Latest Odisha News

BREAKING NEWS

ମମିତା ମେହେର ହତ୍ୟା ମାମଲା: ୧୫ ଦିନ ମଧ୍ୟରେ ରିପୋର୍ଟ ତଲବ ନିର୍ଦ୍ଦେଶ

ଭୁବନେଶ୍ୱର: ମମିତା ମେହେର ହତ୍ୟା ମାମଲା ।  ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କୁ ହତ୍ୟା ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା । ଘଟଣାକୁ ନେଇ ସେ ଦୁଃଖ ପ୍ରକାଶ କରିବା ସହ କଳାହାଣ୍ଡି ଓ ବଲାଙ୍ଗୀର ଏସ୍‌ପିଙ୍କୁ ଏ ସମ୍ପର୍କରେ ରିପୋର୍ଟ ତଲବ କରିଛନ୍ତି ।  ୧୫ ଦିନ ମଧ୍ୟରେ ଘଟଣାର ତଦନ୍ତ କରି ଉତ୍ତର ରଖିବାକୁ କୁହାଯାଇଛି । ଯେଉଁମାନେ ଏଥିରେ ସମ୍ପୃକ୍ତ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଆବଶ୍ୟକସ୍ଥଳେ ମହିଳା କମିଶନ ପକ୍ଷରୁ ଏକ ଟିମ ଘଟଣାସ୍ଥଳ ପରିଦର୍ଶନ କରିବେ ।

ଏ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ କୋର୍ଟ ଚାଲାଣ କରାଯାଇଛି । ବଲାଙ୍ଗୀର ଏସ୍‌ପି ଅଫିସରୁ କଡ଼ା ସୁରକ୍ଷା ମଧ୍ୟରେ ଗୋବିନ୍ଦଙ୍କୁ ବଙ୍ଗୋମୁଣ୍ଡା JMFC କୋର୍ଟକୁ ଚାଲାଣ କରାଯାଇଛି । କୋର୍ଟରେ ହାଜର ପରେ ତିନି ଦିନିଆ ରିମାଣ୍ଡରେ ଆଣିବାକୁ ପୋଲିସ ଆବେଦନ କରିବ । ସେପଟେ ଅଟକ ଥିବା ଅନ୍ୟ ୪ଜଣକୁ ଏସପି ଅଫିସ୍‌ରେ ପଚରାଉଚୁରା ଚାଲିଛି । ମମିତାଙ୍କୁ ହତ୍ୟା କରି ଷ୍ଟାଡିୟମ୍‌ରେ ପୋତି ଦେଇଥିବା ଜେରା ବେଳେ ଗୋବିନ୍ଦ ସ୍ୱୀକାର କରିଛନ୍ତି ।

କାର ଭିତରେ ମମିତାଙ୍କୁ ହତ୍ୟା କରିଥିଲେ ଗୋବିନ୍ଦ । ଭବାନୀପାଟଣାରୁ ମାର୍କେଟିଂ ସାରି ମହାଲିଙ୍ଗ ସନସାଇନ ସ୍କୁଲକୁ ଯିବା ବାଟରେ କୁଦାସୀରା-ବୋଡ଼ା ରାସ୍ତାରେ ମମିତାଙ୍କୁ ଗୋବିନ୍ଦ ହତ୍ୟା କରିଥିଲେ । ହତ୍ୟା ପରେ ଗାତରେ ଶବକୁ ପୋଡ଼ା ଯିବା ପରେ ପୋତି ଦେଇଥିଲେ । ଏନେଇ ପୋଲିସ ଆଗରେ ଗୋବିନ୍ଦ ମାନିଥିବା ଜଣାପଡିଛି । ଗୋବିନ୍ଦଙ୍କ କାରରେ କଟା ଦାଗ ଥିବାରୁ ମମିତାଙ୍କୁ ମାରିବା ପାଇଁ ଛୁରୀ ବ୍ୟବହାର ହୋଇଥିବା ପୋଲିସ ସନ୍ଦେହ କରୁଛି । ଗତକାଲି ଅପରାହ୍ନରେ ବଙ୍ଗୋମୁଣ୍ଡା ବ୍ଲକ ବୁଢ଼ିପଦରରୁ ଗୋବିନ୍ଦଙ୍କୁ ଗିରଫ କରିଥିଲା ପୋଲିସ ।

Leave A Reply

Your email address will not be published.