Latest Odisha News

BREAKING NEWS

ପୁରୀରେ ଗଡିବ କାହାର ବିଜୟ ରଥ ?

ଭୁବନେଶ୍ବର : ପୁରୀ ଲୋକସଭାରେ ବଡ ଲଢେଇ । ଛଅ ଛଅ ଥର ପୁରୀ ଜିତିଆସିଛି ବିଜେଡି । ତିନିଥର ବ୍ରଜକିଶୋର ତ୍ରିପାଠୀ ତ ତିନିଥର ବିଜେଡିରୁ ବିଜୟୀ ହୋଇଛନ୍ତି ପିନାକୀ ମିଶ୍ର । ତେବେ ଏଥର ପିନାକୀଙ୍କ ଜାଗାରେ ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି ବିଜେଡି । ସେପଟେ ବିଜେପି ଗତଥରର ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ ରିପିଟ୍ କରିଛି। ଗତଥର ୧୨ହଜାରରୁ କମ୍ ଭୋଟରେ ହାରିଥିଲେ ସମ୍ବିତ । ଏଥର ପୁରୀ ବିଜୟ ପାଇଁ ଜାନ୍ ଲଗାଇଛନ୍ତି । ସେପଟେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ଜୟନାରାୟଣ ପଟ୍ଟନାୟକ ।

ପୁରୀରେ ମୋଦି ମ୍ୟାଜିକ୍ !

ପୁରୀ ଦଖଲ ପାଇଁ ବଡଦାଣ୍ଡରେ ନିଜେ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ସକାଳୁ ସକାଳୁ ବଡଦାଣ୍ଡରେ ରୋଡ୍ ଶୋ କରିଛନ୍ତି ମୋଦି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ସହ ଘଣ୍ଟାଏରୁ ଅଧିକ ସମୟ ଧରି ରୋଡ୍ ଶୋ କରିଥିଲେ । କେଉଁଠି ଗୋଟିପୁଅ ତ କେଉଁଠି ଓଡିଶୀ, ମୋଦିଙ୍କ ରୋଡ୍ ଶୋରେ ଓଡିଆ ସଂସ୍କୃତିର ଝଲକ ଦେଖାଇ ବଡ ସନ୍ଦେଶ ଦେଇଛି ବିଜେପି । ସମ୍ବିତଙ୍କ ପାଇଁ ନିଜେ ମୋଦି ପ୍ରଚାର ମଇଦାନକୁ ଓହ୍ଲାଇଥିବା ବେଳେ ଭୋଟରଙ୍କ ମୁଡ ଉପରେ ଏହାର ପ୍ରଭାବ ପଡିପାରେ । କେବଳ ମୋଦି ନୁହେଁ ପୁରୀ ପାଇଁ ମଇଦାନରେ ବିଜେପି ହେଭିଓ୍ବେଟ୍ । ପିପିଲିରେ ହେମାମାଳିନୀ ପ୍ରଚାର କରିଛନ୍ତି ତ କୃଷ୍ଣପ୍ରସାଦରେ ନୀତିନ ଗଡକରୀ ଭୋଟ୍ ମାଗିଛନ୍ତି ।

ବିଜେଡି ଗଡ଼ରେ ପୁଣି ଶଙ୍ଖନାଦ !

ପୁରୀ କବଜା ପାଇଁ ବିଜେପି ରଣନୀତି କରୁଛି ତ ଗଡ ରକ୍ଷା ପାଇଁ ବିଜେଡି ବି ଜୋରଦାର ପ୍ରଚାର କରୁଛି । ବିଜେଡି ନେତା ଭିକେ ପାଣ୍ଡିଆନ୍ ପୁରୀ ଲୋକସଭା କ୍ଷେତ୍ରରେ ମାରାଥନ୍ କ୍ୟାମ୍ପେନିଂ କରିଛନ୍ତି । ଚିଲିକା, ବ୍ରହ୍ମଗିରି, ପିପିଲି, ରଣପୁର ଓ ନୟାଗଡରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ବିଜେପିକୁ ସିଧା ଟାର୍ଗେଟ୍ କରିଛନ୍ତି । ବିଜେପି ପ୍ରତିଶ୍ରୁତିକୁ ଆଙ୍ଗୁଳି ଦେଖାଇ ଗର୍ଜିଛନ୍ତି ପାଣ୍ଡିଆନ ।

ଶ୍ରୀମନ୍ଦିର ପରିକ୍ରମା Vs ରତ୍ନଭଣ୍ଡାର ଚାବି

ବିଜେଡି ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ ପ୍ରୋଜେକ୍ଟ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପର ଶ୍ରେୟକୁ ଭୋଟରେ ରୂପାନ୍ତର କରିବାକୁ ଉଦ୍ୟମ କରୁଛି । ପୁରୀ ବିକାଶର କଥା କହି ଭୋଟରଙ୍କୁ ନିଜ ଆଡକୁ କରିବାକୁ ବିଜେଡି ଉଦ୍ୟମ କରୁଥିବା ବେଳେ ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ଜୋରଦାର କାଉଣ୍ଟର କରିଛି ବିଜେପି । ରତ୍ନଭଣ୍ଡାର ଚାବି କୁଆଡେ ଗଲା? କାହିଁକି ଡୁପ୍ଲିକେଟ୍ ଚାବି କରାଗଲା? ବୋଲି ପ୍ରଶ୍ନ କରିଛନ୍ତି ନିଜେ ପ୍ରଧାନମନ୍ତ୍ରୀ । ଏଥିସହ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିଲେ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବାକୁ ବି ପ୍ରତିଶ୍ରୁତି ଦେଇଛି ବିଜେପି ।

ନବୀନ ବିକାଶ ନା ମୋଦି ଗ୍ୟାରେଣ୍ଟି ?

