Latest Odisha News

BREAKING NEWS

ମହାଶିବରାତ୍ରୀ: ରାଜ୍ୟର ପ୍ରମୁଖ ଶୈବପୀଠରେ କେଉଁ ସମୟରେ ଉଠିବ ମହାଦୀପ, ଜାଣନ୍ତୁ

ଭୁବନେଶ୍ୱର: ଆଜି ପବିତ୍ର ମହାଶିବରାତ୍ରୀ ଅବସରରେ ରାଜ୍ୟର ପ୍ରମୁଖ ଶୈବପୀଠଗୁଡ଼ିକରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେବାରେ ଲାଗିଛି ।

ଭୁବନେଶ୍ୱରସ୍ଥିତ ଏକାମ୍ରକ୍ଷେତ୍ରର ଶ୍ରୀଲିଙ୍ଗରାଜ ମନ୍ଦିରର ୨୦୦ ମିଟର ବ୍ୟାରିକେଡ଼ ମଧ୍ୟରେ ଦର୍ଶନାର୍ଥୀମାନେ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ମନ୍ଦିର ପରିସରରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ୩୦ ପ୍ଲାଟୁନ୍ ପୋଲିସ ମୁତୟନ ହୋଇଛନ୍ତି ।

ପବିତ୍ର ଶିବରାତ୍ରୀ ଉପଲକ୍ଷେ ମନ୍ଦିର ସିଂହଦ୍ୱାର ୨୦ ପ୍ରକାର ସୁବାସିତ ଫୁଲରେ ସଜ୍ଜିତ ହୋଇଛି ।

ଶ୍ରୀଲିଙ୍ଗରାଜ ମନ୍ଦିରରେ ରାତି ୧୦ଟା ସମୟରେ ମହାଦୀପ ଉଠିବ ।

ଶ୍ରୀକ୍ଷେତ୍ର ପୁରୀରେ ଥିବା ପ୍ରସିଦ୍ଧ ଶ୍ରୀଲୋକନାଥଙ୍କ ମନ୍ଦିରରେ ଆଜି ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଦର୍ଶନ କରିଛନ୍ତି । ଏବର୍ଷ ଜଗତ ମଙ୍ଗଳା ଜାଗର କମିଟି ପକ୍ଷରୁ ଏକ ବିଶାଳକାୟ ମହାଦୀପ ନିର୍ମିତ ହୋଇଛି, ଯାହାର ଲମ୍ବ ୬ ଫୁଟ ହୋଇଥିବା ବେଳେ ଉଚ୍ଚତା ୧୨ ଫୁଟ ବିଶିଷ୍ଟ । ଏହି ମହାଦୀପରେ ୪୦୦ ଲିଟର ଘିଅ ଦିଆଯାଇ ମନ୍ଦିର ଉପରକୁ ଉଠାଯିିବ ।

ଏଠାରେ ରାତି ୩ଟା ସମୟରେ ମହାଦୀପ ମନ୍ଦିର ଉପରକୁ ଉଠିବ ।

କଟକରେ ଭକ୍ତମାନେ ଧବଳେଶ୍ୱରପୀଠକୁ ବହୁସଂଖ୍ୟାରେ ଯାଇ ଜାଗର ଉପଲକ୍ଷେ ପବିତ୍ର ଦର୍ଶନ କରିଛନ୍ତି । ମହାନଦୀରେ ଅବସ୍ଥିତ ଏହି ପ୍ରସିଦ୍ଧ ଧବଳେଶ୍ୱର ପୀଠରେ ରାତି ୧ଟାରେ ମହାଦୀପ ଉଠିବ । ସେବାୟତମାନେ ଠାକୁରଙ୍କୁ ଏଠାରେ ମାଣ୍ଡୁଅ ଭୋଗ ଅର୍ପଣ କରିଛନ୍ତି ।

ସେହିପରି ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସରେ ପ୍ରଭୁ ଚନ୍ଦ୍ରଶେଖରଙ୍କୁ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଦର୍ଶନ କରିଛନ୍ତି । କପିଳାଶ ପାହାଡ଼ ଉପରେ ଅବସ୍ଥିତ ଏହି ମନ୍ଦିରରେ ରାତି ୪ଟାରେ ମହାଦୀପ ଉଠିବ ବୋଲି ସୂଚନା ମିଳିଛି ।

ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଆରଡ଼ି ଆଖଣ୍ଡଳମଣିଙ୍କ ମନ୍ଦିରରେ ଆଜି ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ବୈତରଣୀ ନଦୀକୂଳରେ ଅବସ୍ଥିତ ଏହି ମନ୍ଦିରକୁ ଶ୍ରଦ୍ଧାଳୁମାନେ ଚାନ୍ଦବାଲି ପଟରୁ ନଦୀପଥରେ ଏବଂ ଭଦ୍ରକ ପଟରୁ ସଡ଼କ ପଥରେ ଯାତ୍ରା କରିଛନ୍ତି । ବୈତରଣୀ ନଦୀରେ ଶିବରାତ୍ରୀ ଲାଗି ଅଧିକ ସଂଖ୍ୟାରେ ମୋଟର୍ ବୋଟ୍ ବ୍ୟବସ୍ଥା କରାଯାଇଛି । ଏଠାରେ ରାଜ୍ୟ ସରକାରଙ୍କ ଓଡ୍ରାଫ ଟିମ୍ ପକ୍ଷରୁ ଯାତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ଗ୍ରହଣ କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।

ରାତି ୫ଟାରେ ଆରଡ଼ି ଆଖଣ୍ଡଳମଣି ପୀଠରେ ମହାଦୀପ ଉଠିବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.