Latest Odisha News

BREAKING NEWS

ମହାଶିବରାତ୍ରୀ: କାହିଁକି ଶିବଙ୍କୁ ଅର୍ପଣ କରାଯାଏ କେତକୀଫୁଲ, ଜାଣନ୍ତୁ…

ପବିତ୍ର ଶିବରାତ୍ରୀରେ ଭକ୍ତମାନେ ମହାଦେବଙ୍କୁ ବେଲପତ୍ର, ଦୁର୍ଦରା ଫୁଲ, କେତକୀ ଫୁଲ, ମହୁ ଏବଂ କ୍ଷୀରଦାନ କରି ପୂଜାର୍ଚ୍ଚନା କରିଥାଆନ୍ତି । କେତକୀ ଫୁଲ କାହିଁକି ଦେବଦେବ ମହାଦେବଙ୍କ ଅତି ପ୍ରିୟ ଏସମ୍ପର୍କରେ ଏକ ପୌରାଣିକ କଥାବସ୍ତୁ ରହିଛି ।

ଶିବ ପୁରାଣ ଅନୁସାରେ ଭଗବାନ ଶିବଙ୍କ ଆଦି ଓ ଅନ୍ତର ସୀମା ନିର୍ଦ୍ଧାରଣ କରିବା ଲାଗି ଥରେ ଭଗବାନ ବ୍ରହ୍ମା ଓ ବିଷ୍ଣୁଙ୍କ ମଧ୍ୟରେ ବିବାଦ ଦେଖାଦେଲା । ଏହି ସମୟରେ ସ୍ୱୟମ୍ଭୁ ଶିବଙ୍କ ଲିଙ୍ଗର ଅନ୍ତ ଏବଂ ଆଦି ନିରୂପଣ କରିବାକୁ ଦୁଇ ଦେବତା ଯାତ୍ରା ଆରମ୍ଭ କରନ୍ତି। ବ୍ରହ୍ମା ଉପରକୁ ଓ ବିଷ୍ଣୁ ତଳକୁ ଯାତ୍ରା କରନ୍ତି। ଦୀର୍ଘ ସମୟ ଅତିକ୍ରାନ୍ତ ହେବା ପରେ ମଧ୍ୟ କେହି ଉକ୍ତ ସ୍ୱୟମ୍ଭୁ ଲିଙ୍ଗଙ୍କ ଆଦିଅନ୍ତ ପାଇପାରନ୍ତି ନାହିଁ।

ଏହି ସମୟରେ ବ୍ରହ୍ମା ଗୋଟିଏ କେତକୀ ଫୁଲ ଖସୁଥିବା ଦେଖି ତାର ସହାୟତା ଲୋଡନ୍ତି। ନିଜ ଗାରିମା ରକ୍ଷା କରିବା ଲାଗି ସେ ଶିବଙ୍କ ମଥାରୁ ଉକ୍ତ କେତକୀ ଫୁଲଟିକୁ ଆଣିଛନ୍ତି ବୋଲି ଦେବଗଣଙ୍କୁ କହିବାକୁ କୁହନ୍ତି।

କେତକୀ ବ୍ରହ୍ମାଙ୍କ କଥା ରକ୍ଷା କରି ଶିବଙ୍କ ମଥାରୁ ଆସିଥିବା କଥା ମିଛରେ କୁହନ୍ତି। ଶିବ ଏହା ଜାଣିପାରି କେତକୀଙ୍କୁ ଅଭିଶାପ ଦିଅନ୍ତି। ମିଥ୍ୟା କହିଥିବାରୁ ଏହି ଫୁଲ ତାଙ୍କ ଅର୍ଚ୍ଚନା ଲାଗି ବର୍ଜିତ ରହିବ ବୋଲି କୁହନ୍ତି। ପରେ ଭଗବାନଙ୍କ ବିଷ୍ଣୁଙ୍କ କେତକୀଙ୍କୁ କ୍ଷମା କରିବାକୁ ଅନୁରୋଧ କରନ୍ତି।

ଶ୍ରୀହରିଙ୍କ ଏହି କଥାରେ ସହମତ ହୋଇ ଆଶୁତୋଷ ଶିବ ମହାଶିବରାତ୍ରୀରେ ଏହି ଫୁଲକୁ ମଥାରେ ଧାରଣ କରିବାକୁ ପ୍ରତିଶ୍ରୁତି ଦିଅନ୍ତି। ଯାହାର ଫଳ ସ୍ୱରୁପ ଆଜି ମଧ୍ୟ ମହାଶିବରାତ୍ରିରେ ପବିତ୍ର ଶିବଲିଙ୍ଗ ଉପରେ କେତକୀ ଫୁଲ ଅର୍ପଣ କରାଯାଏ।

Leave A Reply

Your email address will not be published.