟକୁ ବୁଝିପାରିବା –

କ) ଧୈର୍ଯ୍ୟର ଫଳ ସବୁବେଳେ ମିଠା ।
ଖ) ତାଙ୍କ ଭକ୍ତିର ତୁଳନା ନାହିଁ ।
ଗ) ସେ ନିଜର ସାଧୁତା ଓ ସରଳତା ପାଇଁ ସମ୍ବର୍ଦ୍ଧିତ ହେଲେ ।
ଘ) ମଦର ଟେରେସାଙ୍କୁ ସେବା ଓ ମମତାର ପ୍ରତିମୂର୍ତ୍ତି କୁହାଯାଏ ।
ଙ) କ୍ଷମାଠାରୁ ବଳି ବଡ଼ ଗୁଣ ନାହିଁ ।

ଧୈର୍ଯ୍ୟ, ଭକ୍ତି, ସାଧୁତା, ସରଳତା, ସେବା, ମମତା, ଓ କ୍ଷମତା ଇତ୍ୟାଦି ରେଖାଙ୍କିତ ଶବ୍ଦଗୁଡ଼ିକ ଗୁଣବାଚକ ବିଶେଷ୍ୟର ଦୃଷ୍ଟାନ୍ତ । ଏଥିରୁ ଆମେ ବୁଝିବା ଯେ, ନିର୍ଦ୍ଦିଷ୍ଟ ଗୁଣ ବା ଅବସ୍ଥା ସୂଚାଉଥିବା ବିଶେଷ୍ୟ ପଦସବୁ ଗୁଣବାଚକ ବିଶେଷ୍ୟ ପଦବାଚ୍ୟ ।

ଓଡ଼ିଆ ଶବ୍ଦ ରୂପତାତ୍ତ୍ୱିକ ଓ ବାକ୍ୟତାତ୍ତ୍ୱିକ ଆଧାରରେ ଏମିତି ବିଭକ୍ତ କରାଯାଇପାରେ-

କ) ବିଶେଷ୍ୟ, ସର୍ବନାମ, ବିଶେଷଣ,
ଖ) କ୍ରିୟା
ଗ) କ୍ରିୟାବିଶେଷଣ ଓ ଅବ୍ୟୟ

ବାକ୍ୟର ଦୁଇ ପ୍ରଧାନ ଭାଗ କର୍ତ୍ତାଭାଗ ଓ କ୍ରିୟାଭାଗ ମଧ୍ୟରେ ବିଶେଷ୍ୟ, ବିଶେଷଣ, ଓ ସର୍ବନାମ କର୍ତ୍ତା ଭାଗର ଅନ୍ତର୍ଭୁକ୍ତ ଏବଂ ବିଶେଷ୍ୟପଦର ଅଂଶବିଶେଷ । ବିଶେଷ୍ୟପଦର ଅଂଶବିଶେଷ ଭାବରେ ଏଗୁଡ଼ିକ ସହିତ ବଚନ, ଲିଙ୍ଗ ଓ କାରକ ଯୁକ୍ତ ହୋଇଥାନ୍ତି । ଓଡ଼ିଆରେ ବଚନ ଦୁଇପ୍ରକାରର – ଏକବଚନ ଓ ବହୁବଚନ । ବିଶେଷ୍ୟ ପଦ ସହ ଏକବଚନ ଓ ବହୁବଚନ ପ୍ରତ୍ୟୟଗୁଡ଼ିକ ଯୁକ୍ତ ହୋଇଥାନ୍ତି । ପ୍ରୟୋଗ ଅନୁସାରେ ଓଡ଼ିଆ ବିଶେଷ୍ୟ ଶବ୍ଦ ଶ୍ରେଣୀକୁ ନାମବାଚକ ଓ ସାଧାରଣ ବାଚକ କୁହାଯାଏ । ଦୁଇରୁ ଅଧିକ ମୁକ୍ତରୂପ ତଥା ଅର୍ଥପୂର୍ଣ୍ଣ ଶବ୍ଦ ଯୋଗ କରାଯାଇ ଯୌଗିକ ବିଶେଷ୍ୟ ହୋଇଥାଏ । ଯୌଗିକ ବିଶେଷ୍ୟଗୁଡ଼ିକ ବାକ୍ୟଗଠନ ଆଧାରରେ ବିଶେଷ୍ୟ ପଦର ଅନ୍ତର୍ଭୁକ୍ତ ।

