Latest Odisha News

BREAKING NEWS

ସୁଝି ପାରିବାନି ମା’ଆ ମମତାର ଅମୂଲ ମୂଲ, ତଥାପି ମା’ ପାଇଁ ଦିନ ଟିଏ…Happy Mother’s Day…

"Mother's Day 2026: Celebrate Your Mother's Sacrifices and Make Her Smile"

ଭୁବନେଶ୍ବର: “ମାଆ” । ମା’ ମାନେ ମାଟି…ଆ’ ମାନେ ଆକାଶ । ଯେତେ ବଖାଣିଲେ ସେତେ କମ ପଡିବ ମାଆ ମମତାର ସେ ଅକୁହା ଗାଥା । ସତରେ ଏମିତି ଏକ ମଧୁର ଶବ୍ଦ, ଯାହା ସହ କେଉଁ ଶବ୍ଦର ତୁଳନା ନାହିଁ । ଯେତେ କହିଲେ ବି ଶବ୍ଦର ଅଭାବ ନିଶ୍ଚୟ ଉଣା ପଡ଼ିବ । ଏ ଧରା ପୃଷ୍ଠରେ ସବୁଠୁ ସୁନ୍ଦର ଅକ୍ଷର ହେଉଛି “ମାଆ” । ଦଶ ମାସ ଦଶ ଦିନ ତା’ରି ଗର୍ଭରେ, ତା’ରି ରକ୍ତରେ ଆମେ ଗଢା। ଆମ ରକ୍ତର ପ୍ରତିଟି ବିନ୍ଦୁକୁ ସେ ବେଶ୍ ଭଲ ଭାବରେ ଜାଣେ । ଆମେ ନକହିବା ଆଗରୁ ସେ ଆମର ଅବୁଝା ମନକୁ ବୁଝିଯାଏ । ସେଥିପାଇଁ ତ କୁହାଯାଏ, ମାଆ ଜାଣେ ପେଟ…ବାପ ଜାଣେ ପିଠି…

କେଉଁଠି ଏକ ଉକ୍ତି ପଢିଥିଲି, ଯଦି ଜାଣିବାକୁ ଚାହୁଁଛ ମାଆ କିଏ, ତେବେ ଘରର ସମସ୍ତ ଲୋକ ଖାଇଲା ପରେ ଥରେ ଯାଇ ଭାତ ହାଣ୍ଡି ଦେଖ…ଯଦି ଜାଣିବାକୁ ଚାହୁଁଛ ମାଆ କିଏ, ସସମ୍ତେ ଶୋଇବା ପରେ, ଖୁଡୁଖୁଡୁ ହେଉଥିବା ସେଇ ଶବ୍ଦକୁ ଶୁଣ । ସମସ୍ତଙ୍କ ଆଗରେ ଉଠେ, ଆଉ ସମସ୍ତଙ୍କ ଦେଖାଶୁଣା କରି ସବା ପଛରେ ଯେ ଖଟ ଉପରକୁ ଯାଏ…ମା ହେଉଛି ସେଇ, ଯିଏ ନିଜେ ଅଧା ଶୋଇ, ଆମ ସ୍ବପ୍ନ ପୁରଣ କରେ…ତା’ ପଣତକାନିରେ ପୂରା ବିଶ୍ବର ଖୁସି ଭରି ରଖିଥାଏ । ଯିଏ ଆମ ଖୁସିରେ ଖୁସି…ଆଉ ଆମ ଦୁଃଖରେ ଦୁଃଖି ହୁଏ… ସେଥିପାଇଁ ତ କୁହାଯାଏ, ଭଗବାନ ସବୁବେଳେ ସବୁ ମୂହୂର୍ତ୍ତରେ ସବୁଠି ରହିପାରିବେନି ବୋଲି ସେ ମାଆକୁ ଗଢିଛନ୍ତି । ଆମର ଛୋଟ ଛୋଟ ଆବଶ୍ୟକତା ପାଇଁ ତାର ସବୁଠାରୁ ବଡ଼ ଇଚ୍ଛାକୁ ତ୍ୟାଗ କରୁଥିବା ଜଣେ ମା’ର ସଂଘର୍ଷକୁ କେବେବି ଶବ୍ଦ ତ ବର୍ଣ୍ଣନା କରିପାରିବ ନାହିଁ । 

