ବ୍ୟଙ୍ଗ : ଶଙ୍ଖାର ମାହାତ୍ମ୍ୟ

ଏ ଜନ୍ମଦିନଟି ଗୋଟେ ବଡ଼ ବିଚିତ୍ର ଦିନ । ବିଶେଷକରି ଫେସବୁକ , ଇନଷ୍ଟାଗ୍ରାମ ଆଉ ହ୍ଵାଟ୍ସଆପର ବହୁଳ ପ୍ରସାର ପରେ ଯେଉଁ ସବୁ ଉଛୁଳା ପ୍ରେମର ଏକ ନୂତନ ସାହିତ୍ୟ ଧାରା ଆରମ୍ଭ ହୋଇଛି, ତାକୁ ଦେଖି ବେଳେ ବେଳେ ଆଖି ତରାଟି ହୋଇଯାଉଛି । ହଜାରେ ଲୋକଙ୍କୁ ଚନ୍ଦେଇଥିବା , କନ୍ଦେଇଥିବା ରାମା , ଦାମା , ଶାମାକୁ ଅନ୍ୟମାନଙ୍କ ଭଳି ମୁଁ କୋଟି ଆୟୁଷର କଲ୍ୟାଣ ଯାଚି ଦେଇଆସେ ସେଇଠାରେ ।

ଯାହାହେଉ ସୋସିଆଲ ମିଡ଼ିଆର ଏଇଟା ସବୁଠୁ ବଡ଼ ମାଧୁର୍ଯ୍ୟ ଯାହା ବ୍ୟକ୍ତ କରିବାକୁ ଚାହୁଁ ଅବ୍ୟକ୍ତ ହୋଇ ରହିଯାଏ ଯାହା ଅବ୍ୟକ୍ତ ତାକୁ ଆମେ ଏଠି ଆନନ୍ଦରେ ବ୍ୟକ୍ତ କରିପାରୁ ।

ଏଇ ଗଲା ଚାରି ତାରିଖ ମୋ ୱ।ନ୍ ଆଣ୍ଡ୍ ଓନଲି ପତ୍ନୀଙ୍କ ଜନ୍ମଦିନ ଥିଲା । ସକାଳୁ ପତ୍ନୀଙ୍କୁ ନେଇ ମନ୍ଦିର ଯାଇଥିଲି । ଠାକୁରଙ୍କୁ ତାଙ୍କ ଶୁଭ ମନାସୀ ଦୀପ ଲଗେଇ ଆସିଲୁ । ଦିନଯାକ ଫୋନରେ ତାଙ୍କ ଭର୍ଚୁଆଲ ୱାର୍ଲଡ଼ର ଯେତେକ ଅପା, ଦି,ନାନୀଙ୍କ ସହ ଭାଇ ଭାଇନା ସାର୍ ଓଗେର ଥିଲେ ସମସ୍ତେ ନିଜ ନିଜ ଢଙ୍ଗରେ ଶୁଭେଚ୍ଛା ଜଣେଇଲେ । ପତ୍ନୀବି ସମସ୍ତଙ୍କୁ ପ୍ରତି-ଧନ୍ୟବାଦ ଦେବା ସହ ଆବଶ୍ୟକ ସ୍ଥଳେ ଇଏ ଅର୍ଥାତ ମୁଁ ତାଙ୍କୁ ଜନ୍ମଦିନରେ କଣ ଦାମୀ ଉପହାର ମାନ ଦେଇଛି ବା ଦେବି ତାହାର ଏକ ସଂକ୍ଷିପ୍ତ ସୂଚୀ ଦେଉଥାନ୍ତି । ସେ ସବୁ ଶୁଣି ମୋ କାନ ତାବଦା ।

ମୋ ଜୀବନରେ ଦେଖି ନଥିବା , ଛୁଇଁ ନଥିବା ଜିନିଷ ମୁଁ ଉପହାର ଦେଇଛି କି ଦେବି ତାଙ୍କୁ ଭାବି କାକର ଦିନର କୁକୁର ଛୁଆ ଭଳି କନକନେଇ ଯାଉଥାଏ । କିଛି ସମୟ ପରେ ପତ୍ନୀଙ୍କୁ ପାଖକୁ ଡାକି ସାହସ ଠୁଳ କରି ପଚାରିଲି ,”ଲୋକଙ୍କୁ ଏତେ ମିଛ କହିବା କଣ ଦରକାର ? ମୋ କଥା ଶୁଣି ପତ୍ନୀ ଗର୍ଜି ଉଠିଲେ ତାଙ୍କ ଚିରାଚରିତ ଦୃଢ଼ ଓ ଅନୁଚ୍ଚ କଣ୍ଠରେ । ମୋତେ ବିରକ୍ତ ହେଲାବେଳେ ସେ ବହୁତ ସଚେତନ ଥାଆନ୍ତି ଘରର ଅନ୍ୟାନ୍ୟ ଲୋକଙ୍କ କାନରେ ଯେମିତି ମୋ ପାଇଁ ଉଦ୍ଦିଷ୍ଟ ଶବ୍ଦବାଣ ବିସ୍ଫୋରିତ ନହୁଏ ।

