Latest Odisha News

ନବକୃଷ୍ଣ ଚୌଧୁରୀ

ନବକୃଷ୍ଣ ଚୌଧୁରୀ

(୧୯୦୧-୧୯୮୪)
କ୍ଷେତ୍ର: ରାଜନୀତି, ଗଣନେତୃତ୍ୱ

ଜନମାନସରେ ଗଭୀର ପ୍ରତିଛବି ଛାଡ଼ିଯାଇଥିବା ଓଡ଼ିଶାର ଅନ୍ୟତମ ବିଶିଷ୍ଟ ଜନନାୟକ ହେଲେ ନବକୃଷ୍ଣ ଚୌଧୁରୀ । ୧୯୦୧ ମସିହା ନଭେମ୍ବର ୨୩ ତାରିଖରେ କଟକର ସ୍ୱରାଜ୍ୟ ଆଶ୍ରମରେ ତାଙ୍କର ଜନ୍ମ । ପ୍ୟାରୀମୋହନ ଏକାଡେମୀରେ ନବକୃଷ୍ଣଙ୍କର ଶିକ୍ଷାରମ୍ଭ ହୋଇଥିଲା । ପିଲାଟିଦିନୁ ନବକୃଷ୍ଣ ନିରାଡ଼ମ୍ବର ଓ ସରଳ ଥିଲେ । ୧୯୧୭ରେ କଲିକତା ବିଶ୍ୱବିଦ୍ୟାଳୟରୁ ଏଣ୍ଟ୍ରାନ୍ସ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଏବଂ ରେଭେନ୍ସାରେ ଆଇ.ଏ. ଓ ବି.ଏ. ପଢ଼ିଲେ । ସେତେବେଳେ ସ୍ୱାଧୀନତା ଆନ୍ଦୋଳନ ଜୋରସୋରରେ ଚାଲିଥିଲା । ଅସହଯୋଗ ଆନ୍ଦୋଳନରେ ଯୋଗଦେଇ ସ୍କୁଲ୍ ବର୍ଜନ କରିଥିବା ଆନ୍ଦୋଳନକାରୀମାନଙ୍କୁ ପାଠ ପଢ଼ାଇବା ପାଇଁ ଅଳକାଶ୍ରମ ଗଠିତ ହେଲା ଓ ସେଠାରେ ନବକୃଷ୍ଣ ଶିକ୍ଷକ ଭାବେ ଯୋଗଦେଲେ । ୧୯୨୩ରେ ସେ ସାବରମତି ଆଶ୍ରମ ଯାତ୍ରା କଲେ ଓ ଗାନ୍ଧିଜୀଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିଲେ । ପରେ ଶାନ୍ତିନିକେତନ ଯାଇ ରବୀନ୍ଦ୍ରନାଥ ଠାକୁରଙ୍କ ମିଶିଥିଲେ ଓ ସେଠାରେ କିଛିକାଳ ଶିକ୍ଷା ଲାଭ କରିଥିଲେ । ୧୯୨୯ରେ ଅନୁଷ୍ଠିତ ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହରେ ଅଂଶ୍ର ଗ୍ରହଣ କଲେ ନବକୃଷ୍ଣ ଓ ବିଭିନ୍ନ ଅଂଚଳ ବୁଲି ସତ୍ୟାଗ୍ରହୀ ସଂଗ୍ରହ କଲେ । ଚୌକିଦାର ଟିକସ ବିରୋଧରେ ଆନ୍ଦୋଳନ କରି ସେ ପ୍ରଥମ କାରାଦଣ୍ଡ ବରଣ କଲେ । ୧୯୩୦ରେ ଜେଲ୍ରୁ ଖଲାସ୍ ହେଇ ଜାତୀୟ କଂଗ୍ରେସ୍ ଅଧିବେଶନ ପାଇର୍ ସ୍ୱେଚ୍ଛାସେବୀ ପ୍ରଶିକ୍ଷଣ କାର୍ଯ୍ୟରେ ନିୟୋଜିତ ହେଲେ । ନବକୃଷ୍ଣ ଥିଲେ ସାମ୍ୟବାଦୀ ଚିନ୍ତାଧାରାର ସ୍ତାବକ । ୧୯୩୩ରେ ଓଡ଼ିଶା କଂଗ୍ରେସ୍ ମଧ୍ୟରେ ଦେଶର ସର୍ବପ୍ରଥମ ‘କଂଗ୍ରେସ୍ ସମାଜବାଦୀ ସଂଘ’ ପ୍ରତିଷ୍ଠା ହେଲା ଓ ତାର ମୁଖ୍ୟ ରହିଲେ ନବକୃଷ୍ଣ । ସେ ସମୟରେ ତାଙ୍କ ସଂପାଦନାରେ ପ୍ରକାଶ ପାଇଲା ବୈପ୍ଳବିକ ପତ୍ରିକା ‘ସାରଥି’ । କୃଷକ ଆନ୍ଦୋଳନର ମଧ୍ୟ ସୂତ୍ରପାତ କଲେ ସେ । ୧୯୩୭ରେ ନୂତନ ଓଡ଼ିଶା ବିଧାନସଭା ନିର୍ବାଚନରେ ତିର୍ତ୍ତୋଲ ଏରସମା ନିର୍ମାଚନ ମଣ୍ଡଳୀରୁ ସେ ନିର୍ବାଚିତ ହେଲେ ମଧ୍ୟ ଦଳର ଆଦର୍ଶ ଅନୁଯାୟୀ କୌଣସି ପଦବୀରେ ଅଧିଷ୍ଠିତ ହୋଇନଥିଲେ । ଗଡ଼ଜାତ ପ୍ରଜା ଆନ୍ଦୋଳନ, ଉତ୍କଳ ନବଜୀବନ ମଣ୍ଡଳ ପ୍ରତିଷ୍ଠା, ଭାରତଛାଡ଼ ଆନ୍ଦୋଳନ ଆଦିରେ ସକ୍ରିୟ ଭୂମିକା ନିଭାଇଲେ ନବକୃଷ୍ଣ । ୧୯୪୬ରେ ମହତାବଙ୍କ ମନ୍ତ୍ରିମଣ୍ଡଳରେ ସାମିଲ୍ ହୋଇ ସେ ହେଲେ ଓଡ଼ିଶାର ରାଜସ୍ୱ ମନ୍ତ୍ରୀ । ଶେଷରେ ୧୯୫୦ରେ ନବକୃଷ୍ଣ ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ହେଲେ । ଆଜୀବନ ଶୋଷିତ ଶ୍ରେଣୀର ସପକ୍ଷରେ କାର୍ଯ୍ୟ କରିଥିବା ଏହି ବିଖ୍ୟାତ ଜନନେତା ୨୪ ଜୁନ୍ ୧୯୮୪ରେ ଦେହତ୍ୟାଗ କରିଥିଲେ ।

ଆଲେଖ୍ୟ © ସରୋଜ ବଳ

Leave A Reply

Your email address will not be published.