ପିନାକୀ ମିଶ୍ରଙ୍କ ବଦଳରେ ଏଥର ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି ବିଜେଡି । ମାଟିର ପୁଅ ନାରା, କ୍ଲିନ୍ ଇମେଜର ପ୍ରଶାସନିକ ଭାବେ ଟ୍ରାକ୍ ରେକର୍ଡ ସହ ମଇଦାନରେ ରହିଛନ୍ତି ଅରୂପ । ସେପଟେ ଗତଥର ନିର୍ବାଚନ ହାରିଥିଲେ ବି ପୁରୀରେ ବେଶ୍ ପୂର୍ବରୁ ଆକ୍ଟିଭ୍ ରହିଛନ୍ତି ସମ୍ବିତ। ନିଜେ ଗାଁ ଗାଁ ବୁଲି ଲୋକଙ୍କ ସହ ମିଶିଛନ୍ତି। ଟିକେଟ୍ ଘୋଷଣା ପୂର୍ବରୁ ହିଁ ଗ୍ରାଉଣ୍ଡରେ ଲୋକସଂପର୍କ ରଖିଛନ୍ତି ସମ୍ବିତ । ପୁରୀ ଲଢେଇରେ ଅରୂପ ନବୀନଙ୍କ ବିକାଶମୂଳକ କାମକୁ ଅସ୍ତ୍ର କରିଛନ୍ତି ତ ମୋଦି ଗ୍ୟାରେଣ୍ଟିକୁ ନେଇ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି ସମ୍ବିତ । ସେପଟେ କଂଗ୍ରେସ ପ୍ରଥମେ ସୁଚରିତା ମହାନ୍ତିଙ୍କୁ ପ୍ରାର୍ଥୀ କରିଥିଲା । ପାଣ୍ଠି ଅଭାବରୁ ସେ ଟିକେଟ୍ ଫେରାଇ ଦେବା ପରେ ଜୟନାରାୟଣ ପଟ୍ଟନାୟକଙ୍କୁ ମଇଦାନକୁ ଓହ୍ଲାଇଛି ଦଳ ।

ବିଧାନସଭାରେ କାହାର କେତେ ବଳ ?

ପୁରୀ ଲୋକସଭା ଅଧୀନରେ ଆସୁଥିବା ୭ଟି ବିଧାନସଭା ସିଟ ମଧ୍ୟରୁ ୫ଟିରେ ବିଜେଡି ଓ ୨ଟିରେ ବିଜେପି ବିଧାୟକ ରହିଛନ୍ତି। ପୁରୀ, ବ୍ରହ୍ମଗିରିରେ ବିଜେପି ବିଧାୟକ ଥିବା ବେଳେ ସତ୍ୟବାଦୀ, ପିପିଲି, ଚିଲିକା, ରଣପୁର, ନୟାଗଡରୁ ବିଜେଡି ବିଧାୟକ ରହିଛନ୍ତି । ତେବେ ଏଥର ସମୀକରଣ ବଦଳିଛି । ପୁରୀରେ ମୋଦିଙ୍କ ରୋଡ୍ ଶୋ ପରେ ବିଜେପି ସପକ୍ଷରେ ଯାଇପାରେ ମାହୋଲ୍ । ବ୍ରହ୍ମଗିରି ଓ ସତ୍ୟବାଦୀରେ ପ୍ରାର୍ଥୀ ଅଦଳବଦଳ କରିଛି ବିଜେଡି । ଏହାର ପ୍ରଭାବ ଫଳାଫଳ ଉପରେ ପଡିପାରେ । ଗତଥର ବିଜେଡିରୁ ଚିଲିକା ଜିତିଥିବା ପ୍ରଶାନ୍ତ ଜଗଦ୍ଦେବ ଏବେ ବିଜେପିରେ । ତାଙ୍କ ଜାଗାରେ ରଘୁନାଥ ସାହୁଙ୍କୁ ଭରସା କରିଛି ବିଜେଡି । ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଉପନିର୍ବାଚନ ଜିତିଥିଲେ ରୁଦ୍ର ମହାରଥୀ । ହେଲେ ଏଥର ପିପିଲି ବିଜୟ ସହଜ ହେବନି । ସବୁ ବିଧାନସଭାରେ କଡା ଟକ୍କର ହେବ । ତେଣୁ ପୁରୀରେ ବିଜେଡି ପାଇଁ ଗଡ ରକ୍ଷା ଚ୍ୟାଲେଞ୍ଜ ତ ଜିତିଲେ ବିଜେପି ପାଇଁ ବଡ ଉପଲବ୍ଧି ହେବ।

Leave A Reply

Your email address will not be published.