– ସମସ୍ତେ ପଚାରୁଛନ୍ତି ଭାଇ କି ସାର କଣ ଉପହାର ଦେଲେ ? କହିବି କଣ ? ସକାଳୁ ଯାଇ ମନ୍ଦିରରେ ଦୀପ ଲଗେଇ ଆସିଛୁ ବୋଲ ? ଆଖି ଫୁଟିଯାଇଛି କି ତମର ଦେଖିପାରୁନ ଲୋକମାନେ ଘରେ ଫଟା ଚିରା ଲୁଙ୍ଗି ପିନ୍ଧି ବୁଲୁଥିବେ ସିନା କି ନିଜ ନିଜ ପତ୍ନୀଙ୍କ ଜନ୍ମଦିନରେ ବଡ଼ ହୋଟେଲରେ ବେଲୁନ୍ ଫୁଟେଇ କେକ୍ କାଟି ଜନ୍ମଦିନ କେଡ଼େ ଖୁସିରେ ପାଳୁଛନ୍ତି !!

ଜନ୍ମଦିନର ଏମିତିକା ଫୋଟ ଛାଡୁଥିବା ଲୋକମାନେ ଯେ କେତେ ନିର୍ଦ୍ଦୟ, ହୃଦୟହୀନ ଓ ନିଷ୍ଠୁର ତାହା ସେମାନେ ଜାଣିପାରନ୍ତି ନାହିଁ । ସେଭଳି ଛାତିଫଟା ଫଟୋ ଦେଖି କେତେଜଣଙ୍କ ଘରେ ଯେ ନିଆଁ ଲାଗୁଥିବ କିଛି ଅନୁମାନ ଥାଏ କି ସେଇ ନିଆଁଲଗା ଲୋକଙ୍କର !

ପତ୍ନୀଙ୍କ କଥା ଶୁଣି କହିଲି , ଏ କେକ୍ ,ବେଲୁନ, ଜନ୍ମଦିନ ପାର୍ଟି,ଦାମୀ ଉପହାର ସବୁ ବଡ଼ବଡିଆଙ୍କ କଥା । ଆମ ଭଳି ଖଟିଖିଆଙ୍କର ଏସବୁ କଣ ଥାଏ ? ମନ୍ଦିର ଯାଇ ଠାକୁର ଦର୍ଶନ କଲେ। ତାଙ୍କୁ ମନକାମନା ଜଣେଇଲେ । ସଂସାର ଚଳାଉଛନ୍ତି ସେ । ଆମ କଥା ବୁଝିବେ।”

ମୋ କଥା ଶୁଣି ସେ ‘ ହୁଁ’ ଟାଏ ମାରି ସେଠୁ ଚାଲିଗଲେ । ତାଙ୍କ ଶୁଖି ଯାଇଥିବା ମୁହଁଟା ମୋ ହୃଦୟକୁ ନଡିଆ କୋରଣାରେ କୋରି ଦେଲାଭଳି ପ୍ରତେ ହେଲା ।

ବହୁ ସମୟ ଧରି ମୁଁ ମନସ୍ତାପରେ ରହିଲି । ମୋ’ ପତ୍ନୀ ଘରକାମ ସହ ପିଲା ମାନଙ୍କର , ବନ୍ଧୁବାନ୍ଧବଙ୍କ , ବାବା ମାଆଙ୍କ ସେବା ସବୁ ମନ ଦେଇ କରୁଛନ୍ତି । ବେଳେବେଳେ ଲାଗେ ମୋତେ ବାହା ହୋଇନଥିଲେ ସେ ନିଜେ ସ୍ୱାଧୀନ ଭାବରେ କିଛି କରି ଅଧିକ ଜଣାଶୁଣା ହୋଇପାରିଥାନ୍ତେ । ମୋ ପୋଡ଼ା ଭାଗ୍ୟ ଯେ ତାଙ୍କୁ ତାଙ୍କ ଇଚ୍ଛାପୁରିଲା ଭଳି ସୁଖ ଟିକେ ଦେଇପାରୁନି।
କିଛି ସମୟ ପରେ ତାଙ୍କୁ ପାଖକୁ ଡାକି କଅଁଳେଇ କହିଲି , ଆଜି ତମ ଜନ୍ମଦିନରେ ତୁମର ମନଦୁଃଖ କରେଇବା ମୋର ଉଦ୍ଦେଶ୍ୟ ନଥିଲା । ଛାଡ଼ ସେ ସବୁ ! କଣ ଦରକାର କୁହ ମୁଁ ଆଣିଦେବି ।”

