କୌଣସି ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଜଣେ ବିଧାୟକ କିମ୍ବା ସାଂସଦ, ଅଯୋଗ୍ୟ ଘୋଷିତ ହୋଇ ସେମାନଙ୍କ ପଦ ହରାଇଥାନ୍ତି। ମାନେ, ସେମାନଙ୍କ ବିଧାୟକ କିମ୍ବା ସାଂସଦ ପଦ ରଦ୍ଦ ହୋଇଯାଏ । ସମ୍ବିଧାନ ପ୍ରଣୟନ ପରଠାରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇ ଆସୁଛି। ନିକଟରେ କେରଳ ୱାୟନାଡ଼ ଲୋକସଭା ଆସନରୁ ସାଂସଦ ଥିବା ରାହୁଲ ଗାନ୍ଧୀଙ୍କୁ ଗୁଜୁରାଟ ସୁରଟ କୋର୍ଟ, ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇବା ପରେ ତାଙ୍କ ସଦସ୍ୟତାକୁ ଅଯୋଗ୍ୟ ଘୋଷିତ କରାଯାଇଛି। ଯଦି ସଂଖ୍ୟାକୁ ଦେଖିବା ତାହେଲେ ୧୯୫୧ ମସିହାପରଠାରୁ ଏଯାବତ୍ ୧୬ ଜଣ ସାଂସଦଙ୍କୁ ବିଭିନ୍ନ ମାମଲାରେ ଲୋକସଭା ଏବଂ ରାଜ୍ୟସଭା ସଦସ୍ୟତା ହରାଇବାକୁ ପଡ଼ିଛି। ଯେଉଁଥିରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ତଥା ଆଇରନ ଲେଡି ଭାବରେ ପରିଚିତ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ନାଁ ମଧ୍ୟ ରହିଛି । ତେବେ ଲୋକସଭା ସଦସ୍ୟତା ହରାଇଥିବା ପ୍ରଥମ ସାଂସଦ ହେଉଛନ୍ତି ଏଚ୍.ଜି ମୁଦଗଲ।
୨୫ ସେପ୍ଟେମ୍ବର ୧୯୫୧ରେ କଂଗ୍ରେସ ସାଂସଦ ଏଚ୍.ଜି ମୁଦଗଲ ଉପରେ ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଜଣେ ବ୍ୟବସାୟୀଙ୍କଠାରୁ ଟଙ୍କା ନେବାର ଗୁରୁତର ଅଭିଯୋଗ ଆସିଥିଲା। ଯାହାର ଏକ ଷ୍ଟିଙ୍ଗ୍ ଅପରେସନ୍ ମଧ୍ୟ ପ୍ରଘଟ ହୋଇଥିଲା ।ଏହାପରେ କଂଗ୍ରେସ ସାଂସଦ ଏଚ୍.ଜି ମୁଦଗଲଙ୍କ ବିରୋଧରେ ଆସିଥିବା ଉପରେ ଏକ ସ୍ୱତନ୍ତ୍ର ସଂସଦୀୟ ଅନୁସନ୍ଧାନ କମିଟି ଗଠନ କରାଯାଇଥିଲା ଓ ସଂସଦରେ ଏହା ଉପରେ ବିତର୍କ ମଧ୍ୟ ହୋଇଥିଲା । ଏଥିରେ ନିଜେ ମୁଦଗାଲ ମଧ୍ୟ ଭାଗ ନେଇଥିଲେ କିନ୍ତୁ ମୁଦଗାଲଙ୍କୁ ହଟାଇବା ପ୍ରସ୍ତାବରେ ମତଦାନ ହେବା ପୂର୍ବରୁ ସେ ଇସ୍ତଫା ଦେଇଦେଇଥିଲେ। ସେପଟେ ସଂସଦୀୟ ଅନୁସନ୍ଧାନ କମିଟି ଏହି ପ୍ରସଙ୍ଗରେ ୩୮୭ ପୃଷ୍ଠାର ଏକ ରିପୋର୍ଟ ପ୍ରଦାନ ସହ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା । ରିପୋର୍ଟରେ ସ୍ପଷ୍ଟ ହୋଇଥିଲା ଏଚ.