ମାନସ ରଞ୍ଜନ ନାୟକ
ମାନବୀୟ ସଭ୍ଯତା ପ୍ରଗତିଶୀଳ ହେବା ସହ ସମାନ୍ତରାଳରେ ପରିବର୍ତ୍ତିତ ତାର ପରମ୍ପରା । ବଦଳିଯାଉଛି ଜୀବନର ମୂଲ୍ଯବୋଧ, ସାମାଜିକତା, ଆଉ ଆଚରଣ। ବସ୍ତୁବାଦୀ ସଫଳତା, ବୃତ୍ତିଗତ ପ୍ରତିଦ୍ବନ୍ଦିତା , ବଦଳାଇ ଦେଇଛି ମଣିଷର ରୂଚି, ଆମୋଦ ପ୍ରମୋଦ ଆଉ ଆଡ଼ମ୍ବରର ପରିସୀମା।
ଦିନଥିଲା, ଓଡ଼ିଶାରେ ଗ୍ରାମୀଣ ସଭ୍ୟତାରେ ଥିଲା ଆର୍ଥିକ ସ୍ବଚ୍ଛଳତା, ସାମରିକ ସାମର୍ଥ୍ଯ, କଳା ସ୍ଥାପତ୍ୟର ଉତ୍କର୍ଷତା ଏବଂ ଆନ୍ତର୍ଜାତୀୟ ବାଣିଜ୍ଯିକ ସମ୍ପର୍କ । ଏତଦ୍ ବ୍ୟତୀତ ପର୍ବପର୍ବାଣି, ଜୀବନର ଏକ ଅଭିନ୍ନ ଅଙ୍ଗ ହୋଇ ରହିଥିଲା। ପ୍ରତିଟି ପର୍ବ ଦର୍ଶାଉଥିଲା ଏକ ଭାବାବେଗ, ଜୀବନଶୈଳୀ ଓ ଆଶା ଏବଂ ବିଶ୍ବାସର ନିଚ୍ଛକ ରୂପାନ୍ତର। ସେହି ପରିପ୍ରେକ୍ଷୀରେ ଅନେକ ପର୍ବ ମଧ୍ଯରୁ ରଜପର୍ବ ସ୍ବତନ୍ତ୍ର।
ରଜ ଏକ ଗ୍ରାମୀଣ କୃଷିଭିତ୍ତିକ ପର୍ବ। ପୌରାଣିକ ମାନ୍ଯତା ଅନୁଯାୟୀ ଏହି ତିନିଦିନ ପୃଥିବୀ ବା ଭୂମାତା ରଜସ୍ବଳା ହୁଏ । ଗ୍ରୀଷ୍ମର ପ୍ରଚଣ୍ତ ରୌଦ୍ରତାପ ପରେ ଧରଣୀ ମାତା ବର୍ଷା ରାଣୀର ସ୍ବାଗତ ପାଇଁ ପ୍ରସ୍ତୁତ ହୁଏ। ଏକ ସମୟାନୁକୂଳ ଆବଶ୍ଯକୀୟ ମୌସୁମୀ ବୃଷ୍ଟିର ଆଶାବାନ୍ଧି ଚାଷୀକୂଳ ରଜପର୍ବ ପାଳନରେ ମସଗୁଲ୍ ହୋଇଯାଏ, ପରବର୍ତ୍ତୀ କାଳରେ ଦୀର୍ଘ ଚାରି ଛଅ ମାସ ମାଟି କାଦୁଅରେ ନିରନ୍ତର ଭାବେ ତାର ଚାଷଜମିରେ ବ୍ୟସ୍ତ ରହିବା ପାଇଁ, ଏକ ଉତ୍ତମ ଫସଲର ଅମଳପାଇଁ ନିଜକୁ ପ୍ରସ୍ତୁତ କରେ ଏହି ପର୍ବର ପୂର୍ବଦିନକୁ ସଜବାଜ କୁହାଯାଏ । ପରିବାରର ମହିଳାମାନେ ଓ ଝିଅମାନେ ପ୍ରସ୍ତୁତିରେ ଲାଗିଯାଆନ୍ତି। ତିନିଦିନ ପାଇଁ ଯାବତୀୟ ପିଠା ପଣା ପ୍ରସ୍ତୁତକରି , ଚୁଲି ଓ ହାଣ୍ଡିଶାଳ ଆଦି ପରିଷ୍କାର ପରିଛନ୍ନ କରି ଆଗତ ରଜ ତିନିଦିନର ଆଡ଼ମ୍ବର ଆୟୋଜନର ବିଗୁଲ୍ ବଜାଇ ଦିଅନ୍ତି। ଚାଷୀମାନେ ଏହି ଦିନକୁ ପାଣିବୁହା ରଜ ବୋଲି ମଧ୍ଯ କହନ୍ତି। ପର୍ବ ଅନୁଯାଯୀ ଯେହେତୁ ଚାରିଦିନ କୌଣସି ଚାଷ କାର୍ଯ୍ୟ ହେବନାହିଁ ସେଥିପାଇଁ ଚାଷୀ ଏହିଦିନ ତାର ବାଡ଼ି ବଗିଚାରେ ପାଣି ମଡ଼େଇ ଦିଏ। ଆଜିର ପରିବର୍ତ୍ତିତ କାଳରେ ଗ୍ରାମ ମାନଙ୍କରେ ଏହିଦିନ ପୋଖରୀରୁ ଦଳ ଉଦ୍ଧାର ତଥା ଜାଲ ଟାଣି ମାଛଧରା କାର୍ଯ୍ୟ ହୁଏ ।
