Latest Odisha News

BREAKING NEWS

ଆଜି ନବୀନ ପଟ୍ଟନାୟକ ଓ ଜଗନମୋହନ ରେଡ୍ଡୀଙ୍କ ମଧ୍ୟରେ ହେବ ଆଲୋଚନା

ଭୁବନେଶ୍ୱର: ଆଜି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ୍ ଜଗନମୋହନ ରେଡ୍ଡୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ହେବ ଜଗନମୋହନଙ୍କ ଦ୍ୱିପାକ୍ଷିକ ବୈଠକ। ଆଜି ସନ୍ଧ୍ୟା ୫ଟା ୫୦ରେ ଲୋକସେବା ଭବନରେ ହେବାକୁ ଥିବା ବୈଠକରେ ଦୁଇ ପଡ଼ୋଶୀ ରାଜ୍ୟ ମଧ୍ୟରେ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ତାହା ସ୍ପଷ୍ଟ ହୋଇନାହିଁ।

ଅପରାହ୍ନ ୪ଟା ୩୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ। ବିମାନବନ୍ଦରରୁ ସିଧା ନବୀନ ନିବାସ ଯିବେ ଜଗନମୋହନ ରେଡ୍ଡି। ୪ଟା ୪୫ରେ ନବୀନ ନିବାସ ପହଞ୍ଚିବେ। ସନ୍ଧ୍ୟା ୫ଟାରୁ ୭ଟା ଯାଏଁ ଚାଲିବ ଗୁରୁତ୍ୱପୂର୍ଣ୍ଣ ବୈଠକ। ସନ୍ଧ୍ୟା ୭ଟା ୧୫ରେ ଭୁବନେଶ୍ୱର ଛାଡ଼ିବେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ। ଆନ୍ଧ୍ରର ବହୁ ବରିଷ୍ଠ ଅଧିକାରୀମାନେ ମଧ୍ୟ ଆସୁଛନ୍ତି। ବିବାଦ ମଧ୍ୟରେ ଦୁଇ ରାଜ୍ୟ ମଧ୍ୟରେ ଆଲୋଚନା ହେବାକୁ ଯାଉଥିବାରୁ ଏହା ବେଶ ଗୁରୁତ୍ୱ ବହନ କରୁଛି।

ବିଭିନ୍ନ ପ୍ରସଙ୍ଗରେ ବୈଠକରେ ହୋଇପାରେ ଆଲୋଚନା। ତେବେ ବଂଶଧାରା ନଦୀ ଉପରେ ନିର୍ମାଣ ହୋଇଥିବା ନେରେଡ଼ି ବ୍ୟାରେଜ ପ୍ରସଙ୍ଗ ଉପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହେବାର ସମ୍ଭାବନା ରହିଛି। ପ୍ରକଳ୍ପ ପାଇଁ ଓଡ଼ିଶାରୁ ଜମିର ଆବଶ୍ୟକତା ବିସ୍ଥାପିତଙ୍କୁ ଥଇଥାନ ବ୍ୟବସ୍ଥା ଏବଂ ପ୍ରକଳ୍ପ ହେଲେ ଉପୁଜୁଥିବା ସମସ୍ୟାର କିଭଳି ସମାଧାନ ହୋଇପାରିବ ସେନେଇ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ରଖିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହାସହ ପୋଲାଭରମ ପ୍ରସଙ୍ଗ କୋର୍ଟଙ୍କ ବିଚାରଧୀନ ରହିଛି। ଏହି ପ୍ରସଙ୍ଗରେ କିଛି ବୁଝାମଣା ହେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସମ୍ପର୍କ ଦିନକୁ ଦିନ ଉଗ୍ର ରୂପ ନେଇଛି। ଏହି ପ୍ରସଙ୍ଗ ବୈଠକରେ ଆଲୋଚନା ହେବ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି।

Leave A Reply

Your email address will not be published.