Latest Odisha News

ସେଲଫି ହେଲା କାଳ ! ହେଲିକପ୍ଟର ପଙ୍ଖାରେ ବେକ କଟି ଉତ୍ତରାଖଣ୍ଡ ଯୁବ ସରକାରୀ ଅଧିକାରୀଙ୍କ ଅକାଳ ମୃତ୍ୟୁ

ଉତ୍ତରାଖଣ୍ଡ : ସେଲଫି ନେବାର ନିଶା ଖୁବ ମହଙ୍ଗା ପଡ଼ିଛି ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳର ଜଣେ ଯୁବ ସରକାରୀ ଅଧିକାରୀଙ୍କୁ । ହେଲିକପ୍ଟର ବ୍ଲେଡ ବାଜି ବେକ କଟି ଯିବାରୁ ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳର ଆର୍ଥିକ ନିୟନ୍ତ୍ରକଙ୍କ ଦୁଃଖଦ ମୃତ୍ୟୁ ଘଟିଛି । ରବିବାର କେଦାରନାଥ ଯାତ୍ରା ପୂର୍ବରୁ ଗରୱାଲ୍ ମଣ୍ଡଳ ବିକାଶ ନିଗମ(GMVN)ର ହେଲିପ୍ୟାଡରେ ନୀରିକ୍ଷଣ ଚାଲିଥିବା ସମୟରେ ଏଭଳି ଦୁର୍ଘଟଣା ଘଟିଥିବାବେଳେ ମୃତକଙ୍କ ନାଁ ଜିତେନ୍ଦ୍ର କୁମାର ସାଇନି ବୋଲି ରୁଦ୍ରପ୍ରୟାଗର ଏସପି ସୂଚନା ଦେଇଛନ୍ତି ।

ସୂଚନାନୁସାରେ, କେଦାରନାଥ ଧାମରେ ଥିବା ହେଲିପ୍ୟାଡରେ ହେଲିକପ୍ଟର ଅବତରଣ କରିବା ସମୟରେ ଜିତେନ୍ଦ୍ର ସାଇନି ହେଲିକପ୍ଟର ନିକଟକୁ ସେଲଫି ନେବାକୁ ଯାଇଥିଲେ। ଏହି ସମୟରେ ହେଲିକପ୍ଟରର ପଛପଟେ ଲାଗିଥିବା ପଙ୍ଖାରେ ତାଙ୍କର ବେକ କଟି ଯାଇଥିଲା ଏବଂ ସେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ହେଲିପ୍ୟାଡରେ ଦୁର୍ଘଟଣା ସମୟରେ ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳର ସିଇଓ ମଧ୍ୟ ଉପସ୍ଥିତ ଥିଲେ ବୋଲି ଜଣାପଡ଼ିଛି।

ସେପଟେ କେଦାରନାଥ ଯାତ୍ରା ଏପ୍ରିଲ ୨୫ରୁ ଆରମ୍ଭ ହେବାକୁ ଥିବା ବେଳେ ପୂର୍ବରୁ ଏଭଳି ଘଟଣା ଘଟିବା ସମସ୍ତଙ୍କୁ ଆଘାତ ଦେଇଛି। ସୂଚନାଯୋଗ୍ୟ, କେଦାରନାଥ ଯାତ୍ରାକୁ ଦେଖି ଏବେ ପ୍ରଶାସନ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଛି। ମନ୍ଦିର ସମିତି ଏବେ ମନ୍ଦିର ସଜାଇବା କାମ ଆରମ୍ଭ କରିଛନ୍ତି। ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ହେଲିକପ୍ଟର ମଧ୍ୟ କେଦାରନାଥ ଧାମରେ ଥିବା ହେଲିପ୍ୟାଡରେ ପହଞ୍ଚିସାରିଛି। ଚଳିତବର୍ଷ ପାଇଁ ଡିଜିସିଏ ୯ଟି ହେଲିକପ୍ଟରକୁ ଅନୁମତି ଦେଇଛି। ସେପଟେ ଆଜିଠାରୁ ଗଙ୍ଗୋତ୍ରୀ, ଯମୁନୋତ୍ରୀ ଧାମର କପାଟ ଖୋଲିବା ସହିତ ଚାରିଧାମ ଯାତ୍ରା ଆରମ୍ଭ ହେଉଛି । ଶେଷ ଖବର ସୁଦ୍ଧା ଉତ୍ତରାଖଣ୍ଡରେ ତିନି ଦିନ ହେଲାଣି ପାଣିପାଗ ଖରାପ ଥିବା ସହ ବର୍ଷା ପରେ କେଦାରନାଥ, ବଦ୍ରିନାଥରେ ତୁଷାରପାତ ଜାରି ରହିଛି ।

Leave A Reply

Your email address will not be published.