ପ୍ରଥମ ରଜ ବା ପହିଲି ରଜର ଆରମ୍ଭ ହୁଏ ମଣ୍ଡା, ଆରିସା,ଏଣ୍ଡୁରି, କାକରା ଓ ପୋଡପିଠା ପରି ଅନେକ ସୁସ୍ବାଦୁ ପିଠାପଣାରେ । ଝିଅବୋହୁ ମାନେ ସିନ୍ଦୂରାରୁ ଉଠି, କେଶ ବିନ୍ଯାସ ସାରି ନଦୀ କିମ୍ବା ପୁଷ୍କରିଣୀରେ ପବିତ୍ର ସ୍ନାନ ସମାପନ କରି ନୂତନ ବସ୍ତ୍ର ପରିଧାନ କରନ୍ତି। ବାକି ରଜ ଦୁଇଦିନ ସେମାନଙ୍କୁ ସ୍ନାନ ବାରଣ। କଳା, କୁମ୍ କୁମ୍, ସ୍ନୋ, ପାଉଡର୍, ଅତର ଓ ଅଳତା ଆଦି ପ୍ରସାଧାନରେ ଝିଅ ବୋହୂମାନେ ଦେବୀ ତୁଲ୍ଯ ପ୍ରତୀତ ହୁଅନ୍ତି। ଏଣ୍ଡୁରି ପିଠା ସାଙ୍ଗକୁ ଖିଲିପାନ ଖାଇ କନ୍ଯା ମାନେ ଦଳ ହୋଇ ଗାଁ ଗାଁ ବୁଲି, ବାଉଁଶ ଦୋଳି, ପଟା ଦୋଳି, ପୁଚି, କିତ୍ କିତ୍ ଆଦି ବିଭିନ୍ନ ମନମତାଣିଆ ଖେଳରେ ମାତିଯାଆନ୍ତି । ଗ୍ରୂହିଣୀମାନେ ଆସର ଜମାନ୍ତି ତାସ୍ ଓ ପଶାପାଲିରେ। ପୁରୁଷମାନଙ୍କର ବାଗୁଡ଼ି ପ୍ରତିଯୋଗିତା, ଗୋଟିପୁଅ ନାଚ ଓ ତାସ୍ ବାଜିରେ ବେସ୍ ଭିଡ଼ ଜମେ। ଚତୁର୍ଥ ଦିନ ବସୁମତୀଙ୍କ ସ୍ନାନ କରାଯାଏ । ଶିଳ ଶିଳପୁଆକୁ ହଳଦିପାଣିରେ ଗାଧୋଇଦେଇ, ସିନ୍ଦୂର, ନୁଆ ଲୁଗା ପିନ୍ଧାଇ ପୂଜାର୍ଚ୍ଚନା କରାଯାଏ । ମାନ୍ୟତା ଅଛି,ରଜ ତିନିଦିନ ରଜବତୀ ହେବାପରେ ଚତୁର୍ଥ ଦିନ ପବିତ୍ର ସ୍ନାନ ପରେ ବସୂମତୀ ଆଉଏକ ନୂତନ ସ୍ରୁଷ୍ଟି ପାଇଁ ପ୍ରସ୍ତୁତ ହୁଅନ୍ତି।
ବିଜ୍ଞାନର ଦିଗନ୍ତ ବିସ୍ତାରିତ ଅଗ୍ରଗତି, ସଫଳ ଉଦ୍ୟୋଗୀକରଣ ଏବଂ ଯାନ୍ତ୍ରିକ ଅତ୍ଯାଧୁନିକରଣ ଅନେକ ମାତ୍ରାରେ ବଦଳାଇ ଦେଇଛି ଆମର ଜୀବନସ୍ତରକୁ । ପରମ୍ପରା ଆଜି ପ୍ରଗତିର ନିକିତିରେ ମାପ ହୁଏ ଓ ପର୍ବପର୍ବାଣି ଆଜି ଇତିହାସ ପୃଷ୍ଠା ଅବା ଜନମାନସରେ ପ୍ରାଚୀନତାର ମୋହର ଲାଗି ବିଲୁପ୍ତର ପାଦ ଦେଶରେ। ଉତ୍କଳୀୟ ମହାନ୍ ପରମ୍ପରାର ସେହି ପ୍ରାଚୀନ ରଜପର୍ବ ଆଜି ଆମର ବିସ୍ମୂୂତି ନୁହେଁ ସତ, ମାତ୍ର କର୍ପୂର ଉଡ଼ିଯାଇଥିବା କନା ସହ ସମାନ। ପର୍ବଟିଏ ହେଲେବି ଅନେକ ସାମାଜିକ ମୂଲ୍ଯବୋଧ ବାରିହୋଇଯାଏ ଏଥିରୁ । ଏଇ ଯେମିତି ନାରୀତ୍ବର ସମ୍ମାନ ଓ ପରିବେଶପ୍ରତି ପ୍ରଯତ୍ନଶୀଳ ଆଦି ଅନେକ ଶିକ୍ଷାର ମୂଳମନ୍ତ୍ର ହେଉଛି ରଜପର୍ବ । କହିବା ବାହୁଲ୍ଯ ଆଜିର ନୂତନପୀଢି ରଜପର୍ବକୁ ଫେସବୁକ ଷ୍ଟାଟସ୍ ଅପଡେଟରେ ସୀମିତ ନ ରଖି ତାହାର ମୂଲ୍ଯବୋଧକୁ ହୃଦୟଙ୍ଗମ କରି ମୂଳ ପରମ୍ପରା ସହ ଜଡ଼ିତ ହେବେ।
ମଞ୍ଜୁରୀରୋଡ୍, ଭଦ୍ରକ