Latest Odisha News

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୫୯)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର

ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ

ରୋହାନ୍ ଭାବି ହେଉଥିବା ବେଳେ ବୀରା ବାଷ୍ପରୁଦ୍ଧ କଣ୍ଠରେ କହିଲା, “ପାପା ଓ ମାମା, ସମୀରା ଦି’ ବିଷୟରେ ପଚାରିଲେ ମୁଁ କ’ଣ କହିବି?” ରୋହାନ୍ ଆଉ ସିଡ଼୍‌କୁ ନୁହେଁ, ବୀରା ଯେମିତି ନିଜକୁ ନିଜେ ହିଁ କହୁଥିଲା ।

“ଆରେ ଶୁଣ, ଏମିତି ବ୍ୟସ୍ତ ହୁଅନି । ତମକୁ କିଛି କହିବାକୁ ପଡ଼ିବନି । ମତେ ଲାଗୁଛି, ତମ କହିବା ପୂର୍ବରୁ ହିଁ, ସେ ସବୁକିଛି ବୁଝିପାରିବେ । “ରୋହାନ୍ ଖୁବ୍ ଧୀର ଗଳାରେ କହିଲା । ବୀରା ସେମିତି ହତାଶ ହୋଇ କହିଲା, “ମାମା ପୁରାପୁରି ଭାଙ୍ଗି ପଡ଼ିବେ ।”

“ହଁ ଏକଥା ଠିକ୍ ଯେ, ତମେ କିନ୍ତୁ ଆଚାି ଓ ଅଂକଲଙ୍କ ସାମ୍ନାରେ ଯେମିତି ଭାଙ୍ଗି ନପଡ଼ । ଠିକ୍ ଅଛି! ତାଙ୍କ ପାଇଁ ତମକୁ ହିଁ ଦୃଢ଼ମନା ପରି ରହିବାକୁ ହେବ । ସେ ମା’ ବାପା, ଯିଏ ତାଙ୍କ ଅଳିଅଳୀ ବଡ଼ ଝିଅକୁ ହରେଇ ବସିଛନ୍ତି, ସିଏ ଯିଏ ତାଙ୍କ ନୟନ ପିତୁଳା ଥିଲା, ତାଙ୍କ ପରିବାରର ରତ୍ନ ଥିଲା – ସେ ମା’ବାପାଙ୍କ ପାଇଁ ତମକୁ ହିଁ ଦୃଢ଼ ରହିବାକୁ ପଡ଼ିବ ।

ଯଦିଓ ଭିତରେ ଭିତରେ ତୁମେ ବି ଧୈର୍ଯ୍ୟହରା ହେଉଯାଉଥିବ, ଭାଙ୍ଗିପଡ଼ୁଥିବ, ତଥାପି ସେମାନଙ୍କ ପାଇଁ ତମେ ଜମା ବି କାନ୍ଦିବ ନାହିଁ । ତୁମ ମାମାଙ୍କ ପାଇଁ, ତୁମ ପାପାଙ୍କ ଆଉ ଆଉ, ସବୁଠୁ ଗୁରୁତ୍ୱପୂର୍ଣ୍ଣ – ସମୀରା ପାଇଁ । ସମୀରା ଖୁବ୍ ଭାଙ୍ଗି ପଡ଼ିବ ଯଦି ସେ ତୁମ ସମସ୍ତଙ୍କୁ ଏମିତି ଦୁଃଖରେ ଭାଙ୍ଗି ଯାଉଥିବାର ଦେଖେ ।” ରୋହାନ୍ କହିଲା ।

ତା’ର ଛାତି ରୁନ୍ଧି ହୋଇଯାଉଥିଲା, ଆଖିରେ ଜମିଆସିଥିବା ଲୁହକୁ ସେ ବହିଯିବାକୁ ଛାଡ଼ିଦେଲା । ସେ ଲୁହ
ବୁନ୍ଦାସବୁ ଜଣାଇଦେଉଥିଲା ଯେ ସେ ବୀରାର ବର୍ଚାମାନ ଅବସ୍ଥାକୁ ନେଇ ଖୁବ୍ କଷ୍ଟ ଅନୁଭବ କରୁଛି । ସିଡ଼୍ ଆଖିରୁ ମଧ୍ୟ ଲୁହର ଧାର ଛୁଟୁଥାଏ । ସେ ଉଭୟଙ୍କୁ ଏମିତି ଲୁହ ଗଡ଼ଉଥିବାର ଅବସ୍ଥାରେ ଚାହିଁ ନପାରି ଅଲଗା ଆଡ଼କୁ ମୁହଁ ବୁଲାଇନେଲା । ଦେଖିଲା କୁନିପୁଅଟିଏ ତା’ ମା’କୁ ଧରି କାନ୍ଦିକାନ୍ଦି ପଚାରୁଛି, “ମାମା, ଡାଡ଼ି କ’ଣ ଆସିବେନି?” ପାଣିଚିଆ ଦୁଃଖଭରା ହସଟିଏ ହସି ପୁଅର ମଥାକୁ ଚୁମାଟିଏ ଦେଇ ମା’ କହୁଥାଏ, “ସବୁଠିକ୍ ହେଇଯିବ ବାବା, ପ୍ରଭୁ ଯୀଶୁ ଆମ ସହିତ ଅଛନ୍ତି ।”

କ୍ରମଶଃ

Leave A Reply

Your email address will not be published.