Latest Odisha News

BREAKING NEWS

ଆଜି ପବିତ୍ର ଅକ୍ଷୟ ତୃତୀୟା, ଅକ୍ଷିମୁଠି ଅନୁକୂଳ କଲେ ଓଡ଼ିଆ କୃଷକ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଓଡ଼ିଶାର କୃଷକମାନେ ନୂତନ ଚାଷକାର୍ଯ୍ୟ ଲାଗି ନିଜ ନିଜର ଚାଷଜମିରେ ପୂଜା କରିବା ସହିତ ଅକ୍ଷିମୁଠି ଅନୁକୂଳ କରିଥାଆନ୍ତି । ତେବେ ଚାରି ଦିନ ପୂର୍ବରୁ ଅର୍ଦ୍ଧାଧିକ ଓଡ଼ିଶାରେ ଭୟଙ୍କର ବାତ୍ୟାରେ କ୍ଷୟକ୍ଷତି ଯୋଗୁଁ କୃଷକମାନଙ୍କର ମନୋବଳ ଭାଙ୍ଗିଯାଇଛି । ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ଭୃକ୍ଷେପ ନ’କରି ଓଡ଼ିଆ ଚାଷୀମାନେ ପାରମ୍ପରିକ ଭାବେ ଜମିରେ ହଳଲଙ୍ଗଳ ଦ୍ୱାରା ଜମିକୁ କର୍ଷଣ କରିଛନ୍ତିି । ବିଭିନ୍ନ ସ୍ଥାନରେ ଚାଷୀମାନେ ଅକ୍ଷିମୁଠି ଅନୁକୂଳ କରିଥିବା ଦେଖାଯାଇଛି । ବଳଦ ସହିତ ଲଙ୍ଗଳ ଦ୍ୱାରା ଚାଷଜମି ହଳ କରିବା ସହିତ ଜମିରେ ଧାନ ବୁଣିଛନ୍ତି କୃଷକମାନେ ।

ମହାନ ଓଡ଼ିଆ ସଂସ୍କୃତି ଅନୁଯାୟୀ, ଆଜି ମଧ୍ୟ ପୁରୀଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ । ହିନ୍ଦୁ ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ରାଜା ଜନକ ନିଜ ଚାଷ ଜମିରେ ଏହି ଦିନ ଧାନ ବୁଣିବା ଲାଗି ହଳ ଲଙ୍ଗଳ ଦ୍ୱାରା ଜମି କର୍ଷଣ କରିଥିଲେ । ତେବେ ଭୁମିରେ ଲଙ୍ଗଳ ବାଜିବା ଦ୍ୱାରା ସୀତାଙ୍କୁ ପାଇଥିଲେ । ଆଜି ମଧ୍ୟ ମାଆ ସୀତାଦେବୀଙ୍କର ଜନ୍ମଦିନ ଭାବେ ବିଭିନ୍ନ ସ୍ଥାନରେ ପର୍ବ ପାଳନ କରାଯାଇଥାଏ ।

ଆଜିର ପବିତ୍ର ବୈଶାଖ ଶୁକ୍ଳ ପକ୍ଷ ତୃତୀୟା ଦିବସ । ଆଜି ଏହି ପବିତ୍ର ଦିନଟିକୁ ଅତି ଶୁଭ ତିଥିଭାବେ ବିବେଚନା କରି ଓଡ଼ିଆମାନେ ବିଭିନ୍ନ ଶୁଭକାର୍ଯ୍ୟ ଆରମ୍ଭ କରୁଥିବାର ଦେଖାଯାଇଛି । ବିଭିନ୍ନ ବାଣିଜ୍ୟିକ ପ୍ରତିଷ୍ଠାନରେ ମଧ୍ୟ ପୂଜାକର୍ମ ଅନୁଷ୍ଠିତ ହେବାରେ ଲାଗିଛି ।

Leave A Reply

Your email address will not be published.