ମୋ ମୁହଁକୁ ଏକ ଅବିଶ୍ଵସନୀୟ ଚାହାଣୀରେ ଅନେଇ କହିଲେ, ” ଥାଉ ତୁମର ତ ଜନ୍ମରୁ ଅଭାବ । କଣ ମାଗିବି ?”
ବେଶି ବଳେଇବାରୁ କହିଲେ , “ସ୍ତ୍ରୀଟେ କଣ ଚାହେଁ ଯେ ! ଦୁଇପଟ ଶଙ୍ଖା , ଫରୁଆଏ ସିନ୍ଦୁର । ଆଣିଦିଅ ସେତକ । ”

ମୋ ଆଖିରେ ଲୁହ ଆସିଯିବା କଥା ଆତ୍ମଗ୍ଲାନିରେ । ପିଲାବେଳୁ ଲୁହ ବୁହେଇନି କେବେ ମାଆ କଥାରେ। ମର୍ଦ୍ଦ ଆଖିରେ ଲୁହ ବଡ଼ ଅସୁନ୍ଦର ବୋଲି ମାଆ ବୁଝେଇଥିଲା ପିଲାଦିନେ ଥରେ ସାଥୀସାଙ୍ଗ କାହାଠାରୁ ମାଡ଼ ଖାଇ କାନ୍ଦୁଥିଲାବେଳେ । ସେବେଠୁ ଏଇ ଆଖି କେଡ଼େ କେଡ଼େ କଥାରେ ମାଛ ଆଖି ଭଳି ସ୍ଥିର ହୋଇଯାଏ ସିନା ଲୁହେଇ ପାରିନି । ଭାରି ଭାରି ଲାଗିଲା ମୋତେ। ପତ୍ନୀ ତାଙ୍କ ମହାନତାରେ ଅନେକ ଥର ମୋତେ ଭାବପ୍ରବଣ କରେଇ ଦିଅନ୍ତି । କେବଳ ଦୁଇ ପଟ ଶଙ୍ଖା !! ମୁଁ ଅଧମ ତାଙ୍କୁ କେତେ ଭୁଲ ବୁଝୁଚି। – -ଏବେ ଯାଉଛି ଦୁଇ ନୁହେଁ ଚାରି ପଟ ଶଙ୍ଖା ନେଇ ଆସୁଛି ।” ମୋ କଥା ଶୁଣି କହିଲେ ,”ସତରେ ଆଣିଦେବ?” ମୁଁ ଖୁସିରେ କହିଲି , ମୁହଁ ଖୋଲି ପ୍ରଥମଥର କିଛି ମାଗିଛ । ଆଣିବିନି କେମିତି ?” ଦେଖିପାରୁଥିଲି ମୋ କଥା ଶୁଣି ତାଙ୍କ ମୁଖମଣ୍ଡଳରେ ଚମକ ଖେଳିଗଲା । ମୋ’ ମୁହଁକୁ ଦେଖି କହିଲେ,” କେଉଁଠୁ ଆଣିବ ? ମୁଁ ତୁମ ସାଙ୍ଗରେ ଗଲେ ହୁଅନ୍ତା ନାହିଁ ?”

ମୁଁ କହିଲି ,”ଶଙ୍ଖା ଦୁଇପଟ ତୁମ ପାଇଁ ମୁଁ କିଣି ପାରିବି ନାହିଁ ଭାବୁଛ ?” ଝୋଲାସାହି ମସଜିଦ ପାଖରେ ବଢିଆ ଶଙ୍ଖା ତିଆରି ହେଉଛି । ଭଲ ଡିଜାଇନ ଦେଖି କିଣି ଆଣିବି । ମୋ କଥା ଶୁଣି ପତ୍ନୀ ମୁହଁଟାକୁ ଆମ୍ବିଳେଇ କହିଲେ, ଓଃ ! ତୁମ ଗାଡ଼ିରେ ନାଲି କନାରେ ବାନ୍ଧିବା ପାଇଁ ଶଙ୍ଖା କିଣିବାକୁ ଯାଉଛ ପରା ! ମୁଁ ମୋ ପାଇଁ ଭାବିଲି । ଆର ମାସରେ ବଡ଼ ନଣନ୍ଦଙ୍କ ନକନକିଆ ସୁନା ଚେନଟା ଏଇ ଘରେ ଛିଣ୍ଡିଗଲା ବୋଲି ତୁମେ ମାଆ ପୁଅ ଦେଖିପାରି ତାକୁ ବଦଳେଇ ଭରିଏ ଓଜନର ମଙ୍ଗଳସୁତ୍ର କିଣେଇ ଦେଲ ତାନିଷ୍କ ଯାଇ । ମୋ ପାଇଁ ଝୋଲା ସାହି ଶଙ୍ଖା !!”

