Latest Odisha News

BREAKING NEWS

କରୋନା ପରିପ୍ରେକ୍ଷୀରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ମୋଦିଙ୍କ ଘରୋଇ ଉପାୟ

ଭୁବନେଶ୍ୱର: କରୋନା ଦିନକୁ ଦିନ କାୟା ବିସ୍ତାର କରୁଥିବା ବେଳେ ଏହା ପାଇଁ ଔଷଧ ଏଯାଏଁ ବାହାରିପାରିନାହିଁ । ତେଣୁ ଲୋକମାନଙ୍କୁ ନିଜେ ସଚେତନ ହେବାକୁ ପରାମର୍ଶ ଦିଆଯାଉଛି । ସେପଟେ ପ୍ରାକୃତିକ ଉପାୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ଘରୋଇ ଉପାୟ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଟ୍ୱିଟରରେ ଆୟୁଷ ମନ୍ତ୍ରଣାଳୟର ସଚେତନତା ବାର୍ତ୍ତାକୁ ପୋଷ୍ଟ କରିବା ସହ ଏଥିରୁ ଅନେକ ଉପାୟ ସେ ବର୍ଷ ବର୍ଷ ଧରି ଅବଲମ୍ବନ କରୁଥିବା କହିଛନ୍ତି । ସବୁବେଳେ ସେ ଗରମ ପାଣି ପିଉଥିବା କହି ଏସବୁ ଉପାୟ ସହଜରେ ଘରେ ଯେକେହି ଅବଲମ୍ବନ କରିପାରିବ ବୋଲି ମୋଦି କହିଛନ୍ତି । ଏହି ଉପାୟଗୁଡିକୁ ନିଜେ ଆପଣାଇବା ସହ ଅନ୍ୟମାନଙ୍କୁ ଏ ସମ୍ପର୍କରେ ସଚେତନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ରୋଗ ପ୍ରତିରୋଧକ ଶକ୍ତି ବଢାଇବାର ସାମାନ୍ୟ ଉପାୟ:

-ଦିନ ସାରା ଯେତେବେଳେ ପାଣି ପିଉଛନ୍ତି ସେତେବେଳେ ଉଷୁମ ପାଣି ପିଅନ୍ତୁ ।
-ପ୍ରତିଦିନ ଅନ୍ୟୁନ ୩୦ ମନିଟ୍ ଯୋଗାସନ, ପ୍ରାଣାୟମ ଏବଂ ଧ୍ୟାନ କରନ୍ତୁ ।
-ହଳଦୀ, ଜିରା, ଧନିଆ ଏବଂ ରସୁଣକୁ ପ୍ରତିଦିନ ନିଜ ଖାଦ୍ୟ ପ୍ରସ୍ତୁତିରେ ସାମିଲ କରନ୍ତୁ ।

ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଆୟୁର୍ବେଦିକ ଉପାୟ:

-ପ୍ରତିଦିନ ସକାଳେ ଗୋଟିଏ ଚାମଚ ଚ୍ୟବନପ୍ରାସ ଖାଆନ୍ତୁ । ମଧୁମେହ ରୋଗୀ ସୁଗାରଫ୍ରି ଚ୍ୟବନପ୍ରାସ ଖାଇପାରିବେ ।
-ତୁଳସୀ, ଡାଲଚିନି, ଗୋଲମରିଚ, ଶୁଣ୍ଠି ଆଦି ମିଶାଇ ଚା କିମ୍ବା କାଢା ପ୍ରସ୍ତୁତ କରନ୍ତୁ । ଏଥିରେ ସ୍ୱାଦ ଅନୁଯାୟୀ ଗୁଡ ଓ ଲେମ୍ବୁ ରସ ମିଶାନ୍ତୁ । ଏହାକୁ ଦିନରେ ଥରେ କିମ୍ବା ଦୁଇଥର ପିଅନ୍ତୁ ।
-ଗୋଲଡେନ ମିଲ୍କ: ଗୋଟେ ଗ୍ଲାସ ଗରମ କ୍ଷୀରରେ ଅଧା ଚାମଚ ହଳଦୀଗୁଣ୍ଡ ମିଶାଇ ଦିନରେ ଥରେ କି ଦୁଇ ଥର ପିଅନ୍ତୁ ।

ସାମାନ୍ୟ ଆୟୁର୍ବେଦୀୟ ପ୍ରକ୍ରିୟା:

– ପ୍ରତିଦିନ ସକାଳ ଏବଂ ସନ୍ଧ୍ୟାରେ ଦୁଇ ନାକ ପୁଡାରେ ରାଶି କିମ୍ବା ନଡିଆ ତେଲ ଲଗାନ୍ତୁ
-ଏକ ଚାମଚ ରାଶି କିମ୍ବା ନଡିଆ ତେଲ ପାଟିରେ ପୁରାଇ ଦୁଇରୁ ତିନି ମିନିଟ୍ ପାଟି ଭିତରେ ବୁଲାନ୍ତୁ ଏବଂ କୁଳକୁଚା କରି ବାହାର କରିଦିଅନ୍ତୁ । ଏହା ପରେ ଗରମ ପାଣିରେ କୁଳକୁଚା କରନ୍ତୁ । ଏହି ପ୍ରକ୍ରିୟା ଦିନରେ ଦୁଇଥର କରନ୍ତୁ ।

କାଶ କିମ୍ବା ତଣ୍ଟି ଦରଜ ଥିଲେ :

-ଦିନରେ ଅତିକମ୍‌ରେ ଥରେ ପୁଦିନାପତ୍ର ଓ ଜୁଆଣୀ ପାଣିରେ ପକାଇ ବାମ୍ଫ ନିଅନ୍ତୁ
-କାଶ କିମ୍ବା ତଣ୍ଟି ଦରଜ ହେଉଥିଲେ ଲବଙ୍ଗ ଚୁର୍ଣ୍ଣରେ ଗୁଡ କିମ୍ବା ମହୁ ମିଶାଇ ଦିନରେ ଦୁଇରୁ ତିନି ଥର ଖାଆନ୍ତୁ । ଯଦି ଏହି ଲକ୍ଷଣ ଜାରି ରହୁଛି ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Leave A Reply

Your email address will not be published.