Latest Odisha News

ଛାଡିବେନି ସତ୍ୟପାଲ !

ଭୁବନେଶ୍ୱର: ଜାମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ବିଜେପିକୁ ଟାର୍ଗେଟ କରି ଏବେ ସବୁଆଡେ ଚର୍ଚ୍ଚାରେ। ପୁଲୱାମା ଆକ୍ରମଣ ଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ବିଜେପି ଓ ମୋଦିଙ୍କୁ ଟାର୍ଗେଟ କରି ସତ୍ୟପାଲ ଚର୍ଚ୍ଚାରେ ରହିଛନ୍ତି।

ଏପରିକି ମୋଦି ସରକାରର ଅବହେଳା କାରଣରୁ ହିଁ ପୁଲୱାମାରେ ବହୁ ଯବାନ ସହିଦ ହେଲେ ବୋଲି ସତ୍ୟପାଲଙ୍କ ସିଧା ଅଭିଯୋଗ ଜାତୀୟ ରାଜନୀତିରେ ଆଲୋଡନ ସୃଷ୍ଟି କରିଛି। ଏହି ଘଟଣାରେ ଏବେ ଟ୍ଵିଷ୍ଟ ଦେଖିବାକୁ ମିଳିଛି।

ଏ ପ୍ରସଙ୍ଗକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ପ୍ରତିକ୍ରିୟା ରଖିବା ପରେ କଡା ଜବାବ ଦେଇଛନ୍ତି ସତ୍ୟପାଲ। ପଦ ଛାଡିବା ପରେ ନୁହେଁ ବରଂ ପଦରେ ଥିବାବେଳେ ଘଟଣା ସମୟରେ ହିଁ ସେ ଏ କଥା ଉଠାଇଥିଲେ ବୋଲି କହିଛନ୍ତି ସତ୍ୟପାଲ।

ପୁଲୱାମା ଆକ୍ରମଣ ବେଳେ ମଧ୍ୟ ସେ ଏହି କଥା ଉଠାଇଥିବା କହିଛନ୍ତି ସତ୍ୟପାଲ ମଲ୍ଲିକ। ବିଜେପିଠୁ ଅଲଗା ହେବା ପରେ ଯଦି ଜଣେ ବ୍ୟକ୍ତି ଏଭଳି ଅଭିଯୋଗ କରୁଛନ୍ତି ତେବେ ଲୋକମାନେ ଏହାର ବିଚାର କରିବା ନିହାତି ଆବଶ୍ୟକ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ। କିନ୍ତୁ ସତ୍ୟପାଲ ଡେରି ନ କରି ଏହାର ଜବାବ ଦେଇଛନ୍ତି।

ଜଣେ ଭିନ୍ନ ଅନ୍ଦାଜ ଓ ନିର୍ଭୀକ ବ୍ୟକ୍ତି ଭାବେ ଜଣାଶୁଣା ସତ୍ୟପାଲ ଶାହାଙ୍କ ମନ୍ତବ୍ୟ ସମ୍ପୂର୍ଣ୍ଣ ଭୁଲ୍ ଅଟେ ବୋଲି କହିଛନ୍ତି। ଯାହାକୁ ନେଇ ଦେଶବ୍ୟାପୀ ଏ ସମ୍ପର୍କିତ ଚର୍ଚ୍ଚା ପୁଣି ଜୋର ଧରିଛି।

ଜାମ୍ମୁକାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୦ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ । ସେତେବେଳେ ଜାମ୍ମୁକାଶ୍ମୀରର ରାଜ୍ୟପାଳ ଥିଲେ ସତ୍ୟପାଲ ମଲ୍ଲିକ। କେନ୍ଦ୍ର ସରକାରଙ୍କ ବିଫଳତା କାରଣରୁ ଯବାନଙ୍କ ଜୀବନ ଯାଇଥିଲା ବୋଲି କହିଥିଲେ ସତ୍ୟପାଲ।

ଏପରିକି ପ୍ରଧାନମନ୍ତ୍ରୀଙ୍କୁ ପୁଲୱାମା ପ୍ରସଙ୍ଗରେ ମତ ରଖିବା ଦରକାର ବୋଲି ସତ୍ୟପାଲ ମଲ୍ଲିକ କହିଥିଲେ। ଯାହାକୁ ନେଇ ଦେଶବ୍ୟାପୀ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା।

ଏବେ ବିଭିନ୍ନ ରାଜ୍ୟର ନିର୍ବାଚନ ହେବାକୁ ଥିବା ବେଳେ ଆଗକୁ ଦେଶର ସାଧାରଣ ନିର୍ବାଚନ ଅଛି। ଏଭଳି ସ୍ଥିତିରେ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ସତ୍ୟପାଲଙ୍କ ବୟାନ ଆଉ ତାକୁ ନେଇ ବଢ଼ୁଥିବା ରାଜନୀତି ବିଜେପିକୁ ଅସୁବିଧାରେ ପକାଇଥିବା ଆଲୋଚନା ହେଉଛି।

Leave A Reply

Your email address will not be published.