ତାଙ୍କ କଥା ଶୁଣି ମୋ ପାଦ ଶିରଶିରେଇ ଗଲା । ଏ’ ଶଙ୍ଖା ଭିତରେ ପୁଣି ଏତେ କଥା !!

ମୋ ହାଵ ଭାବ ଦେଖି ପତ୍ନୀ କହିଲେ, ଥାଉ ! ତୁମ ଘରେ ଗୋତି ଖଟିଲା ଭଳି ମଲାଯାଏଁ ଖଟିଲେ ବି ତୁମେ କିଣି ଦେବନି କିଛି ମୋତେ ଜଣା । ଗଲା ମ୍ୟାରେଜ ଆନିଭର୍ସାରୀରୁ ମୋ ମନ ଫାଟି ଯାଇଛି ଜାଣ । କଣ ଭାବିଚ ମୁଁ ଭୁଲି ଗଲି କି? ସକାଳେ ଘରୁ କହିକି ଗଲ ଯେ ସାଙ୍ଗମାନେ ଘରକୁ ଆସିବେ ମୁଁ ଯାଉଛି ଟବ ଆଣିବାକୁ । ଏତେ ଖର୍ଚ୍ଚକରି ସ୍ନେହରେ ମୋ କାନ ପାଇଁ ଯେତେବେଳେ ସୁନା ଟବ ଆଣିବ ଖୁସିରେ ତୁମ ସାଙ୍ଗମାନଙ୍କୁ ତିନି ତିଅଣ ଚାରି ଭଜା ରାନ୍ଧି ଖୋଇନଥାନ୍ତି କଣ ! ସନ୍ଧ୍ୟାରେ କହିଲ କଣ ନା ଆମ ଆଡେ ଚେପଟା ଡେକ୍ଚିକୁ ଟବ କହନ୍ତି , ତାକୁଇ ଆଣିବାକୁ ଯାଇଥିଲି । ଏସବୁ ଭାବିଲା ବେଳକୁ ମୋ ମନ ପୋଡି ଜଳିଯାଉଛି । ଛାଡ଼ ସେ ସବୁ ମୋ’ ଭାଗ୍ୟ । ” ସେ ଥରେ ନୁହେଁ ବାରମ୍ବାର ଦୀର୍ଘନିଃଶ୍ବାସ ତ୍ୟାଗ କଲେ ।

ଦି’ ପଟ ଶଙ୍ଖାର କଥା । ଅନେକବ୍ୟଥା ସେଥିରେ !

ନିଜକୁ କେତେ ହୀନିମାନିଆଁ କରିପାରନ୍ତା ମୋ ଭଳି ଗୋଟିଏ ପତ୍ନୀଙ୍କ ଆଖିର ଅକର୍ମା ପୁରୁଷ ! ବହୁ କଷ୍ଟରେ କହିଲି ,” ଆରେ ! ସୁନା ଶଙ୍ଖା ଆଣିଲେ ବଡ଼ଖର୍ଚ୍ଚଟେ ପାଇଁ ବ୍ୟସ୍ତ ହେବ ବୋଲି ଝୋଲାସାହି କଥା କହିଲି ନା । ତାନିଷ୍କ କାହିଁକି ଯିବା ? ମେଣ୍ଟେନାନ୍ସ ଖର୍ଚ୍ଚ ଛାଣି ନିଅନ୍ତି ସେମାନେ ପକେଟରୁ । ମଙ୍ଗଳାବାଗରେ ନୂଆ ଗୋଟେ ସୋ ରୁମ ଖୋଲିଛି । ଶୀଘ୍ର ବାହାର ସେଇଠୁ କିଣି ଆଣିବା ।” କେଇ ବର୍ଷ ହେଲା ଘାଟା ଖାଉଥିବା ବ୍ୟବସାୟର ଗୋଟେ ବ୍ୟବସ୍ଥା କରିବାକୁ ବହୁ ଦୌଡାଦୌଡ଼ିରେ ବ୍ୟାଙ୍କରୁ ମିଳିଥିବା କିଛି ନଗଦ ଟଙ୍କାକୁ ଆଶ୍ରା କରି ପତ୍ନୀଙ୍କୁ ନେଇ ବାହାରିଲି ଶଙ୍ଖା କିଣି ।

ବାଇକ ଚଲାଉଥିଲାବେଳେ ମାଆର ଉପଦେଶ ମନେ ପଡୁନଥିଲା । ଆଖି କୋଣରେ ପାଣି ଯାହା କାକର ହୋଇଯାଉଥିଲା ଶୀତୁଆ ପବନ ବାଜି ।
ବନମାଳୀ ଭବନ
ଖାନ ନଗର , କଟକ