Latest Odisha News

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ମୁହଁ ଖୋଲିଲେ ‘ରହସ୍ୟମୟୀ’ ଯୁବତୀ

ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ଆସିଛି ନୂଆ ମୋଡ । ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଘେରରେ ଥିବା ସାଇକୋ ଲେଡି ଏବେ ସାମ୍ନାକୁ ଆସିଛନ୍ତି । ଗତ କିଛିଦିନ ହେବ ଆଦିତ୍ୟଙ୍କ ବାପା ଓ ମା ଯେଉଁ ସାଇକୋ ଲେଡିକୁ ନିଜ ପୁଅ ବା ଆଦିତ୍ୟଙ୍କ ମୃତ୍ୟୁର ଦୋଷୀ ଭାବୁଥିଲେ, ସେହି ବାଲେଶ୍ୱରର ରହସ୍ୟମୟୀ ଯୁବତୀ ଚିନ୍ମୟୀ ମହାପାତ୍ର ମୁହଁ ଖୋଲିଛନ୍ତି।

ରହସ୍ୟମୟୀ ଯୁବତୀ କହିଛନ୍ତି ଯେ, ମୁଁ ଆଦିତ୍ୟଙ୍କୁ ଭଲ ପାଉଥିଲି । ଫେସବୁକରେ ଆଦିତ୍ୟଙ୍କ ସହ ପ୍ରେମ ଆରମ୍ଭ ହୋଇଥିଲା । ଆଦିତ୍ୟଙ୍କ ସହ ମୋର ଭଲ ଓ ପବିତ୍ର ସମ୍ପର୍କ ଥିଲା । ଆମ ଦୁହିଁଙ୍କ ଭିତରେ କିଛି ବି ଖରାପ ସମ୍ପର୍କ ନଥିଲା । ଫେସବୁକରୁ ଆମର ସମ୍ପର୍କ ଆରମ୍ଭ ହୋଇଥିବା ବେଳେ ଏହା ୪ରୁ ୫ ମାସ ଯାଏଁ ରହିଥିଲା । କିଛି ସମସ୍ୟା ପାଇଁ ଆମେ ଅଲଗା ହୋଇଗଲୁ । ଆଦିତ୍ୟ ବାହାହେବାକୁ ଚାହୁଁଥିଲେ, କିନ୍ତୁ କିଛି ସମସ୍ୟା ରହିଥିଲା ।

ଏହା ସହ ଯୁବତୀ କହିଛନ୍ତି ଯେ, ବାପାଙ୍କର ନିକଟରେ ମୃତ୍ୟୁ ହୋଇଥିବାରୁ ଘରଲୋକ ବାହାଘର ପାଇଁ ପ୍ରସ୍ତୁତ ନଥିଲେ । ଆଦିତ୍ୟଙ୍କ ସହ ଆଶ୍ରମରେ ୨ ଥର ଦେଖା ହୋଇଥିଲା । ମୋତେ କାହିଁକି ସାଇକୋ ଲେଡି କହୁଛନ୍ତି ତାହା ମୁଁ ଜାଣିନି । ମାର୍ଚ୍ଚ ୫ରେ ମୁଁ ଆଦିତ୍ୟଙ୍କ ଜନ୍ମଦିନରେ ଫୋନ କରିଥିଲି । ଯାହା ସତ ତାହା ସାମ୍ନାକୁ ଆସିବା ଜରୁରୀ । ଅତୀତକୁ ନେଇ ଅଧିକ ଘଣ୍ଟାଚକଟା କରାନଯାଉ । ଏହି ମାମଲାରେ କାହାର ସମ୍ପୃକ୍ତି ଅଛି, ତାହା ପୋଲିସ ଓ କ୍ରାଇମବ୍ରାଞ୍ଚ କହିପାରିବେ । ଅଯଥାରେ ଅନ୍ଧାରରେ ବାଡି ବୁଲାଇଲେ କିଛି ଲାଭ ନାହିଁ । ଦୋଷୀ ଯିଏ, ତାକୁ ସାମ୍ନାକୁ ଅଣାଯିବା ଦରକାର । କ୍ରାଇମବ୍ରାଞ୍ଚ ତଦନ୍ତ କରୁ, ମୁଁ ବି ସାମ୍ନା କରିବାକୁ ପ୍ରସ୍ତୁତ ଅଛି । କ୍ରାଇମବ୍ରାଞ୍ଚ ତଦନ୍ତରେ ଯେତେବେଳେ ବି ଡାକିଲେ ଯିବାକୁ ପ୍ରସ୍ତୁତ ଅଛି ବୋଲି ଯୁବତୀ କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ଆଦିତ୍ୟଙ୍କ ମୃତ୍ୟୁ ପଛରେ ତାଙ୍କ ବାପା ଜଣେ ସାଇକୋ ଲେଡିର ହାତ ଥିବା ନେଇ କିଛି ଦିନ ତଳେ ସନ୍ଦେହ ବ୍ୟକ୍ତ କରିଥିଲେ । ଆଜି ଆଦିତ୍ୟଙ୍କ ମାଆ ମଧ୍ୟ ରହସ୍ୟମୟୀ ଯୁବତୀଙ୍କୁ ନେଇ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ । ଆଦିତ୍ୟଙ୍କ ମୃତ୍ୟୁ ପଛରେ ଏହି ଯୁବତୀଙ୍କ ହାତ ଥିବା ସେ ସନ୍ଦେହ ବ୍ୟକ୍ତି କରିଥିଲେ । ସେପଟେ ଏ ଦିଗରେ କ୍ରାଇମବ୍ରାଂଚ ତଦନ୍ତ କରୁନଥିବାରୁ ଆଦିତ୍ୟଙ୍କ ବାପା ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ ।

Leave A Reply

Your email address will not be published.