Latest Odisha News

ବ୍ୟଙ୍ଗ : ଡିଜିଟାଲ ଝଟକା

କାଲି ସନ୍ଧ୍ୟାରେ ଏକ ଫୋନ୍ ଆସିଲା, ଜଣେ ଝିଅ ଫୋନ୍ କରିଥିଲା । “ହେଲୋ ସାର୍” ମୁଁ ଜବ୍ ପାଇଁ ରେଜିଷ୍ଟ୍ରେସନ କରୁଥିଲି ଭୁଲରେ ଆପଣଙ୍କ ନମ୍ବର ଦେଇ ଦେଇଛି, ଆପଣଙ୍କ ନମ୍ବର ଓ ମୋ ନମ୍ବର ମଧ୍ୟରେ ସମାନତା ଅନେକ ଅଛି, କେବଳ ଗୋଟିଏ ସଂଖ୍ୟାର ଫରକ ଯାହା । ଆପଣଙ୍କ ନିକଟକୁ ଏକ ଓ.ଟି.ପି (ଓ୍ବାନ୍ ଟାଇମ୍ ପାସଓ୍ବାଡ) ଆସିବ, ଦୟାପୂର୍ବକ ମୋତେ ସେ ପାସଓ୍ବାଡ ଦିଅନ୍ତୁ, ଜୀବନ ଜୀବିକାର କଥା ସାର ।”

ଝିଅଟିଏ ପୁଣି ସୁମଧୁର କଣ୍ଠବାଲୀ । ସତ ବୋଲି ମନେ ନକରିବାକୁ ମୋ ଭଳି ନିରୀହ ପ୍ରାଣୀର ଚାରା ଅଛି ! କଥା ମୋତେ ସତ ମନେ ହେଲା । ମୁଁ ଇନବକ୍ସ ଚେକ୍ କରି ଦେଖିଲି ଦୁଇଟି ମେସେଜ୍ ଆସିଛି । ଗୋଟିଏ ଓ.ଟି.ପି ମେସେଜ୍ ଓ ଅନ୍ୟଟି ଏକ ନମ୍ବରରୁ ଆସିଥିଲା, ସେଥିରେ ଲେଖାଥିଲା , “ପ୍ରିୟ ମହାଶୟ !ଆପଣଙ୍କ ନିକଟକୁ ଯେଉଁ ଓ.ଟି.ପି ଆସିଛି, ଦୟାପୂର୍ବକ ଏହି ନମ୍ବରରେ ମେସେଜ୍ କରି ଦିଅନ୍ତୁ ..। ସହଯୋଗ ପାଇଁ ଆଗୁଆ ଧନ୍ୟବାଦ ।” ନିର୍ଭୁଲ ଇଂରାଜୀରେ ଆସିଥିବା ମେସେଜ୍ ଦେଖୁଛି ପୁନଶ୍ଚ ଫୋନ୍ ଆସିଲା । ମୁଁ ଫୋନ୍ ଉଠେଇଲି । ସେହି ଶ୍ରୁତି ମଧୁର କଣ୍ଠସ୍ବର, କିନ୍ତୁ ଏକ ନୂଆ ନମ୍ବରରେ ।

“ସାର୍, ଆପଣ ଓ.ଟି.ପି ମେସେଜ ପାଇ ସାରିଥିବେ, ଯଦି ସମ୍ଭବ ଫୋନରେ କହି ଦିଅନ୍ତୁ, ନଚେତ୍ ମେସେଜ୍ ଦେଇଥିବା ନମ୍ବରରେ ଫରଓ୍ବାର୍ଡ କରି ଦିଅନ୍ତୁ । ପ୍ଲିଜ୍, ପ୍ଲିଜ୍,,,ପ୍ଲିଜ୍ ସାର୍ ।”

