Latest Odisha News

BREAKING NEWS

ଗାଁରେ ନାହିଁ କୌଣସି ସୁବିଧା, ତେବେ କାହା ସ୍ଵାର୍ଥରେ ଏହି ଆଦର୍ଶ ପଞ୍ଚାୟତ

ନୂଆପଡା: ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ହେଉଛି ଭାରତ ସରକାରଙ୍କ ଦ୍ଵାରା କରାଯାଇଥିବା ଏକ ଜନକଲ୍ୟାଣକାରୀ ପ୍ରୟlସ । କିଛି ବଛା ବଛା ଗାଁରେ କେନ୍ଦ୍ରୀୟ ଓ ରାଜ୍ୟ ସରକାରଙ୍କ ଯୋଜନା ଗୁଡିକୁ ମିଶାଇ ସମନ୍ୱିତ ବିକାଶ କରି ବଞ୍ଚିତ ବର୍ଗର ଲୋକମାନଙ୍କୁ ସଶକ୍ତିକରଣ କରିବା ହେଉଛି ଏହାର ଲକ୍ଷ୍ୟ । ଗ୍ରାମ ପଞ୍ଚାୟତରେ ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟ ଓ ଗ୍ରହଣ କରାଯାଇଥିବା କିଛି ପଦକ୍ଷେପକୁ ଦୃଷ୍ଟିରେ ରଖି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ଏହି ଆଦର୍ଶ ଗ୍ରାମ ପଞ୍ଚାୟତକୁ ପୁରସ୍କାର ପ୍ରଦାନ କରାଯାଏ । ତେବେ ଏଥର ନୂଆପଡା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଭୋଜପୁର ଗ୍ରାମ ପଞ୍ଚାୟତକୁ ଆଦର୍ଶ ଗ୍ରାମର ପୁରସ୍କାର ମିଳିଥିବା ବେଳେ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପଞ୍ଚାୟତ ବାସୀ ।

ସୂଚନା ଅନୁସାରେ, ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଭୋଜପୁର ଗ୍ରାମ ପଞ୍ଚାୟତକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଆଦର୍ଶ ପଞ୍ଚାୟତର ମାନ୍ୟତା ମିଳିବା ସହ ଆର୍ଥିକ ପ୍ରୋତ୍ସାହନ ମଧ୍ୟ ଦିଆଯାଇଛି । ଏହାକୁ ନେଇ ସ୍ଥାନୀୟ ସରପଞ୍ଚ ଓ ସରକାରୀ କର୍ମଚାରୀ ମାନଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପଞ୍ଚାୟତ ବାସୀ । ବାସ୍ତବରେ, ଭାଲୁଡୁଙ୍ଗରି, କୋର୍ଟିପଦର, ଝିତ୍ରିଢୋଡା ଓ ଭୋଜପୂର ନାମକ ଚାରି ଗୋଟି ଗାଁକୁ ନେଇ ଗଢା ହୋଇଛି ଏହି ପଞ୍ଚାୟତ । ଏହି ପଞ୍ଚାୟତ ଏକ ପୁରାତନ ପଞ୍ଚାୟତ ହୋଇଥିଲେ ହେଁ ବର୍ତ୍ତମାନ ମଧ୍ୟ ଏଠିକାର ଅଧିବାସୀ ସାଧାରଣରୁ ସାଧାରଣ ସୁବିଧା ପାଇବାରୁ ବଞ୍ଚିତ ।

ସରକାରଙ୍କ ଅନେକ ଯୋଜନାର ସଫଳ ରୂପାୟନ ଏହି ପଞ୍ଚାୟତରେ ହୋଇ ପାରିନାହିଁ । ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ଗ୍ରାମୀଣ ପାର୍କ ଅଧ ପନ୍ତରିଆ ଥିବା ବେଳେ ଆଠ ରୁ ଦଶ ବର୍ଷ ହେବ ଅଧା ପଡିଥିବା ଗୋଷ୍ଠୀ ଗୃହ କାର୍ଯ୍ୟ ମଧ୍ୟ ସମ୍ପୁର୍ଣ୍ଣ ହୋଇପାରୁନାହିଁ। ପ୍ରତ୍ୟେକ ଗ୍ରାମରେ ପାନୀୟ ଜଳର ଉତ୍କଟ ସମସ୍ୟା ଥିବା ବେଳେ କୋଟିକୋଟି ଟଙ୍କାରେ ନିର୍ମିତ ଏହି ପାନୀୟ ପ୍ରକଳ୍ପ ନାମକୁ ମାତ୍ର ହୋଇଛି । ପାନୀୟ ଜଳ ପାଇଁ ଲୋକେ ନଳକୂପ ଉପରେ ନିର୍ଭର କରୁଥିବା ବେଳେ ଖରାଦିନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଲୋକେ । ପରିମଳ ବ୍ୟବସ୍ଥା ତ ନକହିବା ହିଁ ଭଲ ।  ପଞ୍ଚାୟତର ଅନେକ ଗରିବ ପରିବାର ଘର ଖଣ୍ଡେ ନପାଇ ଭଙ୍ଗା ଦଦରା ଘରେ ରହୁଛନ୍ତି। କାମଧନ୍ଦା ମିଳୁ ନ ଥିବାରୁ ଶତାଧିକ ପରିବାର ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଛନ୍ତି। ଏପରି ପରିସ୍ଥିତିରେ କେଉଁ ଆଧାର ରେ ଆଦର୍ଶ ହେଲା ତାହାକୁ ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି ଖୋଦ୍ ପଞ୍ଚାୟତବାସୀ।

Leave A Reply

Your email address will not be published.