ପୁରୀ: ଶାସ୍ତ୍ରୀୟ ତିଥି ଓ ସୂର୍ଯ୍ୟୋଦୟ କାଳ ଅନୁଯାୟୀ ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା ଓ ରଥଯାତ୍ରା କରିବାକୁ ଗଜପତି ମହାରାଜାଙ୍କୁ ଚିଠି ଲେଖିଲେ ମୁକ୍ତିମଣ୍ଡପ ପଣ୍ଡିତସଭା । ସ୍କନ୍ଦ ପୁରାଣ, ବ୍ରହ୍ମ ପୁରାଣ, ପଦ୍ମ ପୁରାଣ, ନୀଳାଦ୍ରି ମହୋତ୍ସବ ଏବଂ ବାମଦେବ ସଂହିତା ଭଳି ପ୍ରାମାଣିକ ଶାସ୍ତ୍ରକୁ ଆଧାର କରି ଏହି ନିଷ୍ପତ୍ତି ନିଆଯାଇଥିବା ଚିଠିରେ ଉଲ୍ଲେଖ ରହିଛି ।
ସ୍କନ୍ଦ ପୁରାଣ ଅନୁଯାୟୀ, ଜ୍ୟେଷ୍ଠ-ପୂର୍ଣ୍ଣିମା ତିଥି ହିଁ ମହାପ୍ରଭୁଙ୍କର ପବିତ୍ର “ଜନ୍ମଦିନ” ଓ ଏହା ‘ମହା-ସ୍ନାନ’ ଭାବେ ପାଳିତ ହୁଏ । ଏହା କେବଳ ସୂର୍ଯ୍ୟୋଦୟ ସମୟକୁ ଭୋଗ କରୁଥିବା ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ହିଁ ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ରଥଯାତ୍ରା ଏକ ଶାସ୍ତ୍ରୀୟ ‘ନବଦିନାତ୍ମକ ଯାତ୍ରା’ । ଏହା ଆଷାଢ଼ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରୁ ଆରମ୍ଭ ହୋଇ ଆଷାଢ଼ ଶୁକ୍ଳ ଦଶମୀ ତିଥିରେ ବାହୁଡ଼ା ଯାତ୍ରା ସହ ସମାପ୍ତ ହୋଇଥାଏ ।
ଯଦି କୌଣସି ତିଥି ଲଗାତାର ଦୁଇଦିନ ପଡ଼ିଥାଏ, ତେବେ ‘ନିର୍ଣ୍ଣୟ ସିନ୍ଧୁ’ ଅନୁସାରେ ଯେଉଁଦିନ ଉକ୍ତ ତିଥି ସୂର୍ଯ୍ୟୋଦୟ ଭୋଗକାଳକୁ ପ୍ରାପ୍ତ ହୁଏ, ସେହିଦିନ ହିଁ ଉତ୍ସବ ପାଳନ କରାଯିବା ଶାସ୍ତ୍ରସମ୍ମତ। ଲୋକଙ୍କ ସୁବିଧା ପାଇଁ ଶାସ୍ତ୍ରୀୟ ତିଥିର ବ୍ୟତିକ୍ରମ ଗ୍ରହଣୀୟ ନୁହେଁ ବୋଲି ମୁକ୍ତିମଣ୍ଡପ ପଣ୍ଡିତସଭା ପକ୍ଷରୁ କୁହାଯାଇଛି ।
ଏହା ସହ ଭାରତ ଏବଂ ଭାରତ ବାହାରେ ପ୍ରତିଷ୍ଠିତ ସମସ୍ତ ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ଏହି ତିଥି ନିର୍ଣ୍ଣୟ ପ୍ରକ୍ରିୟା ବାଧ୍ୟତାମୂଳକ । ବିଶ୍ୱର ଯେକୌଣସି ସ୍ଥାନରେ ଯାତ୍ରା ହେଲେ ମଧ୍ୟ, ସେହି ସ୍ଥାନର ସୂର୍ଯ୍ୟୋଦୟ ସମୟର ଉଦୟକାଳୀନ ତିଥିକୁ ବିଚାରକୁ ନେଇ ସ୍ନାନ ଓ ରଥଯାତ୍ରାର ଦିନାଙ୍କ ନିର୍ଣ୍ଣୟ କରାଯିବା ଆବଶ୍ୟକ ବୋଲି କୁହାଯାଇଛି ।