Latest Odisha News

BREAKING NEWS

କେନ୍ଦ୍ର ସରକାରଙ୍କ ସମସ୍ତ ପ୍ରକଳ୍ପ ଲାଗି ଓଡିଶା ସହଯୋଗ କରିବ: ନବୀନ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାକୁ ଠିକ୍ ସମୟରେ ପୂରଣ କରିବାକୁ ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବେ ବୋଲି ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ପାଇକ ବିଦ୍ରୋହର ମହାନାୟକଙ୍କ ୨ଶହ ବର୍ଷ ପୂର୍ତ୍ତି ଉପଲକ୍ଷେ ଏସମ୍ପର୍କିତ ଏକ ସ୍ମାରକୀ ଡାକଟିକେଟ ଏବଂ ୨ଶହ ଟଙ୍କିଆ ମୁଦ୍ରାକୁ ପ୍ରଧାନମନ୍ତ୍ରୀ ମୋଦି ଉନ୍ମୋଚନ କରିଛନ୍ତି । ରାଜଧାନୀ ଉପକଣ୍ଠରେ ଥିବା ଅରଗୁଳ ସ୍ଥିତ ଆଇଆଇଟି ଭୁବନେଶ୍ୱର କ୍ୟାମ୍ପସ ପରିସରରେ ଭାଷଣ ଦେଇ ମୁଖ୍ୟମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ମହାନ ସ୍ୱାଧୀନତା ସଂଗ୍ରାମୀ ବକ୍ସି ଜଗବନ୍ଧୁ ଉତ୍କଳ ଜନନୀର ମହାନ ସନ୍ତାନ ଥିଲେ । ବୀରମାଟି ଖୋର୍ଦ୍ଧାର ସ୍ୱାଭିମାନ ପାଇଁ ତାଙ୍କ ଲଢ଼ାଇର ତୁଳନା ନାହିଁ । ବ୍ରିଟିଶ୍ ଶାସନ ବିରୋଧରେ ବକ୍ସିଙ୍କ ନେତୃତ୍ୱରେ ପାଇକମାନଙ୍କ ଲଢ଼ାଇଥିଲା ଦେଶର ପ୍ରଥମ ବିଦ୍ରୋହ । ତେଣୁ ଏହାକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦାବିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ର ସରକାରଙ୍କ ନିକଟରେ ପୁଣି ଥରେ ଦୋହରାଇଛନ୍ତି । ଏହା ପାଇକ ମାନଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ହେବ ।

ଏଥିସହିତ ମୋଦି ଉତ୍କଳ ବିଶ୍ୱବିଦ୍ୟାଳୟରେ ବକ୍ସି ଜଗବନ୍ଧୁ ଚେୟାର ପ୍ରତିଷ୍ଠାର ଶୁଭାରମ୍ଭ କରିଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ଧନ୍ୟବାଦ ଜଣାଇଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଆଇଆଇଟି ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଭୁବନେଶ୍ୱର ଆଇଆଇଟି ତାର ୩ଟି ସମାବର୍ତ୍ତନ ଉତ୍ସବ ଦେଖି ସାରିଲାଣି । ଏହା ଦେଶରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ଦଣ୍ଡାୟମାନ ହୋଇପାରିଛି ।

“ଆପଣମାନେ ଦେଶର ବିଭିନ୍ନ ଅଞ୍ଚଳରୁ ଏଠାକୁ କିଛି ଶିଖିବାକୁ ଏବଂ ଜ୍ଞାନର ବୃଦ୍ଧି ନିମେନ୍ତ ଆସିଛନ୍ତି । ଏ ମାଟିର ଆପଣମାନେ ଯୁବ ତଥା ଉର୍ବର ମସ୍ତିଷ୍କ ସମ୍ପନ୍ନ । ମୋର ଏହା ସମ୍ପୂର୍ଣ୍ଣ ବିଶ୍ୱାସ ଭୁବନେଶ୍ୱରର ଶାନ୍ତି ଓ ସୌହାଦ୍ର୍ଦ୍ୟ ଚିର ଦିନ ଯାଏଁ ଆପଣଙ୍କ ସହିତ ରହିଥିବ । ଜ୍ଞାନର ଅଭିବୃଦ୍ଧି ନିମନ୍ତେ ଆପଣମାନଙ୍କର ସମସ୍ତ ସ୍ୱପ୍ନ ତଥା ସମଗ୍ର ଜାତି ଲାଗି ଆପଣଙ୍କର ଜ୍ଞାନ ଓ ଗାରିମା ସଫଳ ହେବା ସହ ଜୀବନର ଉତ୍ତୋରତ୍ତର କାମନା କରୁଛି ବୋଲି ଆଇଆଇଟି ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ କହିଛନ୍ତି ।

Leave A Reply

Your email address will not be published.