Support to Journalists: ସାମ୍ବାଦିକଙ୍କ ପରିବାର ପାଇଁ ସରକାରଙ୍କ ସହାୟତାର ହାତ, ୧୩ ପରିବାରକୁ ମିଳିଲା ୪ ଲକ୍ଷ ଲେଖାଏଁ ଟଙ୍କା
ଭୁବନେଶ୍ୱର: କାର୍ଯ୍ୟରତ ସାମ୍ବାଦିକଙ୍କ କଲ୍ୟାଣ ଓ ସେମାନଙ୍କ ପରିବାରର ଆର୍ଥିକ ସୁରକ୍ଷା ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ସହାୟତାମୂଳକ ପଦକ୍ଷେପ ଜାରି ରଖିଛନ୍ତି। କାର୍ଯ୍ୟରତ ଅବସ୍ଥାରେ କୌଣସି ସାମ୍ବାଦିକଙ୍କ ମୃତ୍ୟୁ ଘଟିଲେ, ତାଙ୍କ ନିକଟତମ ଆତ୍ମୀୟଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ମାଧ୍ୟମରେ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯାଉଛି।
ଚଳିତ ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ ୧୩ ଜଣ ମୃତ କାର୍ଯ୍ୟରତ ସାମ୍ବାଦିକଙ୍କ ପରିବାରକୁ ଏହି ସହାୟତା ପ୍ରଦାନ କରାଯାଇଛି। ଅର୍ଥାତ୍, ୧୩ଟି ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଛି। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି । ସାମ୍ବାଦିକଙ୍କ ମୃତ୍ୟୁ ପରେ ପରିବାର ଉପରେ ସୃଷ୍ଟି ହେଉଥିବା ଆର୍ଥିକ ଚାପକୁ କିଛି ମାତ୍ରାରେ ହ୍ରାସ କରିବା ଏହି ସହାୟତାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଛି।
ତେବେ ସାମ୍ବାଦିକମାନେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ସମାଜର ଘଟଣା, ସମସ୍ୟା ଓ ଲୋକଙ୍କ ଅଭିଯୋଗକୁ ସାମ୍ନାକୁ ଆଣିବାରେ ଅହରହ କାର୍ଯ୍ୟ କରନ୍ତି। ଅନେକ ସମୟରେ ବିପଦପୂର୍ଣ୍ଣ ପରିସ୍ଥିତିରେ ମଧ୍ୟ ଖବର ସଂଗ୍ରହ କରି ସରକାର ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରନ୍ତି। ତେଣୁ ସେମାନଙ୍କ କଲ୍ୟାଣ ସହ ପରିବାରର ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକତା ରହିଛି।
ତେଣୁ ସରକାରଙ୍କ ଏହି ପଦକ୍ଷେପ ମୃତ କାର୍ଯ୍ୟରତ ସାମ୍ବାଦିକଙ୍କ ପରିବାର ପାଇଁ ଆର୍ଥିକ ସମୟରେ ଏକ ସହାୟକ ଭରସା ହୋଇଛି। ଆଗାମୀ ଦିନରେ ମଧ୍ୟ ସାମ୍ବାଦିକଙ୍କ କଲ୍ୟାଣ, ସୁରକ୍ଷା ଓ ପରିବାରର ଆର୍ଥିକ ସହାୟତା ଦିଗରେ ସରକାର ଗୁରୁତ୍ୱ ଜାରି ରଖିବେ ବୋଲି କୁହାଯାଇଛି।