ଉଦାହରଣ- ଖରା+ଦିନ+ତାତି= ଖରାଦିନ ତାତି, ବର୍ଷା+ଦିନିଆ+ସକାଳ= ବର୍ଷାଦିନିଆ ସକାଳ ।

ବିଭିନ୍ନ କ୍ରିୟା, ବିଶେଷଣ ଓ ଅନ୍ୟ ବିଶେଷ୍ୟ ସହିତ ପ୍ରତ୍ୟୟ ଯୋଡ଼ି ନୂଆ ବିଶେଷ ଗଢ଼ାଯାଇପାରେ । ବିଶେଷ୍ୟ ସହିତ ବିଶେଷ୍ୟ ଯୋଗକରି ଯୁଗ୍ମ ବିଶେଷ୍ୟ ଓ ଯୌଗିକ ବିଶେଷ୍ୟ ଗଠନ ହୋଇଥାଏ । ଯୁଗ୍ମ ଓ ଯୌଗିକ ବିଶେଷ୍ୟଗୁଡ଼ିକ ବାକ୍ୟଗଠନ ଆଧାରରେ ବିଶେଷ୍ୟପଦର ଅଂଶବିଶେଷ । ଯୁଗ୍ମ ଓ ଯୌଗିକ ବିଶେଷ୍ୟ ଗୁଡ଼ିକରେ ବିଶେଷ୍ୟ, ବିଶେଷଣ ଓ କ୍ରିୟା ଶବ୍ଦଗୁଡ଼ିକ ଅଂଶଗ୍ରହଣ କରିଥାନ୍ତି । ଓଡ଼ିଆ ଯୁଗ୍ମ ଓ
ଯୌଗିକ ବିଶେଷ୍ୟ ସହ ବଚନ, କାରକ ଓ ବିଭକ୍ତି ପ୍ରତ୍ୟୟ ଯୁକ୍ତ ହେଇପାରେ ।

ଓଡ଼ିଆରେ ବ୍ୟବହାର ହେଉଥିବା ବିଶେଷ୍ୟ ଶବ୍ଦ ଶ୍ରେଣୀକୁ ଅ, ଆ, ଇ, ଉ ସ୍ୱରାନ୍ତ ଭାବେ ଶ୍ରେଣୀ ବିଭାଗ କରାଯାଏ । ଉଦାହରଣ- ଅ ସ୍ୱରାନ୍ତ-କନକ, କିଶୋର (ନାମ), ବଗ, ମାଛ (ପଶୁପକ୍ଷୀକୀଟ), ଗଛ, ଘର (ଅପ୍ରାଣୀବାଚକ) ଇତ୍ୟାଦି ।

ସେହିଭଳି ଆ ସ୍ୱରାନ୍ତ , ଇ ସ୍ୱରାନ୍ତ ଓ ଉ ସ୍ୱରାନ୍ତରେ ଆମେ ବିଭିନ୍ନ ନାମ, ବିଭିନ୍ନ ପ୍ରାଣୀ (ମନୁଷ୍ୟ, ପଶୁପକ୍ଷୀ, କୀଟପତଙ୍ଗ ପ୍ରଭୃତି) ଓ ଅପ୍ରାଣୀବାଚକ ଶବ୍ଦ, ବିଭିନ୍ନ ସମ୍ପର୍କ ସମ୍ପର୍କିତ ଶବ୍ଦ, ଗୁଣ, ଅନୁଭବ ବର୍ଣ୍ଣିତ ଶବ୍ଦଗୁଡ଼ିକୁ ଦେଖିଥାଉ ।

କ୍ରମଶଃ

Leave A Reply

Your email address will not be published.