Latest Odisha News

BREAKING NEWS

ଓଡିଶା ଓ ଝାଡଖଣ୍ଡ ଉପରେ ନୀତିଶଙ୍କ ଆଖି !

ଭୁବନେଶ୍ୱର: ଦେଶରେ ବିରୋଧୀ ଦଳଗୁଡିକୁ ଏକାଠି କରିବାରେ ଲାଗି ପଡିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ନେଇ ଚର୍ଚ୍ଚା ଆହୁରି ବଢ଼ିବାରେ ଲାଗିଛି। ବିଜେପି ବିରୋଧୀ ଲଢ଼େଇକୁ ନିର୍ଣ୍ଣାୟକ ରୂପ ଦେବା ପାଇଁ ନିଜର ସମସ୍ତ ଶକ୍ତି ଖଟାଇ ଦେଇଛନ୍ତି ନୀତିଶ।

ଏହି କ୍ରମରେ ନୀତିଶ ବିଭିନ୍ନ ରାଜ୍ୟ ବୁଲି ଶାସନରେ ଥିବା ଅଣବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ନେତାଙ୍କୁ ଭେଟିଥିବା ବେଳେ ଏବେ ଝାଡ଼ଖଣ୍ଡ ଓ ଓଡିଶା ଉପରେ ନଜର ପକାଇଛନ୍ତି ବୋଲି କୁହାଯାଉଛି।

ପୂର୍ବରୁ ବିହାର ସହ ମିଶିକି ଥିବା ବିହାର, ଝାଡ଼ଖଣ୍ଡ, ଓଡିଶା ଓ ବେଙ୍ଗଲକୁ ବିଜେପି ବିରୋଧରେ ଶକ୍ତ ଭାବେ ଛିଡା କରିବାକୁ ନୀତିଶ ଯୋଜନା କରୁଥିବା ଆଲୋଚନା ହେଉଛି। ଏହି ଯୋଜନାକୁ ରୂପ ଦେବା ପାଇଁ ନୀତିଶ ଜେଡିୟୁ ସାଂସଦ ଖିରୁ ମହତୋଙ୍କୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପାଖକୁ ଆଲୋଚନା ପାଇଁ ପଠାଇଥିବା କୁହାଯାଉଛି। ଏହା ପରେ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂ ମଧ୍ୟ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି।

ଖୁବ ଶୀଘ୍ର ନୀତିଶ କୁମାର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସମେତ ତାଙ୍କ ବାପା ଶିବୁ ସୋରେନଙ୍କୁ ସାକ୍ଷାତ କରି ଯୋଜନାକୁ ରୂପ ଦେବେ ବୋଲି ଚର୍ଚ୍ଚା ହେଉଛି। ବିଜେପି ବିରୋଧରେ ଥିଲେ ମଧ୍ୟ ଝାଡ଼ଖଣ୍ଡ ମୁକ୍ତି ମୋର୍ଚା କେତେଦୂର ଜେଡିୟୁ ସହ ମିଶି ନିର୍ବାଚନ ଲଢ଼ିବ ତାକୁ ନେଇ ଚର୍ଚା ଆରମ୍ଭ ହୋଇଛି।

ସେପଟେ ଝାଡ଼ଖଣ୍ଡ ସହ ଓଡିଶା ଉପରେ ନୀତିଶଙ୍କ ନଜର ରହିଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୫ ତାରିଖରେ ନୀତିଶ ଭେଟିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏ ନେଇ ସ୍ପଷ୍ଟତା ଆସିନାହିଁ। କିନ୍ତୁ ନବୀନଙ୍କୁ ନୀତିଶ ଭେଟିବେ।

ସେପଟେ ପୂର୍ବରୁ ନୀତିଶ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟି ଆଲୋଚନା କରି ସାରିଥିବା ବେଳେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିବାଲ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ, ବାମପନ୍ଥୀ ନେତା ସୀତାରାମ ୟେଚୁରୀ ଓ ଡି ରାଜାଙ୍କ ସମେତ ଅନ୍ୟ କିଛି ପ୍ରମୁଖ ନେତାଙ୍କୁ ଭେଟି ସାରିଛନ୍ତି।

ପଛୁଆ ବର୍ଗଙ୍କ ଭୋଟକୁ ବିରୋଧୀଙ୍କ ପକ୍ଷକୁ ଆଣିବାକୁ ନୀତିଶ ବିହାର ଓ ଉତ୍ତରପ୍ରଦେଶ ଉପରେ ଫୋକସ କରିଛନ୍ତି। ତେଣୁ ବିଭିନ୍ନ ପ୍ରକାର ଗଣିତକୁ ନେଇ ନୀତିଶ କାମ କରୁଥିବା ଦେଖିବାକୁ ମିଳିଛି। ଏବେ ଓଡିଶା ଓ ଝାଡ଼ଖଣ୍ଡ ଉପରେ ନୀତିଶଙ୍କ ନଜର।

ଓଡ଼ିଶାରେ ଶାସନରେ ଥିବା ବିଜେଡି ସବୁବେଳେ ସମଦୁରତା ରକ୍ଷା ଦିଗରେ ଗୁରୁତ୍ୱ ଦିଏ। ବିଭିନ୍ନ ସମୟରେ କେନ୍ଦ୍ରରେ ବିଜେପିକୁ ସହଯୋଗ କଲେ ମଧ୍ୟ ଏନଡିଏ ଓ ୟୁପିଏ ଠାରୁ ବିଜେଡି ସମଦୁରତା ରକ୍ଷା କରେ।

ଏବେ ରାହୁଲ ଗାନ୍ଧୀଙ୍କ ସଦସ୍ୟ ପଦ ରଦ୍ଦ ପ୍ରସଙ୍ଗକୁ ନେଇ ପ୍ରାୟ ସବୁ ବିରୋଧୀ ମୁହଁ ଖୋଲିଥିଲେ ମଧ୍ୟ ବିଜେଡି ଏ ସମ୍ପର୍କରେ ପଦୁଟିଏ ମଧ୍ୟ କହିନାହିଁ। ତେଣୁ ଏଭଳି ସ୍ଥିତିରେ ନୀତିଶଙ୍କ ଉଦ୍ୟମରେ ହେଉଥିବା ବିରୋଧୀ ଏକତା ପ୍ରସଙ୍ଗରେ ନବୀନ କେତେ ଆଗ୍ରହ ଦେଖାଇବେ ତାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି।

Leave A Reply

Your email address will not be published.