Latest Odisha News

ରଚନା ମାଧ୍ୟମରେ ସମାଜରେ ପରିବର୍ତ୍ତନ ଆଣିବା ମୋର ଲକ୍ଷ୍ୟ : ଅମୂଲ୍ୟ ରଞ୍ଜନ ବିନ୍ଧାଣୀ

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ଅମୂଲ୍ୟ ରଞ୍ଜନ ବିନ୍ଧାଣି ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ ପ୍ରତି ସମର୍ପିତ।

ଓଡ଼ିଆ ସାହିତ୍ୟର ନବ ପ୍ରତିଭା ଅମୂଲ୍ୟ ରଞ୍ଜନ ବିନ୍ଧାଣିଙ୍କ ସହ ‘ସ୍ଵଳ୍ପ ଆଳାପ’

 

ମୁଁ କାହିଁକି ଲେଖେ ?

କୌଣସି ମଣିଷ କିଛି ନା କିଛି ରୁଚି ଥାଏ। କିଛି ପ୍ରତିଭା ଶୈଶବରୁ ବିକଶିତ ହୋଇଥାଏ ତ କିଛି ସମୟ ଚକ୍ରରେ ବିକଶିତ ହୋଇଥାଏ। ଆଜିର ସମାଜରେ ଦୁର୍ବଳ ଉପରେ ସବଳର ଅତ୍ୟାଚାର ବଢ଼ି ବଢ଼ି ଚାଲିଛି। ଅନ୍ୟାୟ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବାର ପ୍ରକୃଷ୍ଟ ମାର୍ଗ ହେଉଛି ସାହିତ୍ୟ। ଯାହା ମାଧ୍ୟମରେ ଜଣେ କବି ବା ଲେଖକ ସମାଜର ଚରିତ୍ର ଚିତ୍ରଣ କରିଥାଏ। ଲୋକମାନଙ୍କୁ ଏକ ମାଧ୍ୟମ ଦେଇଥାଏ ପ୍ରତିବାଦ କରିବାରେ। ସେଥିପାଇଁ ମୁଁ କବିତା ଲେଖେ।

ସାହିତ୍ୟ ସର୍ଜନା ପାଇଁ କାହିଁକି ଆଗ୍ରହୀ ହେଲେ?

ଏହା ଏକ ଆନନ୍ଦ ଦାୟକ ପ୍ରଶ୍ନ। ୨୦୦୮ ମସିହା ସମୟରେ ମୋର ଥିଲା ନବମ ଶ୍ରେଣୀ। ଆମ ହରିପୁର ଉଚ୍ଚ ବିଦ୍ୟାଳୟ ସେତେବେଳେ ବ୍ଲକ ଓ ଜିଲ୍ଲାରେ ଏକ ସମ୍ମାନ ଜନକ ସ୍ଥିତିରେ ଥିଲା ତାର ଛାତ୍ର ଛାତ୍ରୀଙ୍କ ସଫଳତାକୁ ନେଇ। ସେତେବେଳର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶମ୍ଭୁନାଥ ପଣ୍ଡା ସାହିତ୍ୟ ଶିକ୍ଷକ ଶ୍ରୀଯୁକ୍ତ ଅଜାମିଳ ବେହେରାଙ୍କ ସହଯୋଗରେ ବିଦ୍ୟାଳୟ ରେ କବିତା ଓ ଗଳ୍ପ ଲିଖନକୁ ପ୍ରୋତ୍ସାହିତ କରୁଥିଲେ। ଯିଏ ଭଲ କବିତା ଲେଖିବ ତାଙ୍କ କବିତା ନୋଟିସ ବୋର୍ଡରେ ରହିବ। ଯାହା କି ମୋତେ ଆଗ୍ରହୀ କରାଇଥିଲା କବିତା ଲେଖିବାକୁ। ‘ ଆମ ବିଦ୍ୟାଳୟ ‘ କବିତା ମୋର ପ୍ରଥମ କବିତା ଯାହା ଦୁଇ ବର୍ଷ ଯାଏଁ ନୋଟିସ ବୋର୍ଡ଼ରେ ରହିଥିଲା। ସେବେଠାରୁ ଆଉ ଏ ହାତ କି କଲମ ଅଟକି ଯାଇନି ।

ପ୍ରଥମ ପ୍ରକାଶିତ ଲେଖାଟି କଣ ଥିଲା ଓ ତାହା କିପରି ଆପଣଙ୍କୁ ପ୍ରେରିତ କରିଥିଲା?

ମାଆ ଅମ୍ବିକା ସାହିତ୍ୟ ସଂସଦର କଲ୍ୟାଣୀ ପତ୍ରିକାରେ ମୋର ପ୍ରଥମ କବିତା ପ୍ରକାଶ ପାଇଥିଲା। ଏବଂ ତାହାର ନାମ ଥିଲା ‘ ମଧୁସ୍ମିତା ‘ ଯେତେବେଳେ ମୁଁ ଭାରତୀୟ ସୀମା ଲଦାଖରେ ଥିଲି, ସେ ସମୟରେ ଘର ସହିତ ସମ୍ପର୍କରେ ରହିବା ବଡ଼ କଷ୍ଟ ଥିଲା। ମନୋରଞ୍ଜନର କେବଳ ଗୋଟିଏ ମାଧ୍ୟମ ଥିଲା କବିତା ଲିଖନ। ସେତକ ବେଳେ ମୁଁ ଭାବିଲି କବିମାନେ କବିତାର ନାୟିକା ଭାବେ ଅନେକ ନାମ ବାଛି ଥାଆନ୍ତି । ମୁଁ ଯଦି ସେମିତି ହେଲି ତାହେଲେ ମୋ ପାଖରେ ବିଶେଷ କଣ ? ତେଣୁ ନିଜ ଧର୍ମପତ୍ନୀଙ୍କ ନାମକୁ ନେଇ ଲେଖିଲି ମଧୁସ୍ମିତାର ଏକ ପଦୀ ଧାରାବାହିକ। ଖୁସିର କଥା ତାହା ୧୦୫ ପର୍ଯ୍ୟନ୍ତ ପହଞ୍ଚି ପାରିଛି। ଆଜି ବି ପୁସ୍ତକରେ ସେ କବିତା ଦେଖିଲେ ଆଉ ପଦେ ଲେଖିବାକୁ ଇଚ୍ଛା ହୁଏ।

ଗଳ୍ପ / କବିତା ମାଧ୍ୟମରେ ଆପଣଙ୍କର କେଉଁ ବାର୍ତ୍ତା ରହିଥାଏ ?