ତେଣୁ ଏହି ମାତୃ ଦିବସରେ, କେବଳ “ହାପି ମଦର୍ସ ଡେ” କହିବା ଯଥେଷ୍ଟ ନୁହେଁ। ସେଇ କାମ କରନ୍ତୁ, ଯେମିତି ଆପଣଙ୍କ ମାଆ ମୁହଁରେ ଛୋଟିଆ ହସଟିଏ ଫୁଟିଉଠିବ । ଦେଖିବାକୁ ଗଲେ ମାଆ ପାଇଁ ତ ଘଣ୍ଟା ବାର ମାସ ବର୍ଷ କମ୍ ପଡିବ । କିନ୍ତୁ ମେ ମାସର ଏହି ଦ୍ବିତୀୟ ରବିବାର ହେଉଛି, ସେହି ପ୍ରତ୍ୟେକ ମାଆ ପାଇଁ ଏକ ସ୍ବତନ୍ତ୍ର ଦିନ, କାରଣ ପିଲାଟିଏ ବଡ ହେଲା ପରେ ତାର ସଂସାରରେ ଏତେ ଛନ୍ଦି ହୋଇଯାଏ ଯେ, ତାକୁ ସଂସାରକୁ ଆଣିଥିବା ବ୍ୟକ୍ତିଟିକୁ ସେ ବ୍ୟସ୍ତବହୁଳ ଜୀବନରେ ହଜାଇ ଦିଏ । ତେଣୁ ସବୁ ଦିନ ନହେଲା ନାହିଁ ଆଜିର ଏହି ଦିନକୁ ସ୍ବତନ୍ତ୍ର କରନ୍ତୁ…ଗୋଟିଏ ଛୋଟ ଚକୋଲେଟ୍ ହେଉ ପଛେ, ମାକୁ ଦେଇ ଥରେ ହସିକି, କୁଣ୍ଡେଇ ପକାନ୍ତୁ, ଦେଖିବେ, ସିଏ କୋଟି ନିଧି ପାଇଯିବ । ମାଆ ବି ବିଶେଷ କିଛି ଲୋଡେ ନାହିଁ ମ, ଖାଲି ଟିକେ ସ୍ନେହରେ ବୋଉ ଡାକ…ତୁ ଖାଇଲୁଣି? ପ୍ରଶ୍ନ ତାକୁ କୋଟି ବ୍ରହ୍ମାଣ୍ଡର ଖୁସି ପ୍ରଦାନ କରେ ।

ତଥାପି ଏ ଦୁନିଆ କେବେବି ଜଣେ ମାଆଙ୍କ ସଂଘର୍ଷ, ପ୍ରେମ ଏବଂ ଶକ୍ତିକୁ ସମ୍ପୂର୍ଣ୍ଣ ଭାବରେ ବୁଝିପାରିବ ନାହିଁ। ତେଣୁ ଜଣେ ମାଆଙ୍କୁ ସ୍ୱତନ୍ତ୍ର ଅନୁଭବ କରାଇବା ପାଇଁ ମାଆ ଦିବସଠାରୁ ଭଲ ଅବସର ବା କ’ଣ ଅଛି। ପ୍ରତ୍ୟେକ ମାଆ ନିଜ ସନ୍ତାନଙ୍କ ଖୁସି ପାଇଁ ପ୍ରତ୍ୟେକ ଦାୟିତ୍ୱ ନିସ୍ୱାର୍ଥପର ଭାବରେ ପାଳନ କରନ୍ତି। ତେଣୁ ବର୍ଷର ଏହି ବିଶେଷ ଦିନ ତାଙ୍କ ସ୍ନେହ, ତ୍ୟାଗ ଏବଂ ପ୍ରେମ ପାଇଁ ଆମର ହୃଦୟସ୍ପର୍ଶୀ କୃତଜ୍ଞତା ପ୍ରକାଶ କରିବାର ଏକ ଭଏ ସୁଯୋଗ ପ୍ରଦାନ କରେ। ତେଣୁ ତାକୁ ହାତ ଛଡା କର ନାହିଁ ।

Leave A Reply

Your email address will not be published.