Latest Odisha News

BREAKING NEWS

ମାତିଲେ ଲୁଟେରା, ବାଲେଶ୍ୱର ଓ ଖୋର୍ଦ୍ଧାରେ ଦୋକାନ ଲୁଟିନେଲେ

ଖୋର୍ଦ୍ଧା/ବାଲେଶ୍ୱର : ରାଜ୍ୟରେ ଏବେ ଲୁଟେରା ଗ୍ୟାଙ୍ଗ ମାତିଥିବାବେଳେ ଖୋର୍ଦ୍ଧା ଓ ବାଲେଶ୍ୱର ଜିଲ୍ଲାରେ ପୁଣି ଲୁଟ୍ ଭଳି ଘଟଣା ନଜରକୁ ଆସିଛି ।

ମିଳିଥିବା ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରେ ଦୁବୃର୍ତ୍ତମାନେ ୨ଟି ଅପ୍ଟିକାଲ ଦୋକାନ, ଗୋଟିଏ ତେଜରାତି ଦୋକାନ, ସିଲେଇ ଦୋକାନ ଓ ଗୋଟିଏ ମେଡିସିନ ଦୋକାନ ପରି ୫ଟି ଦୋକାନରୁ ଲୁଟ କରିଥିବା ନେଇ ଅଭିଯୋଗ ହୋଇଛି । ସମ୍ପୃକ୍ତ ଦୋକାନ ଗୁଡିକ ଖୋର୍ଦ୍ଧା ଏସଡିପିଓ କାର୍ଯ୍ୟାଳୟ ନିକଟ ଏବଂ ସରଧାପୁର ବ୍ଲକ ଅନ୍ତର୍ଗତ ତରଛୁଆ ନିକଟରେ ଅବସ୍ଥିତ ।

ପୋଲିସ ସୂଚନାନୁଯାୟୀ ଦୁବୃର୍ତ୍ତମାନେ ମିନି ଟ୍ରକ ଯୋଗେ ଆସିଥିଲେ ଏବଂ ଏକ ଲୁହା ଚେନ ମାଧ୍ୟମରେ ଦୋକାନ ଗୁଡିକୁ ସମସ୍ତ ସାମଗ୍ରୀ ଲୁଟିଥିବା ନେଇ ସ୍ଥାନୀୟ ଟାଉନ ଥାନାର ପ୍ରାଥମିକ ତଦନ୍ତ ପରେ ଜଣାପଡିଛି । ପ୍ରାୟ ଏକ ମାସ ପୂର୍ବରୁ ଟାଉନ ଥାନା ଅଞ୍ଚଳରେ ଏଭଳି ଲୁଟ୍ ଘଟଣା ଘଟିଥିଲା ଏବଂ ଦୁର୍ବୃତ୍ତମାନେ ପାଖାପାଖି ୧୦ଟି ଦୋକାନରେ ଲୁଟ୍ କରିଥିଲେ ।

ସେହିପରି ବୁଧବାର ଦିନ ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ବହନାଗା ଥାନା ଅନ୍ତର୍ଗତ ଦରଡିଆବାସୁଳିପୁର ନିକଟରେ ଜଣେ ବ୍ୟବସାୟୀଙ୍କ ଠାରୁ କିଛି ଦୁବୃର୍ତ୍ତ ନଗଦ ଟଙ୍କା ସହ ସୁନା ଚେନ୍ ଛିନତାଇ କରିଥିବା ଅଭିଯୋଗ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ ସ୍ଥାନୀୟ ବ୍ୟବସାୟୀ ତୁଷାରକାନ୍ତ ସାହୁ ଗତକାଲି ରାତିରେ ବାଇକ୍ରେ ଘରକୁ ଫେରୁଥିବା ବେଳେ ଦରଡିଆବାସୁଳିପୁର ନିକଟରେ ଏକ ବାଇକ୍ରେ ୩ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ ।

ଅନ୍ୟପକ୍ଷରେ ଏହି ସମୟରେ ଦୁବୃର୍ତ୍ତମାନେ ତାଙ୍କ ବ୍ୟାଗ୍ ଛଡ଼ାଇବାକୁ ଉଦ୍ୟମ କରିଥିଲା ବେଳେ ତୁଷାର ଭାରସାମ୍ୟ ହରାଇ ବାଇକ୍ରୁ ପଡ଼ି ଯାଇଥିଲେ। ପରବର୍ତ୍ତୀ ସମୟରେ ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ବ୍ୟାଗ୍ରେ ଥିବା ପ୍ରାୟ ୧୫ ହଜାର ଟଙ୍କା ସୁନାଚେନ୍ ଲୁଟି ନେଇଥିଲେ ବୋଲି ସୂଚନା ମିଳିଛି ।

ତେବେ ତୁଷାର ଗାଡିରୁ ଖସି ପଡ଼ିବାରୁ ତାଙ୍କ ଗୋଡ଼ରେ ଶକ୍ତ ଆଘାତ ଲାଗିଥିବାବେଳେ ଚିକିତ୍ସା ନିମନ୍ତେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.