ଦେଖନ୍ତୁ ଜୀବନରେ କେହି ଜଣେ ଇଚ୍ଛା କରି ବି ପ୍ରେମକୁ ନିଜଠାରୁ ଦୂରେଇ ଦେଇ ପାରିବ ନାହିଁ। ତେଣୁ କବିମାନେ ପ୍ରେମ ଏହା ବୁଝିଯିବା ଆବଶ୍ୟକ। କାରଣ ଲୋକେ କୁହନ୍ତି ପ୍ରେମ କଲେ ଜଣେ କବି ହୋଇଥାଏ ନହେଲେ ଧୋକା ଖାଇବା ପରେ। କିନ୍ତୁ ମୋ ଲେଖାରେ ମୁଁ ଚେଷ୍ଟା କରେ ସମାଜକୁ କିଛି ବାର୍ତ୍ତା ଦେବାପାଇଁ। ଆଜିର ସମାଜରେ ଲୋକମାନେ ନିଜ ଦାୟିତ୍ୱ ବୋଧ ଭୁଲି ଯାଉଛନ୍ତି । କବିତା ମାଧ୍ୟମରେ ଯଦି ଆମେ ସମାଜ ପ୍ରତି ଥିବା ଦାୟିତ୍ଵ, କର୍ତ୍ତବ୍ୟକୁ ଲୋକମାନଙ୍କ ଭିତରେ ସୃଷ୍ଟି କରି ପାରିବା ତାହେଲେ ସେ ଲେଖା ହେବ କାଳଜୟୀ ବୋଲି ମୋର ମତ।

ତାଙ୍କ ରଚନାରୁ କବିତା : ମୁଁ ଜଣେ ପୁରୁଷ

ମୁଁ ଜଣେ ପୁରୁଷ
କାହିଁକି କେଜାଣି
ବଦନ ରୁ ହଜି ଯାଇଛି
ସେଇ ଟିକେକ ହସ।

ମେଣ୍ଟାଇ ପାରୁନି
ପାରିବାରିକ ବଢୁଥିବା
ଆବଶ୍ୟକତା ର ଶୋଷ
ଧାରଣ କରିଛି ମୁଁ
ଧରଣୀ ର ବେଶ।
ହଁ ମୁଁ ଜଣେ ପୁରୁଷ।

ଅନ୍ୟାୟ ମୋ ଆଖି ସାମ୍ନାରେ
ତଥାପି ଦେଖାଇ ପାରୁନି
ମନ ଭିତର ର କ୍ଳେଶ
କୁହୁଳି କୁହୁଳି ଜାଳୁଛି ମୋତେ
ମୋ ହୃଦୟର ଅବଶୋଷ।

ମୁଁ କଣ
ସତରେ ମୁଁ କଣ ଧାରଣ କରିଛି
ଅହଲ୍ୟା ପାଷାଣ ବେଶ
ନା ମୁଁ ଭୁଲି ଯାଇଛି
କଳିଙ୍ଗର ଗୌରବ ଗରିମା ଯଶ।
ହଁ ମୁଁ କଣ ସେଇ ପୁରୁଷ ?
ହଁ ମୁଁ କଣ ସେଇ ପୁରୁଷ ?

ମୋ ଆଖି ସାମ୍ନା ରେ
ହଁ ମୋ ଆଖି ସାମ୍ନାରେ
ନର ରାକ୍ଷସ ଟା
ଦୁନିଆ କୁ ଦେଖି ନଥିବା ଭଉଣୀର
ଅ ସଜଡ଼ା କରେ କେସ
ତଥାପି ପ୍ରତିବାଦ ତ କରି ପାରେନି ମୁଁ
ବସିଥାଏ ସତେକି ଯେମିତି ସାଜି
ହସ୍ତିନା ପୁରା ନରେଶ
ହସ୍ତିନା ପୁର ନରେଶ।

ଜାଣିନି
ମୁଁ ନିଜେ ବି ଜାଣିନି କେବେ
ଜାଗ୍ରତ ହେବ ଏ ପାଷାଣ ହୃଦୟ
ଦେଖି ଏ ଅମାନୁଷିକ ଦୃଶ୍ୟ
ଆସନ୍ତେକି କଳି କାଳେ ପ୍ରଭୁ ଜଗନ୍ନାଥ
ଦେଇଯାନ୍ତେ ତାଙ୍କରି ପରସ
ଅନୁତପ୍ତ ନହୋଇ
ସଂଗ୍ରାମକୁ ବାଛି ନିଅନ୍ତା
ଏ ସମାଜ ପୁରୁଷ
ହଁ ମୁଁ ସେଇ ପୁରୁଷ

ଅମୂଲ୍ୟ ରଞ୍ଜନ ବିନ୍ଧାଣି
ଭାରତୀୟ ସ୍ଥଳ ସେନା
ଖଇରା, ବାଲେଶ୍ଵର

Leave A Reply

Your email address will not be published.