Latest Odisha News

BREAKING NEWS

ଭିନ୍ନକ୍ଷମ ସଶକ୍ତିକରଣ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ; ଦକ୍ଷତା ବିକାଶ, ତାଲିମ ଓ ନିଯୁକ୍ତି ଉପରେ ଗୁରୁତ୍ୱ

ଭୁବନେଶ୍ୱର: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଦୃଷ୍ଟିବାଧିତମାନଙ୍କ ସଶକ୍ତିକରଣକୁ ଦୃଷ୍ଟିରେ ରଖି ଆଜି ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏଥିରେ ଦକ୍ଷତା ବିକାଶ, ତାଲିମ ଓ ନିଯୁକ୍ତି ଉପରେ ଗୁରୁତ୍ୱାରୋପ କରାଯାଇଛି । ଏକ ତ୍ରୀପାକ୍ଷିକ ବୁଝାମଣାରେ ପହଞ୍ଚିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଦିଲ୍ଲୀ ଆଇଆଇଟି ଅଧିନସ୍ଥ ଆସିସ୍‌ଟେକ୍‌ ସଂସ୍ଥା ଓ ସେ୍ୱଚ୍ଛାସେବୀ ସଂଗଠନ ‘ସକ୍ଷମ’ । ଆସିସ୍‌ଟେକ୍‌ ଓ ସକ୍ଷମ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ଶିକ୍ଷା, ଜୀବନଜୀବିକା ଓ ସ୍ୱାଧୀନ ଜୀବନଧାରା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ କାର୍ଯ୍ୟ କରିବ ।

ଏହି ଦୁଇ ସଂସ୍ଥା ଦୃଷ୍ଟିବାଧିତଙ୍କ ପାଇଁ ଥିବା ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ ଶିକ୍ଷକଙ୍କୁ ମଧ୍ୟ ତାଲିମ ଦେବେ । ବୁଝାମଣା ଅନୁସାରେ ତିନି ବର୍ଷ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ବିଭାଗ ଅଧିନସ୍ଥ ୬ଟି ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନରେ କାର୍ଯ୍ୟ ଆରମ୍ଭ ହେବ । ପରେ ଏହାକୁ ସଂପ୍ରସାରିତ କରାଯିବ । ଭିନ୍ନକ୍ଷମମାନଙ୍କ ପାଇଁ ନଲେଜ୍‌ ପାର୍ଟନର ଭାବରେ ଏହି ସଂସ୍ଥାଦ୍ୱୟ କାର୍ଯ୍ୟକରିବେ ବୋଲି ବୁଝାମଣାପତ୍ରରେ ଉଲ୍ଲେଖ କରାଯାଇଛି ।

ଦ୍ୱିତୀୟ ବୁଝାମଣାପତ୍ରଟି ବିଭାଗ ଓ ଭାରତୀୟ ବିଦ୍ୟା ଭବନର ଭୁବନେଶ୍ୱର ଶାଖା ମଧ୍ୟରେ ସଂପାଦିତ ହୋଇଛି । ତିନି ବର୍ଷ ପାଇଁ ବଳବତ୍ତର ରହିବାକୁ ଥିବା ଏହି ବୁଝାମଣାରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ତାଲିମ ଦେବା ଓ ସେମାନଙ୍କ ଦକ୍ଷତା ବିକାଶରେ ସହାୟତା ଯୋଗାଇଦେବା ପାଇଁ ଭବନ କାର୍ଯ୍ୟ କରିବ । ଭିନ୍ନକ୍ଷମଙ୍କୁ ବିଭିନ୍ନ ଦାପ୍ତରିକ, ପର୍ଯ୍ୟଟନ ଓ ପରିଚର୍ଯ୍ୟା କ୍ଷେତ୍ରରେ ନିଯୁକ୍ତି ନିମନ୍ତେ ସୁଯୋଗ ସୃଷ୍ଟି କରାଯିବା ଉପରେ ଭବନ ଗୁରୁତ୍ୱ ଦେବ ।

ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି ଯେ ଏପରି ବୁଝାମଣା ବଳରେ ଭିନ୍ନକ୍ଷମମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ଆହ୍ୱାନର ମୁକାବିଲା କରାଯାଇପାରିବ । ଦକ୍ଷତା ବିକାଶ ବଳରେ ଭିନ୍ନକ୍ଷମମାନଙ୍କୁ ସାମାଜିକ ସ୍ରୋତରେ ଅଂଶୀଦାର ହେବା ପାଇଁ ସଶକ୍ତ କରାଯାଇପାରିବ ବୋଲି ସେ କହିଛନ୍ତି ।

ବିଭାଗର ନିର୍ଦ୍ଦେଶିକା ନିୟତି ପଟ୍ଟନାୟକ ଉଭୟ ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିବାବେଳେ ପ୍ରଥମଟିରେ ପ୍ରଫେସର ମଧୁସୂଦନ ରାଓ ଓ ଦୀପେନ୍ଦ୍ର ମାନୋଚା ସ୍ୱାକ୍ଷର କରିଥିଲେ । ଭାରତୀୟ ବିଦ୍ୟା ଭବନ ସହିତ ହୋଇଥିବା ବୁଝାମଣାପତ୍ରରେ ଭବନ ପକ୍ଷରୁ ବରିଷ୍ଠ ନିର୍ଦ୍ଦେଶକ ପ୍ରଫେସର ଆର୍‌ ଏନ୍‌ ପଟ୍ଟନାୟକ ଏବଂ ଉପାଧ୍ୟକ୍ଷ କର୍ଣ୍ଣେଲ ଶ୍ରୀପ୍ରକାଶ ପାଣି ସ୍ୱାକ୍ଷର କରିଥିଲେ । ବିଭାଗର ସ୍ୱତନ୍ତ୍ର ସଚିବ ଦିଲ୍ଲୀପ କୁମାର ରାୟଙ୍କ ସମେତ ବରିଷ୍ଠ ଅଧିକାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.