Latest Odisha News

BREAKING NEWS

ମାର୍ଚ୍ଚ ୨୦ ଆଜି ‘ବିଶ୍ୱ ପଖାଳ ଦିବସ’: ଦେଶ-ବିଦେଶରେ ଜାକଜମକରେ ପାଳିତ

ଭୁବନେଶ୍ୱର: ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରିଥାଆନ୍ତି ଓଡ଼ିଆମାନେ । କେବଳ ଯେ, ଏହି ପଖାଳ ଦିବସ ଓଡ଼ିଶାର ସଦହଦ ମଧ୍ୟରେ ସୀମିତ ତାହାନୁହେଁ, ପଖାଳର ଚମତ୍କାରୀତା ଏବେ ବିଶ୍ୱବ୍ୟାପୀ ପ୍ରସାରରିତ ହୋଇସାରିଲାଣି । ଏବେ ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଏହି ପଖାଳ ଦିବସ ପାଳନ କରିବା ସହିତ ପଖାଳର ଉପକାରୀତା ଏବଂ ମହତ୍ୱକୁ କ୍ରମରେ ପ୍ରସାରିତ କରିବା ପ୍ରଶଂସନୀୟ ।

ଓଡ଼ିଆ ପଖାଳ ଆଜି ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିପାରିଛି । ସାରା ଜଗତର ନାଥ ଶ୍ରୀଜଗନ୍ନାଥ ରାତିରେ ଦହି ପଖାଳ ନଖାଇଲେ ତାଙ୍କୁ ଭଲ ନିଦ ହୁଏ ନାହିଁ । ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ କେଉଁ କାଳରୁ ଶ୍ରୀଜୀଉମାନଙ୍କୁ ଏହି ପଖାଳକୁ ଭୋଗ ଆକାରରେ ପରଷି ଦିଆଯାଇଥାଏ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପଖାଳ ଅତି ପ୍ରିୟ ଖାଦ୍ୟ ଭାବେ ସମସ୍ତ ଓଡ଼ିଆ ଅଳ୍ପବହୁତେ ଜାଣନ୍ତି ।

ପଖାଳ ହେଉଛି ଓଡ଼ିଆଙ୍କ ଅତି ପ୍ରିୟ ଖାଦ୍ୟ । ଭାତରେ ପାଣି ମିଶ୍ରଣ କରି ସାଙ୍ଗରେ ସୁଆଦିଆ ଆମିଷ ଓ ନିରାମିଷ ବ୍ୟଞ୍ଜନରେ ପଖାଳ ବେଶ୍ ସ୍ୱାଦିଷ୍ଟ ଲାଗିଥାଏ । ଏବେ ଓଡ଼ିଶା ସମେତ ଦେଶ ବିଦେଶରେ ମଧ୍ୟ ପ୍ରତ୍ୟେକ ହୋଟେଲ, ରେଷ୍ଟୁରାଣ୍ଟ ତଥା ପାଇଭଷ୍ଟାର ହୋଟେଲରେ ପଖାଳ ମିଳିପାରୁଛି । ଓଡ଼ିଶାର ଏହି ପଖାଳ ମଧ୍ୟ ପଶ୍ଚିମବଙ୍ଗ, ବିହାର, ଗୁଜରାଟ, ଦିଲ୍ଲୀ ଏବଂ ଉତ୍ତରପ୍ରଦେଶରେ ପ୍ରସାରିତ ହୋଇ ପ୍ରସିଦ୍ଧି ଲାଭ କରିପାରିଛି ।

ଓଡ଼ିଆ ଜନସାଧାରଣ ପଖାଳକୁ ସାଧାରଣତଃ କଂସାରେ ଖାଇବାକୁ ପସନ୍ଦ କରିଥାଆନ୍ତି । ପଖାଳ ନିମନ୍ତେ କଂସା ସ୍ୱତନ୍ତ୍ର ଭାବେ ନିର୍ମିତ ହୋଇଥାଏ । ଚିଙ୍ଗୁଡ଼ି ଛେଚା, ଚୂନା ମାଛ, ପତ୍ରପୋଡ଼ା ଚିଙ୍ଗୁଡ଼ି, ପତ୍ରପୋଡ଼ା ଚୂନା ମାଛ, ପୋଡ଼ା ମଟନ୍‌, ତାୱା ସେକା ରୋହି ଓ ଖଙ୍ଗା ମାଛ, ଚିଙ୍ଗୁଡ଼ି ଛେଚା, ପତ୍ରପୋଡ଼ା ଛତୁ, ଛତୁ ଭଜା ସମେତ ଆମିଷ ଓ ନିରାମିଷ ବ୍ୟଞ୍ଜନରେ ପଖାଳ ବେଶ୍ ସ୍ୱାଦିଷ୍ଟ ଲାଗିଥାଏ ।

ପଖାଳ ଯେ ଖାଲି ଏକ ଖାଦ୍ୟ ତାହା ନୁହେଁ ଏଥିରେ ମଧ୍ୟ ରହିଛି ଯାବତୀୟ ଔଷଧୀୟ ଗୁଣ ଯାହାକି ଶରୀରକୁ ଦେଇଥାଏ ବିଭିନ୍ନ ପ୍ରକାରର ପ୍ରଚୁର ପୋଷଣ । ଲୋକଙ୍କ ରୁଚିକୁ ଦୃଷ୍ଟିରେ ରଖି ବିଭିନ୍ନ ହୋଟେଲ୍‌ ପରଷି ଦେଉଛନ୍ତି ରକମ ରକମର ପଖାଳ। ଜିରା ପଖାଳ, ଦହି ପଖାଳ, ଚାଇଁ ପଖାଳ, ଆମ୍ବ କଷିଆ ଅଦା ପଖାଳ ଓ ଅରୁଆ ପଖାଳ। ପଖାଳ ପାଗ ପ୍ରସ୍ତୁତି ଦିନକ ଆଗରୁ ହୁଏ। ପୂର୍ବଦିନ ରାତିରେ ଭାତ ରାନ୍ଧି ପଖାଳି ଦେବା ପରେ ଏଥିରେ ଧନିଆ ପତ୍ର, ଅଦା, କଞ୍ଚାଲଙ୍କା, ଚାଟ୍‌ ମସଲା, ଦହି ଦେଇ ଭୃସଙ୍ଗ ପତ୍ର ଓ ସୋରିଷରେ ଛୁଙ୍କ ପ୍ରସ୍ତୁତ କରାଯାଏ ।

Leave A Reply

Your email address will not be published.