ଜି ମୁଦଗଲ ଜଣେ ସାଂସଦ ହୋଇ ସଂସଦର ସମ୍ମାନ ହ୍ରାସ କରିବା ସହ ସଂସଦର ନୈତିକତା ବିରୋଧରେ କାର୍ଯ୍ୟ କରିଛନ୍ତି। ଗୁରୁତର କଥା ହେଲା ମୁଦଗଲ କେବଳ ପ୍ରଶ୍ନ ବଦଳରେ ଆର୍ଥିକ ଲାଭ ପାଇନାହାଁନ୍ତି ବରଂ ତାଙ୍କୁ ମହଙ୍ଗା ଜିନିଷ ମଧ୍ୟ ପ୍ରଦାନ କରାଯାଇଛି। ସେପଟେ କିନ୍ତୁ ପ୍ରଥମେ ଏସବୁକୁ ଏଚ.ଜି ମୁଦଗଲ ଅସ୍ୱୀକାର କରିଥିଲେ ହେଁ ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ସାମ୍ନାରେ ଭୂଲ ସ୍ୱୀକାର କରିଥିଲେ । ସଂସଦୀୟ ଅନୁସନ୍ଧାନ କମିଟି ରିପୋର୍ଟ ଆଧାରରେ ଏଚ୍.ଜି ମୁଦଗଲଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ସହ ତାଙ୍କର ସଦସ୍ୟତା ରଦ୍ଦ କରାଯାଇଥିଲା।
ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଏହି ଘଟଣା ଉପରେ ପ୍ରତିକ୍ରିୟା ରଖି ସେତେବେଳେ କହିଥିଲେ ଯେ, ଯଦି ଏଭଳି ମାମଲାରେ ସଂସଦ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ତାହେଲେ ଜନସାଧାରଣଙ୍କ ପାଖକୁ ଏକ ଭୁଲ ବାର୍ତ୍ତା ଯିବ।
୧୯୭୬ ମସିହା ୧୫ ନଭେମ୍ବରରେ ଦେଶ ବାହାରେ ସଂସଦ ବିଷୟରେ ଭୁଲ ମନ୍ତବ୍ୟ ଦେଇଥିବାରୁ ତତ୍କାଳୀନ ସାସଂଦ ସୁବ୍ରମଣ୍ୟମ ସ୍ୱାମୀଙ୍କୁ ରାଜ୍ୟସଭାରୁ ବହିଷ୍କାର ସମେତ ତାଙ୍କର ସଦସ୍ୟତା ବାତିଲ କରାଯାଇଥିଲା।
ସେହିପରି ୧୯୭୭ ମସିହା ୧୮ ନଭେମ୍ବରରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ, ନିଜ ପଦର ଅପବ୍ୟବହାର ତଥା ଏକାଧିକ ଅନ୍ୟ ଅଭିଯୋଗ ଭିତ୍ତିରେ ଅବିଶ୍ୱାସ ପ୍ରସ୍ତାବ ଅଣାଯାଇଥିଲା। ଏହାପରେ ଏନେଇ ଏକ ସ୍ୱତନ୍ତ୍ର ସଂସଦୀୟ ଅନୁସନ୍ଧାନ କମିଟି ଗଠନ କରାଯାଇଥିଲା। କମିଟି ପକ୍ଷରୁ ଦାଖଲ କରାଯାଇଥିବା ରିପୋର୍ଟ ତାଙ୍କ ବିରୋଧରେ ଆସିଥିବାରୁ ଇନ୍ଦିରାଙ୍କର ସଦସ୍ୟତା ଛଡ଼ାଇ ନିଆଯାଇଥିଲା।
