Latest Odisha News

BREAKING NEWS

ବ୍ୟଙ୍ଗ : ଆକ୍ସିଡେଣ୍ଟ

ଓଁ ଅଭିଜ୍ଞାନ ସାହୁ 

କିଛି ବର୍ଷ ତଳର କଥା । ମୋ ବାହାଘରକୁ ସେତେବେଳେ ବେଶି ବୟସ ହେଇନଥିଲା । ଦିନେ ରାସ୍ତାରେ ଯାଉଥିବା ବେଳେ ଗୋଟେ ଛୋଟ ଆକ୍ସିଡେଣ୍ଟ ହେଲା । ମୁଣ୍ଡରେ ମାଡ଼ ବାଜ଼ି ଆବୁ ହେବା ସହ ବାଜ଼ିବା ଜାଗାରେ ଟିକେ ଖଣ୍ଡିଆ ବି ହୋଇଥିଲା । ଆବୁଟାକୁ ହାତରେ ଘୋଡେଇ ଘରେ ପହଞ୍ଚିଲି ।

ମୋ ଅବସ୍ଥା ଦେଖି ପତ୍ନୀ କହିଲେ, ଏମିତି ଅବସ୍ଥା କେମିତି ହେଲା ? କେଉଁଠି ମାଡ଼ ଖାଇ ଆସିଛକି ? ମୋର ସମସ୍ତ କଥା ତାଙ୍କୁ ଚୁମ୍ବକରେ ବୁଝେଇଦେଲି । ମୋ କଥା ଶୁଣି କହିଲେ କେତେ ଥର କହିଲିଣି ରାସ୍ତାରେ ଗଲାବେଳେ ସାମ୍ନାକୁ ଦେଖି ଚାଲ । କିନ୍ତୁ ତୁମେ ତ ସବୁ ବେଳେ ଏପଟ ସେପଟ ଦେଖୁଥିବ । ଯଦି କିଏ ସୁନ୍ଦରିଆ ସ୍କୁଟିବାଲି ସାଇଡ଼ରେ ପାସ କଲା ତୁମେ ତ ବୁଲି ବୁଲି ଚାହୁଁଥିବ । ମୋତେ ଯାହା ଲାଗୁଛି ସେଇଆ ହେଇଥିବ । ଏଥିରେ ତୁମର ଆକ୍ସିଡେଣ୍ଟ ହେବନି କଣ ଗାଁ ବାଲାଙ୍କ ହେବ ! ମୁଁ ବିରକ୍ତ ହୋଇ କହିଲି “ଆଗ ଟିକେ ଡେଟଲରେ ପୋଛି ମଲମ ଲଗେଇବ ନା ବସିକି ଇନକ୍ୱାରୀ କରୁଥିବ ।”

ନାହିଁ ! ଇନକ୍ୱାରୀ କରିବି କାହିଁକି ତୁମେ ସେଠି ରାସ୍ତାରେ ପୋଡ଼ାମୁହିଁମାନଙ୍କୁ ଦେଖି ମୁଣ୍ଡ ଫଟେଇ ଆସିବ । ଆଉ ଘରେ ଆସି ଆମ ଉପରେ ଝଡ଼େଇ ହେବ । ହଉ ଦେଖେଇଲ କୋଉଠି କଣ ହେଇଛି ।” ମୋ ମୁଣ୍ଡ ଖଣ୍ଡିଆକୁ ଦେଖି ଫେଁକରି ହସିଦେଇ କହିଲେ- ‘ହୁଁ ଏତିକି ଟିକେ ଆଁଞ୍ଚୁଡ଼ି ହୋଇଛି, ଏଇଥିପାଇଁ ଏତେ ଚିଲାଉଥିଲ । ଶୁଣ ମୋ ଭାଇର ନା ଦିନେ ଫୁଟବଲ ଖେଳୁଥିଲା ବେଳେ ବଲ ବାଜି ମୁଣ୍ଡ ଦି ଫାଳ ହୋଇଗଲା ।”

ମୁଁ ତାଙ୍କ କଥାକୁ ପୂରା ନକରି କହିଲି , ହାତରେ ନିଶ୍ଚେ ଅଧା ଖପୁରୀଟା ଧରି ଚାଲି ଚାଲି ଆସି ଘରେ ହାଜ଼ର ହୋଇଥିବେ। ପଚାରିଲାରୁ ହସିକି କହିଥିବେ ନାହିଁ ସେମିତି କିଛି ହେଇନି ଖାଲି ଖପୁରୀଟା ଯାହା ଦି ଫାଳ ହୋଇଯାଇଛି । ଏବେ ଯୋଡ଼ି ଦେଉଛି। ତୁମ ଭାଇଙ୍କ ବୀରତ୍ବର କାହାଣୀ ଅନେକ ଥର ଶୁଣି ସାରିଲିଣି । ଆଉ କିଛି ନୂଆ ଅଛି କି?”

