ରାମକୃଷ୍ଣ
ଆଉ କାନ୍ଦନା
କନ୍ଦାନା ଆଉ କାହାକୁ
ଧୋଇ ହୋଇଯିବ ଲୁହରେ
ଶବ୍ଦମାନଙ୍କର ସୁନେଲି ସକାଳ l
ଆମେ ପାରିହେଇ ଆସିଲେ
ସହସ୍ର ଶତାବ୍ଦୀର ଗୋଟେ କାଳରାତି
ଭୋକ ଘୋଳି ହୋଇଥିଲା ଅନ୍ଧାରରେ
ପରସ୍ପରକୁ ମାରି ଖାଇବାରେ କୁଣ୍ଠା ନଥିଲା
ଆମର ପ୍ରାୟ ଭେଟ ହେଉଥିଲା ଯୁଦ୍ଧରେ
ବାକି ସବୁ ସମୟ ନିଜକୁ ପାକୁଳିମାରି
ଆମେ ଶୋଇ ରହୁଥିଲେ ଦେହର ଗୁମ୍ଫାରେ ।
ସକାଳ ହୁଏବୋଲି ଆମକୁ ଜଣାନଥିଲା
ଦେଖ୍ ସିନ୍ଦୂରା ଫାଟିଆସିଲାଣି ପୂର୍ବାକାଶରେ
ପଶ୍ଚିମରେ ଅନ୍ଧାରର ଛାଇ ଛାଇ ନିଦ
ସରି ଆସିଲାଣି ଯୁଦ୍ଧର ଘନଘଟା
ଥମି ଆସିଲାଣି ନେପଥ୍ୟେ କୋଳାହଳ
ସେପଟେ ମୁହଁ ଫେରାନା ଆଉ
ଏଥର ପ୍ରଭାତୀରୁ ପଦେ ହେଉ ।
ଆଉ ରାଗନା
ରଗାନା ଆଉ କାହାକୁ
ଶିଶୁର ମୁହଁରୁ ଲିଭିଯିବ ହସ
ଭାଙ୍ଗି ଆସିଲାଣି
ଦୁଃସ୍ବପ୍ନମାନଙ୍କ ହାଟବଜାର
ଆଲୁଅର ଭୟରେ
ମୁହଁ ଲୁଚାଇଲେ ସବୁ ମାରଣାସ୍ତ୍ର
ଫୁଟି ଉଜ୍ବଳ ଦିଶୁଛିବା ମଣିଷର ମୁହଁ
କାଁଭାଁ କେଉଁଠି କଢ଼ ଭିତରେ କୀଟ
ଗାଳିଗୁଳଜକୁ ଆଉ ଗୁଳି ମାରନା
ତାନପୁରାର ତାରରେ ବାଜୁ ଆଙ୍ଗୁଠିର ଟିପ
ଘୃଣାର ନିଆଁ ଆଉ ଲଗାନା
କାହା ଘୃଣାର ନିଆଁରେ ଆଉ ଜଳନା
ପାଉଁଶ ହୋଇଯିବ ଉଇଁଆସୁଥିବା ପ୍ରେମ
ରାସ୍ତାଘାଟରେ ଗୀତ ହୋଇ ଏବେ ଗଡିବା
ମନ୍ଦିର କାନ୍ଥରେ ଆଙ୍କିବା ପ୍ରେମର ମାନଚିତ୍ର
ବଉଦ କୋଳେ ବିଜୁଳି ହୋଇ ଖେଳିବା
ଶୋଇଲା ଡରିଲା ଆଖିରେ ଛାଟିବା
ନୂଆଁ ସକାଳର ଆଲୁଅ ।