୨୦୦୫ ମସିହାରେ କୋବ୍ରା ପୋଷ୍ଟ ପକ୍ଷରୁ କରାଯାଇଥିବା ଷ୍ଟିଙ୍ଗ୍ ଅପରେସନ୍ ମାଧ୍ୟମରେ ସାମ୍ନାକୁ ଆସିଥିଲା ନୋଟ ଫର କ୍ୱେରିଜ ମାମଲା । ଯେଉଁଥିରେ ୧୦ ଜଣ ଲୋକସଭା ଏବଂ ଜଣେ ରାଜ୍ୟସଭା ସାଂସଦ ରହିଥିଲେ। ଏହାପରେ କଂଗ୍ରେସ ସାଂସଦ ପୱନ କୁମାର ବଂସଲଙ୍କ ନେତୃତ୍ୱରେ ଲୋକସଭାରେ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଥିଲା। କମିଟି ୧୦ ଜଣ ଲୋକସଭା ସାଂସଦଙ୍କ ବିରୋଧରେ ଯାଞ୍ଚ କରିବା ପରେ ଏହି ମାମଲା ସତ୍ୟ ବୋଲି ଜଣାପଡିଥିଲା। ତେଣୁ ଏହି ସାଂସଦଙ୍କୁ ଲୋକସଭା ଏବଂ ରାଜ୍ୟସଭା ଗୃହରୁ ହଟାଇବାକୁ କମିଟି ସୁପାରିଶ କରିଥିଲା। ପରେ ସଂସଦରେ ୨୦୦୫, ୨୪ ଡିସେମ୍ବରରେ ଭୋଟିଂ ପରେ ଏହି ସମସ୍ତ ସାଂସଦଙ୍କୁ ବରଖାସ୍ତ କରାଯାଇଥିଲା। ଯେଉଁ ସାସଂଦମାନେ ଟଙ୍କା ନେଇ ପ୍ରଶ୍ନ ପଚାରିବା ଅଭିଯୋଗରେ ଲୋକସଭାରୁ ବହିଷ୍କୃତ ହୋଇଥିଲେ, ସେମାନଙ୍କ ମଧ୍ୟରେ ୬ ଜଣ ବିଜେପି ଏବଂ ୩ ବିଏସପି ସାଂସଦ ଥିବାବେଳେ ଆରଜେଡି ଏବଂ କଂଗ୍ରେସ ଦଳରୁ ଜଣେ ଲେଖାଁଏ ସାଂସଦ ରହିଥିଲେ। ସେମାନେ ହେଉଛନ୍ତି; ୱାଇ.ଜି ମହାଜନ (ବିଜେପି), ଛତ୍ରପାଲ ସିଂ ଲୋଢା (ବିଜେପି), ଆନ୍ନା ସାହେବା ଏମ.କେ ପାଟିଲ (ବିଜେପି), ମନୋଜ କୁମାର (ଆରଜେଡି), ଚନ୍ଦ୍ର ପ୍ରତାପ ସିଂ (ବିଜେପି), ରାମସେବକ ସିଂହ (କଂଗ୍ରେସ), ନରେନ୍ଦ୍ର କୁମାର କୁଶୱାୱା (ବିଏସପି), ପ୍ରଦୀପ ଗାନ୍ଧୀ (ବିଜେପି), ସୁରେଶ ଚନ୍ଦେଲ (ବିଜେପି), ଲାଲ ଚନ୍ଦ୍ର କୋଲ (ବିଏସପି) ଏବଂ ରାଜା ରାମପାଲ (ବିଏସପି)।
ସେହିପରି ୨୦୧୬ରେ ବ୍ୟାଙ୍କ ଦ୍ୱାରା ଋଣ ଖିଲାପକାରୀ ହେବା ପରେ ଲଣ୍ଡନ ପଳାୟନ କରିଥିଲେ ଶିଳ୍ପପତିରୁ ସାସଂଦ ହୋଇଥିବା ବିଜୟ ମାଲ୍ୟା। ସଂସଦର ନୈତିକ କମିଟି ଏହାକୁ ସାଂସଦଙ୍କ ସମ୍ମାନ ହ୍ରାସ କରିବାର ମାମଲା ଭାବେ ଗ୍ରହଣ କରିବାପରେ ତାଙ୍କୁ ରାଜ୍ୟସଭାରୁ ବହିଷ୍କାର କରାଯାଇଥିଲା।
Comments are closed.