ମୁହଁ ଫୁଲେଇ କହିଲେ–“କଥାରୁ ଲଥା ବାହାର କରି ବଢ଼େଇ ଚଢ଼େଇ ଗମାତ କରିବା ତୁମର ଅଭ୍ୟାସ, ମୋର ନୁହେଁ । ମୁଁ ସେମିତି କେତେବେଳେ କହିଲି ? ଯଦି ମୋ ଭାଇ ମିତିକା ତୁମର ଆକ୍ସିଡେଣ୍ଟ ହୋଇ ଖଣ୍ଡିଆ ହୋଇଥା’ନ୍ତା ନା ତମେତ ଏମିତି ଚିଲାଉଥାନ୍ତ ଯେ ପୁରା ସହର ଯାକର ଲୋକ ରୁଣ୍ଡ ହୋଇସାରିଥାନ୍ତେ ଏତେବେଳକୁ ।

ମୋ ମୁଣ୍ଡରେ ବିନ୍ଧାଛିଟିକା ହଉଚି ଆଉ ଆମ ଘରଣୀ ପ୍ରବଚନ ଦେବାରେ ଲାଗିଛନ୍ତି। ମୁଁ ହାତଯୋଡ଼ି ଶ୍ରୀମତୀଙ୍କୁ କହିଲି,” ଦେଖ ତୁମ ଭାଇ ହେଲେ ଜଣେ ଯୁଗଜନ୍ମା । ହଜ଼ାର ବର୍ଷ ବ୍ୟବଧାନରେ ଗୋଟିଏ ଗୋଟିଏ ମଣିଷ ଧରା ପୃଷ୍ଠକୁ ଏମିତି ଆସିଛନ୍ତି । ତୁମ ବାପା ହେଲେ ପୃଥିବୀର ସବୁଠୁ ବଡ଼ ବିଦ୍ୱାନ ବ୍ୟକ୍ତି । ତୁମ ମା’ ହେଲେ ସବୁଠୁ ବଡ଼ ଧାର୍ମିକା , କର୍ମନିପୂଣା ସନ୍ତାନ ବତ୍ସଳ ସ୍ନେହୀ , ମମତାମୟୀ ମହିଳା । ତୁମ ବାପଘର ଗାଈ ବାଛୁରୀ ପାପୋଛ , ଝାଡ଼ୁ ଓଗେର ସବୁ ମହାନ୍ । ଆମେ ତ ହେଲୁ ଛାର ମଣିଷ । ପୋକଠୁ ନ୍ୟୁନ । ସେ ମହାମାନବଙ୍କ ମହାନତା ବୁଝି ପାରିବୁ ନାହିଁ । ଯଦି ଫାଷ୍ଟଏଡ଼ ବକ୍ସଟା ଟିକେ ଦେଇପାରନ୍ତ ତେବେ ଏ ଅକିଞ୍ଚନ ପ୍ରତି ବଡ଼ ଦୟା ହୁଅନ୍ତା ।”

ଶ୍ରୀମତୀ ରାଗରେ କହିଲେ –“ତୁମର ଏମିତିକା କଥା ପାଇଁ ନା ତୁମେ କଷ୍ଟ ପାଉଛ । କାହିଁ ଆଉ କାହାର ତ ଏମିତି ହେଉନି ଖାଲି ତୁମର କାହିଁକି ହେଉଛି ? ଟିକେ ହେଜ। ବୁଝିପାରୁନ ନା ଜାଣି ଅଜଣା ହେଉଛ ?ପିଲାମାନେ ବଡ଼ ହେଲେଣି ସୁଧୁରିଯାଅ ।”

ଖାନନଗର, କଟକ

Leave A Reply

Your email address will not be published.