Latest Odisha News

BREAKING NEWS

ବ୍ୟଙ୍ଗ : ସାଇଡ୍ ଇଫେକ୍ଟ

ଓଁ ଅଭିଜ୍ଞାନ ସାହୁ 

।। ଓଁ ଶ୍ରୀ ଶ୍ରୀ କରୋନାୟ ନମଃ ।।

ବିଶେଷ ସୂଚନା :

ଗତକାଲି ଠାରୁ ମୋ ଦେହରେ କରୋନା ଲକ୍ଷଣ ଦେଖାଦେଇଛି । ତେଣୁ ଆଜିଠାରୁ ଆସନ୍ତା ମାସେ ଯାଏଁ ମୁଁ ସ୍ୱ-ସଙ୍ଗରୋଧରେ ରହିବି । ଏହି ସମୟରେ କୋୖଣସି କାମ ନେଇ କେହି ମୋ ପାଖକୁ ଆସନ୍ତୁ ନାହିଁ । ଯେଉଁମାନେ ଗତ ଏକ ମାସ ମଧ୍ୟରେ ମୋ ସଂସ୍ପର୍ଶରେ ଆସିଛନ୍ତି କିମ୍ବା ସାହାଯ୍ୟ ପାଇଁ ମୋ ପାଖରେ ଭିଡ଼ କରୁଥିଲେ ସେମାନଙ୍କୁ ଅନୁରୋଧ, ସେମାନେ ନିଜ ତରଫରୁ କୋଭିଡ ଟେଷ୍ଟ କରେଇ ନିଅନ୍ତୁ । ମୋର ଏକାନ୍ତ ତୈଳାକ୍ତ ଅନୁଗାମୀଙ୍କୁ ଅନୁରୋଧ ସେମାନେ ମୋ ଆଶୁ ଆରୋଗ୍ୟ ପାଇଁ ମୋ ପରିବାର ଦ୍ୱାରା ପ୍ରାୟୋଜିତ ନିମ୍ନଲିଖିତ ବିଭିନ୍ନ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦେଇ ଏହାକୁ ସାଫଲ୍ୟମଣ୍ଡିତ କରନ୍ତୁ ।

ତା ୧୫/୦୫/୨୦୨୧- ଦିବା ୧୦ ଘଟିକା , ସମୂହ ଦୀପ ଦାନ
ସ୍ଥାନ: ମା କୋଚିଲାଖାଇ ମନ୍ଦିର ପ୍ରାଙ୍ଗଣ
ତା ୧୫/୦୫/୨୦୨୧- ସନ୍ଧ୍ୟା ୫ ଘଟିକା, ସର୍ଵଧର୍ମ ପ୍ରାର୍ଥନା ସଭା
ସ୍ଥାନ: ଖରାଖିଆ ମହାଦେବ ମନ୍ଦିର ପ୍ରାଙ୍ଗଣ
ତା ୧୬/୦୫/୨୦୨୧- ଦିବା ୧୧ ଘଟିକା- ସ୍କୁଲ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା କରୋନା ସଚେତନ କାର୍ଯ୍ୟକ୍ରମ
ସ୍ଥାନ: ଚକର୍ ଚାନ୍ଦ୍ ବଜାର ଛକ
ତା ୧୭/୦୫/୨୦୨୧- ଗ୍ରହଶାନ୍ତି ଯଜ୍ଞ- ରାତ୍ର ୨ଘଟିକା
ସ୍ଥାନ: ସବାଖାଇ ଚଣ୍ଡୀ ମନ୍ଦିର
ତା ୧୮/୦୫/୨୦୨୧- ସନ୍ଧ୍ୟା ୬ଘଟିକା ରୁ ତେଣିକି-
ନିଶି ଉଜାଗର ଲେଖିକା ସମ୍ମୁଖ୍ୟର ଆନୁକୁଲ୍ୟରେ ଅନ୍ ଲାଇନ୍ କବିତା ପାଠୋତ୍ସଵ ଓ ସ୍ମୃତିଚାରଣ କାର୍ଯ୍ୟକ୍ରମ । ଭାଗ ନେବାକୁ ଚାହୁଁଥିବା ଇଚ୍ଛୁକ କବୀ ମାନେ www.telamarakabita/fakebook.in ଲିଙ୍କରେ ଯାଇ ନିଜର ସ୍ୱରଚିତ କବିତା ମାଧ୍ୟମରେ ପ୍ରିୟ ନେତାଙ୍କ ସ୍ମୃତି ଚାରଣ କରିପାରିବେ ।

ତା ୧୯/୦୫/୨୦୨୧–ଦିବା ୮ଘଟିକା, କଲେଜ ସ୍ତରୀୟ ବକ୍ତୃତା ପ୍ରତିଯୋଗିତା
ସ୍ଥାନ: ଜୟ ଜଗନ୍ନାଥ କଲେଜ । ବିଷୟ: କରୋନା ସଂକ୍ରମଣରେ ସାହିତ୍ୟିକଙ୍କ ସହଭାଗିତା

