Latest Odisha News

BREAKING NEWS

କୁଳାଙ୍ଗାର ଉବାଚ : ଡେଙ୍ଗୁକୁ ଡର କାହିଁକି

ଗୋଟେ ଡେଙ୍ଗୁମଶା ସହିତ ଜଣେ
ସାଧା ମଶାର ହୋଇଗଲା ଭେଟ;
ପଚାରିଲା ଭାଇ ଏବେ ସହରେ
ତମେ ତ ଭଲ ଲଗେଇଚ ନାଟ !

ଡେଙ୍ଗୁ ମଶା କହିଲା ଭାଇଫାଇ
ନୁହଁ, ଏବେ ଡାକିବୁ ମୋତେ ସାର୍;
ଏବେ ଆଉ ନିଜକୁ ନେତା ନୁହେଁ
ଭାବୁଛି ଗୋଟେ ବଡ ଅଫିସର୍!

ସାଦା ମଶା କହିଲା ଉଭୟ ତ
ଥାଆନ୍ତି ଜନତାଙ୍କ ହିତ ପାଇଁ;
ତମେ ତ ଘାଣ୍ଟୁ ଅଛ ଅନେକଙ୍କୁ
ନିତି ଡାକ୍ତରଖାନା ପଠେଇ!

ଡେଙ୍ଗୁ ମଶା କହିଲା ତୁ ବୁଝିବୁ
କାହୁଁ ଏଥିରେ କାହାର ଲାଭ;
ମୁଁ ଥାଉଥାଉ ବାହାରୁ ଆସିକରି
କରୋନା ଏଇଠି ଖେଳ କରିବ?

ଆମର ତ ଏଠି ଯାହା ବି ହୁଏ
ସବୁ ବିଶ୍ବସ୍ତରୀୟ ଏବଂ ବଡ;
ଲୋକାଲ ହୋଇ ଭୋକାଲ ହେବାର
ଆହ୍ବାନରେ ମୁଁ ଦେଖାଉଛି ତୋଡ!

ହେଲେ ତୋର ଏଥିରେ ଅସୁବିଧା
କଣଟା ଯେ କରୁଛୁ ଏତେ ଚିନ୍ତା?
ବରଂ ତୁ ଆମର କର୍ମୀ ହିସାବରେ
ଏଥିପାଇଁ ଗର୍ବ କରିବା କଥା!

ସାଦା ମଶା କହିଲା ତମ ଡରେ
ଲୋକେ ଅଧିକ ସତର୍କ ହେଲେଣି;
ରକ୍ତ ଅଭାବରୁ ଓ ଆକ୍ରମଣେ
ଆମ ବହୁ ଜାତିଭାଇ ମଲେଣି !

ଡେଙ୍ଗୁ ମଶା କହିଲା ସେଇଠି ତ
ଛୋଟ ବଡଙ୍କ ଭିତରେ ଫରକ;
ଜଣେ ଅନ୍ଧାକାରରେ ଖଟି ମରେ
ଆରକ ଦିବାଲୋକେ ଧରେ ବେକ!

Leave A Reply

Your email address will not be published.