“ହଁ, ମୁଁ ଓ.ଟି.ପି କହିବି, କିନ୍ତୁ ପ୍ରଥମେ ତୁମେ ଗୋଟେ କାମ କର ।”
“କୁହନ୍ତୁ ସାର ।”
“ଯେଉଁ ନମ୍ବର ଆପଣ ରେଜିଷ୍ଟ୍ରେସନ ପାଇଁ ଦେଲେ ତାହା ମୋର ନମ୍ବର ଏବଂ ମୋ’ ନମ୍ବର ସହିତ ମିଶି ଯାଉଥିବା ନମ୍ବର ଆପଣଙ୍କ ପାଖରେ ବି ଅଛି, ତେବେ ଯାଇ ଆପଣଙ୍କ ଦ୍ବାରା ଏପରି ଏକ ଭୁଲ୍ ହୋଇଗଲା । ନୁହେଁ କି ?” ମୁଁ ପଚାରିଲି ।
“ହଁ, ଠିକ୍ କହିଲେ ସାର୍ ।”
“ଓକେ, ମୋତେ ସେହି ନମ୍ବରରୁ ଫୋନ୍ କରନ୍ତୁ, ମୁଁ ବି ନିଶ୍ଚିତ ହୋଇଯିବି ଆପଣ ଠିକ୍ କହୁଛନ୍ତି ।”
“କଥା କଣ କି ସାର୍, ମୋର ସେ ନମ୍ବରରେ ବାଲାନ୍ସ ନାହିଁ…।ଆପଣ କଣ ଗୋଟେ ଝିଅର କଥାରେ ଭରସା କରିପାରିବେ ନାହିଁ କି ? ମୋତେ ଭୁଲ ବୁଝିବାର ଭୁଲ କରୁଛନ୍ତି କି ? ଝିଅଟିର ଗଳା ଧୀରେ ଧୀରେ ଉପର ରେଞ୍ଜକୁ ଆସୁଥିଲା ।
“ପ୍ରକୃତ କଥା ତାହା ନୁହଁ, ପୁଅ ଝିଅ, ବିଶ୍ବାସ ଅବିଶ୍ବାସ ଓ ଭରସା ନିରାଶା ନୁହଁ। ମୁଁ ଆପଣଙ୍କୁ ଜାଣିନି, କିଛି ନବୁଝି ନଶୁଝି କିପରି ଓ.ଟି.ପି ଦେଇ ଦେବି ? ମୂର୍ଖ ଲୋକେ ଏମିତି କରି ନିଜର ସର୍ବନାଶ କରନ୍ତି ବୋଲି ଆମେ ଖବର ଜାଣୁଛୁ , ଦେଖୁଚୁ ।” ମୁଁ ଭଦ୍ରଲୋକିଆ ଢଙ୍ଗରେ ବୁଝେଇଲି ।
“ଠିକ୍ ଅଛି ସାର୍, ନଦିଅନ୍ତୁ । ଏଇଟା ମୋ ନିଜ ସମସ୍ୟା ଏବଂ ତାହା ମୁଁ ନିଜେ ସୁଧାରିବି ।ଜୀବନ ଜୀବିକାର କଥା ବୋଲି ଅନୁରୋଧ କରିଥିଲି । ଆପଣଙ୍କ ପରି ସନ୍ଦେହୀ ଓ ଖଳବୁଦ୍ଧିର ଲୋକଙ୍କ ପାଇଁ ସମାଜରୁ ମାନବିକତା ଉପରୁ ଭରସା ତୁଟି ଗଲାଣି । ସେ ଫଁ ଫଁ କରୁଥିଲା ବିରକ୍ତି ଏବଂ କ୍ରୋଧରେ ।ମୋର କିଛି ନକହିବା ଦେଖି ସେ ଫୋନ୍ କାଟିଦେଲା ।”

ମନ ମୋର ଅକାରଣରେ ଦୁଃଖୀ ହୋଇଗଲା । ବୋଧେ ମୁଁ ଅଧିକ ଟେକ୍ନିକଲ ଓ ଅବିଶ୍ବାସୀ ହୋଇ ଯାଇଛି । ଆଜିକାଲିକା କଥା । କାହାକୁ ଭରସା । ତୁମେ ଠିଆ ହୋଇଥିବା ତୁମ ଘରର ଡିହ ଚୋରେଇ ନେଉଛନ୍ତି ଲୋକେ ଫୋନରେ କଥା ଦି’ପଦକରେ । ୟା’ ବୋଲି ଇଏ ଝିଅଟି ଡକେଉତୁଣୀ ହେବ ବୋଲି କିଛି ଗ୍ୟାରେଣ୍ଟି ଅଛି !

ମନ ବୁଝିଲାନି । ମୁଁ ମୋ ତରଫରୁ ଫୋନ୍ ଉଠାଇ ଓ.ଟି.ପି ଦେବା ପାଇଁ ନମ୍ବର ଡାଏଲ୍ କଲି । ଠିକ୍ ଏହି ସମୟରେ ଆଇ.ସି.ଆଇ.ସି.ଆଇ ବ୍ୟାଙ୍କର ଇମେଲ୍ ନୋଟିଫିକେସନ ମୋବାଇଲ୍ ସ୍କ୍ରୀନରେ ଫ୍ଲାସ୍ ହେଲା । ବ୍ୟାଙ୍କ ନୋଟିଫିକେସନକୁ ତୁରନ୍ତ ଦେଖିବାର ଅଭ୍ୟାସ ଯୋଗୁଁ ଆଖି ସେଆଡ଼କୁ ଗଲା । ଲେଖା ହୋଇଛି , “ଆପଣ ଆପଣଙ୍କ ନେଟ ବ୍ୟାଙ୍କିଙ୍ଗର ପାସୱାର୍ଡ ବଦଳେଇବାକୁ ଚେଷ୍ଟା କରୁଛନ୍ତି । ନିମ୍ନୋକ୍ତ ଲିଙ୍କକୁ ଯାଇ ଦେଖି ନିଅନ୍ତୁ….”

ମୁଁ ଆଶ୍ଚର୍ଯ୍ୟ ଥିଲି । ମାନବିକତା ନାମରେ ଏତେ ବଡ ଧୋକା, ଏଡ଼େ ଠକାମୀ …। ଛାର ଝିଅଟେ ଇମୋସନାଲ ଟ୍ରାପ କରି ନେଇଯିବ ମୋ ଝାଲବୁହା ପୁଞ୍ଜି ..!!! ରାଗ ପଞ୍ଚମରେ ଥିଲା…। ଯାହା ଜାଣିଥିଲି ହିନ୍ଦୀ , ଇଂରାଜୀ , କଞ୍ଚା ଓଡ଼ିଆର ଗାଳି ତାକୁ ଏକାଠି କରି ଉକ୍ତ ନମ୍ବରକୁ ରିଡାୟଲ କଲି …।

ସେପଟରୁ ଶୁଣିବାକୁ ପାଇଲି , “ଯେଉଁ ନମ୍ବର ସହ ଆପଣ ଯୋଗାଯୋଗ କରିବାକୁ ଚାହୁଁଛନ୍ତି ତାହା ମହଜୁଦ ନାହିଁ । ଦୟାକରି ନମ୍ବରକୁ ଯାଞ୍ଚ କରନ୍ତୁ …।

ବନମାଳୀ ଭବନ
ଖାନ ନଗର , କଟକ

Leave A Reply

Your email address will not be published.