ଭୁବନେଶ୍ବର: ବର୍ତ୍ତମାନ ଅନେକ ସମୟରେ ଲଗାତାର ଭାବେ ରାଜଧାନୀ ରାଜ ରାସ୍ତାରେ ମୋ ବସ୍ ଦୁର୍ଘଟଣାର ଶିକାର ହେଉଛନ୍ତି ଲୋକେ । ମୋ ବସ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା କାରଣରୁ ନିକଟରେ ଏକ ୧୩ ବର୍ଷ ନାବାଳିକାର ଜୀବନ ଯାଇଥିଲା । ନନ୍ଦନକାନନ ରାସ୍ତା ରଘୁନାଥପୁର ନିକଟରେ ଘଟିଥିଲା ଦୁର୍ଘଟଣା । ଯାହାକୁ ନେଇ ଦୀର୍ଘ ସମୟ ପର୍ଯ୍ୟନ୍ତ ନନ୍ଦନକାନନ-ଜୟଦେବବିହାର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ ଉତ୍ୟକ୍ତ ଲୋକ ।
ଏହାକୁ ନଜରରେ ରଖି ବର୍ତ୍ତମାନ ମୋ ବସ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଉପରେ ରୋକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ସହରରେ ଚାଲୁଥିବା ସରକାରୀ ବସ ୪୦ କିମି ବେଗରୁ ଅଧିକ ସ୍ପିଡ଼ରେ ଚାଲିପାରିବ ନାହିଁ ଏବଂ ସହର ବାହାରେ ଗାଡ଼ିର ବେଗ ୫୦ କିମି ରହିବ ବୋଲି ଏନେଇ ଆଜି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
ମନ୍ତ୍ରୀ କହିଛନ୍ତି ଯେ, ମୋ ବସ୍ ଡ୍ରାଇଭର ମାନେ ଅନେକ ସମୟରେ ମଦ ପିଇ ଗାଡି ଚଳାଉଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଦୈନିକ ତିନି ଥର ଟେଷ୍ଟ କରାଯାଉଛି । ଏହା ଉପରେ ବାରମ୍ବାର ଅନୁଧ୍ୟାନ କରାଯାଉଛି । ଏହି ପ୍ରକ୍ରିୟା ଭିତରେ ୩ ରୁ ୪ଜଣ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ ତାଙ୍କୁ ଚାକିରିରୁ ବରଖାସ୍ତ ମଧ୍ୟ କରାଯାଇଛି । ଏହା ସହ ଅନ୍ୟାନ କଥାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଛନ୍ତି ।
ଶ୍ରୀଯୁକ୍ତ ମହାପାତ୍ର ଆହୁରି କହିଛନ୍ତି ଯେ, ଯେହେତୁ ଭିଡ଼ ହେଉଛି, ସେଥିପାଇଁ କେଉଁଠି ନା କେଉଁଠି ତ୍ରୁଟି ରହୁଛି, ଏହାକୁ ଅନୁଧ୍ୟାନ କରି ଖୁବଶୀଘ୍ର ଏହାର ବ୍ୟବସ୍ଥା ପାଇଁ ଚିନ୍ତା କରାଯାଉଛି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ।
ତେବେ ଆଗରୁ ରାଜଧାନୀ ଭିତରେ ମୋ ବସ୍ ର ସ୍ପିଡ୍ ୪୦ ଥିବା ବେଳେ, ସହର ବାହାରେ ଗାଡ଼ିର ବେଗ ୫୦ କିମି ରହିଥିଲା । ହେଲେ ଏହାକୁ ଖାତିର ନକରି ମନଇଚ୍ଛା ବହୁତ ସ୍ପିଡ୍ ରେ ଗାଡିଚଳାଉଛନ୍ତି ଡ୍ରାଇଭର । ଯାଇଁ କାରଣରୁ ଦୁର୍ଘଟଣା ଘଟୁଛି ।
ଅନ୍ୟପଟେ, ଆଜି ମଧ୍ୟ ମୋ ବସ୍ ଦୁର୍ଘଟଣା ଖବର ସାମ୍ନାକୁ ଆସୁଛି । ଆଜି ସକାଳେ କଟକରେ ଜଣେ ବ୍ୟବସାୟୀଙ୍କୁ ଧକ୍କା ଦେଇଥିଲା ମୋ ବସ୍ ।
Comments are closed.