ଲକ୍ଷ୍ମୀନାରାୟଣ ସାହୁ

ଲକ୍ଷ୍ମୀନାରାୟଣ ସାହୁ

(୧୮୯୦-୧୯୬୩)
କ୍ଷେତ୍ର: ସମାଜସେବା

ସେ କେଉଁ ଧର୍ମର ବୋଲି ପଚାରିଲେ ‘ସେବା ହିଁ ମୋର ଧର୍ମ’ ବୋଲି ଉତ୍ତର ଦେଉଥିବା ଜଣେ ମହାନ ମାନବବାଦୀ ବ୍ୟକ୍ତିତ୍ୱ ହେଲେ ଲକ୍ଷ୍ମୀନାରାୟଣ ସାହୁ । ୧୮୯୦ ଅକ୍ଟୋବର ୩ରେ ବାଲେଶ୍ୱର ସହରରେ ତାଙ୍କର ଜନ୍ମ । ମା’ଙ୍କ ଶାସନ ବାପାଙ୍କ ସାଧୁତା ତାଙ୍କ ଜୀବନକୁ ଶୃଙ୍ଖଳିତ କରି ଗଢ଼ି ତୋଳିଥିଲା । ପ୍ରାଥମିକ ଶିକ୍ଷା ପରେ ପାଠରେ ଡୋରି ବନ୍ଧା ହେଲା ତାଙ୍କର । ବାପାଙ୍କ ମିଠା ଦୋକାନରେ ବସି ତାଙ୍କୁ କାମରେ ସାହାଯ୍ୟ କଲେ । ମାତ୍ର ତ୍ରୈଲୋକ୍ୟ ଘୋଷଙ୍କ ପ୍ରଚେଷ୍ଟାରେ ସେ ପୁଣି ପାଠ ପଢ଼ିଲେ ଓ ପ୍ରଥମ ଶ୍ରେଣୀରେ ମାଟ୍ରିକ୍ ପାଶ୍ କଲେ । ପରେ ରେଭେନ୍ସା କଲେଜ୍ ଓ ଶିବପୁର ଇଞ୍ଜିନିୟରିଂ କଲେଜରେ ପାଠ ପଢ଼ିଥିଲେ ବି ଉତ୍କଟ ଅର୍ଥାଭାବ ହେତୁ ଅଧାରୁ ପାଠ ଛାଡ଼ିଦେଇଥିଲେ ସେ । ୧୯୧୨ରୁ ୧୯୧୬ ଯାଏଁ ସେ କଟକ ମିଶନ ସ୍କୁଲରେ ଶିକ୍ଷକତା କରିଥିଲେ । ମାତ୍ର ଇଂରେଜମାନଙ୍କ ବିରୁଦ୍ଧରେ ମନ୍ତବ୍ୟ ଦେଇ ସେ ଚାକିରିରୁ ନିଲମ୍ବିତ ହୋଇଥିଲେ, ଯାହା ତାଙ୍କ ପାଇଁ ଆଶୀର୍ବାଦ ପାଲଟିଥିଲା । ୧୯୧୭ ଜୁନରେ ଭାରତ ସେବକ ସମିତିରେ କର୍ମୀ ରୂପେ ଯୋଗଦେଇ ସେ କେଦାରନାଥ ବଦ୍ରିନାଥର ଦୁର୍ଭିକ୍ଷ ପ୍ରପୀଡ଼ିତ ଅଞ୍ଚଳରେ ସେବା କାର୍ଯ୍ୟ ଆରମ୍ଭ କଲେ । ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ନିତ୍ୟାନନ୍ଦ କାନୁନଗୋ ପ୍ରମୁଖ ଯୁବକମାନେ ତାଙ୍କ ଦ୍ୱାରା ପ୍ରଭାବିତ ଓ ଅନୁପ୍ରାଣିତ ହୋଇ ‘ଉତ୍କଳ ସେବା ସମିତି’ ଗଢ଼ିଥିଲେ ଓ ସେଠାରେ ସମବାୟ ଭଣ୍ଡାର, ପାଠାଗାର ଆଦିର ପରିଚାଳନା କରିଥିଲେ । ସେ ଜାତିପ୍ରଥା ଓ ସାଂପ୍ରଦାୟିକତାର ଘୋର ବିରୋଧୀ ଥିଲେ । ୧୯୪୬ରୁ ୧୯୫୧ ଯାଏ ସେ ସମ୍ବିଧାନ ବିଧାୟକ ସଭା ଏବଂ ୧୯୪୭ରେ ଓଡ଼ିଶା ବିଧାନସଭାର ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । ମାତ୍ର ଦଳୀୟ ରାଜନୀତି ଓ କ୍ଷମତାଠାରୁ ନିଜକୁ ସର୍ବଦା ଦୂରେଇ ରଖିଥିଲେ । କବିତା, ଉପନ୍ୟାସ, ପ୍ରବନ୍ଧ, ଏକାଙ୍କିକା, ଜୀବନୀ ଆଦି ବିଭାଗରେ ସେ ରଚନା କରିଛନ୍ତି ଶହେରୁ ଅଧିକ ପୁସ୍ତକ । ‘ସହକାର’ ପତ୍ରିକାର ସେ ଥିଲେ ପ୍ରତିଷ୍ଠାତା ସମ୍ପାଦକ । ‘ଦ ଷ୍ଟାର୍ ଅଫ୍ ଉତ୍କଳ’, ‘ବୈତରଣୀ’ ନାମକୁ ଦୁଇଟି ଇଂରାଜୀ ପତ୍ରିକାର ମଧ୍ୟ ସେ ସଂପାଦନା କରିଥିଲେ । ଉତ୍କଳ ସାହିତ୍ୟ ସମାଜର ସମ୍ପାଦକ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ପଦ ମଣ୍ଡନ କରିଥିବା ଲକ୍ଷ୍ମୀନାରାୟଣ ସାହୁ ପଦ୍ମଶ୍ରୀ, ବିଶ୍ୱ ଜୈନ ମିଶନର ‘ଇତିହାସ ରତ୍ନ’ ଏବଂ ଆନ୍ଧ୍ର ଇତିହାସ ପ୍ରତ୍ନତତ୍ତ୍ୱ ସମିତିର ‘ଭାରତ ତୀର୍ଥ’ ଭଳି ବହୁ ଜାତୀୟ ପୁରସ୍କାର ଲାଭ କରିଛନ୍ତି । ୧୯୬୩ ଜାନୁଆରୀ ୧୮ ତାରିଖରେ ଏହି ମହାନ ଆତ୍ମାଙ୍କର ପରଲୋକ ଘଟିଥିଲା ।

ଆଲେଖ୍ୟ © ସରୋଜ ବଳ