(ଏଠାରେ ପ୍ରକାଶ ଥାଉକି ଏହି ସମସ୍ତ କାର୍ଯ୍ୟକ୍ରମ ପାଇଁ ଘରୁ ନେବା ଆଣିବା ସହ ସ୍ୱାଦିଷ୍ଟ ଜଳଖିଆର ବ୍ୟବସ୍ଥା ନିଜକୁ ବହନ କରିବାକୁ ହେବ । ସାମାଜିକ ଦୂରତା ସହ ମାସ୍କ ପିନ୍ଧି ଦୂରଦର୍ଶନ , ସମ୍ବାଦ ପତ୍ର ଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ନିଜର ଫୋଟ ଦେଖିବାକୁ ଚାହୁଁଥିବା ସମସ୍ତ ଅଂଶଗ୍ରହଙ୍କାରୀଙ୍କୁ ବହୁ ସଂଖ୍ୟାରେ ଯୋଗ ଦେବାକୁ ସବିଶେଷ ଅନୁରୋଧ ।)

ଆପଣଙ୍କ ପ୍ରିୟ ନେତାଙ୍କ ଐତିହାସିକ ସଂଗରୋଧକୁ ସ୍ମରଣୀୟ କରିବା ପାଇଁ ‘ଓଡ଼ିଆ ସାହିତ୍ୟର କରୋନା ଯୁଗରେ କାନ୍ଦ୍ୟ ସାହିତ୍ୟର ପ୍ରଭାବ’ ବିଷୟବସ୍ତୁ ଉପରେ ଏକ ବିଶେଷ କରୋନା ବିଶେଷାଙ୍କ ପ୍ରକାଶ ପାଉଛି । ସମସ୍ତ ଦୁଃଖୀଆତ୍ମାଧାରୀ ସହିତ୍ୟିକମାନଙ୍କୁ ଅନୁରୋଧ ସେମାନେ ନିଜର କରୁଣ ରସରେ ଭରପୁର ଗଳ୍ପ — ସମ୍ପାଦକ <ପିଠିଗଲୁ ସାହିତ୍ୟ ସଂସଦ@ହଟ୍ ମେଲ୍.କମ୍> ଠିକଣାରେ ପଠେଇବାକୁ ଅନୁରୋଧ । ଏହି ସଂଖ୍ୟା ପାଇଁ କୌଣସି କବିତା ନ ପଠେଇବାକୁ ଶକ୍ତ ଅନୁରୋଧ କରାଯାଉଛି । ଗତ ସୂଚନାରେ ଆମ୍ଭେ ଲେଖିଥିଲୁ ବିଶେଷାଙ୍କ ପାଇଁ ଲେଖା ପଠେଇବାର ଶେଷ ତାରିଖ ଓ ନିୟମାବଳୀ ସମ୍ପର୍କରେ ଜାଣିବାକୁ ଚାହିଁଲେ ସେମାନଙ୍କୁ ସବିଶେଷ ବିବରଣୀ ଆମ ପ୍ରତିନିଧି କବିତା ଜଣେଇଦେବେ । ‘କବିତା’ ଆମ କାର୍ଯ୍ୟାଳୟର ପଠାପଠି ବିଭାଗରେ କାମ କରନ୍ତି । କିନ୍ତୁ ଅନେକ ସୃଜନ ବନ୍ଧୁ ଏହାକୁ ଅନ୍ୟାର୍ଥରେ ନେଇ ବହୁ ସଂଖ୍ୟାରେ ନିଜର ହୃଦୟବିଦାରକ ଛଳ ଛଳ କବିତା ପଠେଇଛନ୍ତି । ସେ ସବୁକୁ ଗୋଟିଏ ସଂଖ୍ୟାରେ ପ୍ରକାଶ କରିବା ସମ୍ଭବ ନୁହେଁ । ଭଗବାନ ଚାହିଁଲେ ଭବିଷ୍ୟତରେ ଯଦି ଆମ ପ୍ରିୟ ନେତାଙ୍କୁ ମହାମାରୀ ଜନିତ କିଛି ବି ଭୟାନକ ହୁଏ ତେବେ ଓଡ଼ିଆ ସାହିତ୍ୟରେ ଅତିମାରୀର ପ୍ରଭାବ ଉପରେ ପ୍ରକାଶ ପାଇବାକୁ ଥିବା ସ୍ୱତନ୍ତ୍ର ବିଶେଷାଙ୍କରେ ସେସବୁକୁ ସ୍ଥାନିତ କରାଯିବ । ତେଣୁ ସମସ୍ତଙ୍କୁ ଅନୁରୋଧ ନିଜର କାନ୍ଦଣା କବିତା ନପଠେଇ କରୁଣ ରସଧର୍ମୀ ମୌଳିକ ଗଳ୍ପ ଉପରୋକ୍ତ ଠିକଣାରେ ପଠାନ୍ତୁ ।

ଆପଣଙ୍କ ଭୋଟାଶ୍ରିତ ତଥା କମେଣ୍ଟପ୍ରିୟ ସୃଜନବତ୍ସଳ ନେତା

ଅଭିଭାଇ

ବିଦ୍ର: ଛିଦ୍ରାନ୍ୱେଷୀ ସ୍ରଷ୍ଟା ମାନଙ୍କୁ ଅନୁରୋଧ ନିଜର ସୁରକ୍ଷା ପାଇଁ ଏହି ସୂଚନାରୁ ଦୁରେଇ ରୁହନ୍ତୁ ।

ବନମାଳି ଭବନ , ଖାନ୍ ନଗର
କଟକ

Leave A Reply

Your email address will not be published.