Latest Odisha News

BREAKING NEWS

ଏମପିରେ ଆଗୁଆ ପୋଷ୍ଟାଲ ଭୋଟ ଗଣି ଫସିଗଲା ପ୍ରଶାସନ !

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ଆଗୁଆ ପୋଷ୍ଟାଲ ଵାଲଟ ଖୋଲିବା ପ୍ରସଙ୍ଗକୁ ନେଇ ବିବାଦ ଥମିବାର ନାଁ ଧରୁନି। ଏମପିର ଵାଲାଘାଟରେ ଘଟିଥିବା ଏହି ଘଟଣାକୁ ନେଇ ରାଜନୀତି ତୀଵ୍ର ହେବା ସହ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି।

ଏହି ଘଟଣା ପାଇଁ ଏସଡିଏମ ଗୋପାଳ ସୋନିଙ୍କୁ ନିଲମ୍ବିତ କରାଯାଇଛି। ତାଙ୍କ ସ୍ଥାନରେ ଡେପୁଟି କଲେକ୍ଟର ରାହୁଲ ନାୟକଙ୍କୁ ଦାୟିତ୍ୱ ଦିଆଯାଇଛି।

ଏହା ପୁର୍ବରୁ ନୋଡାଲ ଅଧିକାରୀ ତହସିଲଦାର ହିମ୍ମତ ସିଂଙ୍କୁ ନିଲମ୍ବିତ କରାଯାଇଥିଲା। ଏବେ ସୋନିଙ୍କୁ ନିଲମ୍ବିତ କରାଯାଇଛି। ଏ ସମ୍ପର୍କିତ ରିପୋର୍ଟ କେନ୍ଦ୍ରୀୟ ନିର୍ବାଚନ କମିଶନଙ୍କୁ ପଠାଯାଇଛି।

ସେପଟେ ଏଭଳି ଘଟଣା ପାଇଁ କଂଗ୍ରେସ ବାଲାଘାଟ ଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରୁଛି। ଭୋଟ ଗଣତିକୁ ଆଉ ମାତ୍ର ଦୁଇଦିନ ବାକି ଥିବା ବେଳେ ଅଧିକାରୀ ମାନେ ସଠିକ ଭାବେ ଦାୟିତ୍ୱ ତୁଲାଇବାକୁ ଆହ୍ୱାନ ଦେଇଛି କଂଗ୍ରେସ।

ଏମପିର ଜନତା ନିଜର ମତ ଦେଇଛନ୍ତି ତେଣୁ ତାକୁ ବଦଳାଇବାର ପ୍ରୟାସ ବରଦାସ୍ତ କରାଯିବ ନାହିଁ ବୋଲି କଂଗ୍ରେସ ଚେତାଇ ଦେଇଛି। ସେପଟେ ନିର୍ବାଚନ ଅଧିକାରୀ ଅନୁପମ ରାଜନଙ୍କ କହିବା କଥା ପୋଷ୍ଟାଲ ବାଲଟର କୌଣସି ଗଣତି ହୋଇନାହିଁ। କେବଳ ଏହାର ସର୍ଟିଙ୍ଗ କରାଯାଉଥିଲା। ତେଣୁ ଏହାକୁ ଏକ ପ୍ରକ୍ରିୟାତ୍ମକ ତ୍ରୁଟି ବୋଲି କହିଛନ୍ତି ଅଧିକାରୀ।

ସେପଟେ ଏହି ଘଟଣାକୁ ନେଇ ବିଜେପି ପ୍ରଦେଶ ସଭାପତି ବିଡ଼ି ଶର୍ମା କହିଛନ୍ତି କି ଘଟଣା ପଦାକୁ ଆସିବା ପରେ ପ୍ରଶାସନ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେଉଛି।

ସେପଟେ ଏ ପ୍ରସଙ୍ଗକୁ ନେଇ ଆଇଏଏସ ଶୈଳବାଳା ମାର୍ଟିନ ଏକ ବଡ଼ ପ୍ରଶ୍ନ ଉଠାଇଛନ୍ତି। ଯାହାକି ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ପ୍ରମୋଟ ହୋଇ ଆଇଏଏସ ହୋଇଥିବା ଶୈଳବାଳା ଏକ ଟ୍ୱିଟକୁ ରିଟ୍ୱିଟ କରି ଲେଖିଛନ୍ତି କି ପୋଷ୍ଟାଲ ବାଲଟ ସର୍ଟିଙ୍ଗ ଷ୍ଟ୍ରଙ୍ଗ ରୁମରେ ରଖିବା ପୂର୍ବରୁ କରାଯାଏ।

ତେଣୁ ଷ୍ଟ୍ରଙ୍ଗ ରୁମ ଖୋଲିବା ପ୍ରସଙ୍ଗ ଜିଲ୍ଲା ନିର୍ବାଚନ ଅଧିକାରୀ ନ ଜାଣିବା ଅତ୍ୟନ୍ତ ସାଙ୍ଘାତିକ କଥା ବୋଲି ସେ କହିଛନ୍ତି। ଯାହାକି ସିଧା ଭର୍ତ୍ତି ହୋଇଥିବା ଆଇଏଏସ ଅଧିକାରୀଙ୍କ କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନଚିହ୍ନ ଲଗାଉଛି ବୋଲି ସେ କହିଛନ୍ତି।

ମାର୍ଟିନଙ୍କ ଏହି ମନ୍ତବ୍ୟ ପ୍ରମୋଟି ଓ ଡ଼ାଇରେକ୍ଟ ଆଇଏଏସଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧକୁ ଆହୁରି ତୀଵ୍ର କରିଛି। ତେଣୁ ଷ୍ଟ୍ରଙ୍ଗ ରୁମରେ ଏଭଳି ଘଟଣାକୁ ନେଇ ବିବାଦ ତୀଵ୍ର ହେଉଥିବା ବେଳେ ଏହା ବ୍ୟାପକ ହେବାରେ ଲାଗିଛି।

ତେଣୁ ଭୋଟ ଗଣତି ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଥିବା ବେଳେ ଏମପିରେ ଏଭଳି ଏକ ଘଟଣା ଚର୍ଚ୍ଚାର ବଡ଼ ପ୍ରସଙ୍ଗ ପାଲଟିଛି।

Leave A Reply

Your email address will not be published.