Latest Odisha News

BREAKING NEWS

ଭାଷା ଭାଗବତ : କଥା ଓ ଲେଖା ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୪୮ 

ପ୍ରଥମେ ଶବ୍ଦ ପ୍ରଚଳିତ
ତାପରେ ହୁଏ କୋଷଗତ
ଶବ୍ଦ ଗଠନ ସୂତ୍ର ଧରି
କରିବା ଶବ୍ଦଂକୁ ତିଆରି

ପୂର୍ବଗଠିତ ଶବ୍ଦ ଧରି
ହୁଏନି ନୂଆ ଚିଂତା ଭରି
ଶବ୍ଦକୋଷରୁ ମାତୃଭାଷା
ଶିକ୍ଷଣ ହୁଏନି ସରସା

ସ୍ମୃତିଗଚ୍ଛିତ ଶବ୍ଦାବଳି
କହି ଭାଷୀଏ ଥାଂତି ଚଳି
ସ୍ମୃତିରୁ ବାଛି ଶବ୍ଦମାନ
ଚଳାଂତି କଥୋପକଥନ

ଗ୍ରଂଥେ ସାଇତା ଶବ୍ଦପୁଂଜ
କହଂତି ପଂଡିତ ଦିଗ୍‌ଗଜ
ସଂଚିତ ଜ୍ଞାନ ପ୍ରଚାରକ
ହୋଇ ବିତାଂତି କାଳ ତକ

କଥନ ସହିତ ଲିଖନ
ପ୍ରାୟତଃ ନ ହୁଏ ମିଶ୍ରଣ
ଉଭୟେ ରଖି ବ୍ୟବଧାନ
କରଂତି ଉଦ୍ଦେଶ୍ଯ ସାଧନ

ଲୋକଂକ ଜୀବନଯାପନ
ନିମଂତେ ଲୋଡ଼ା ଶବ୍ଦମାନ
ଲୋକେ ହିଁ କରଂତି ଅର୍ଜନ
ନ ଥିଲେ ସୁଦ୍ଧା ଲିପିଜ୍ଞାନ

ନିରକ୍ଷରଂକ ସିଧା ଭାଷା
ଉପରେ ରଖିଲେ ଭରସା
ସ୍ବଭାଷା ଜୀବଂତ ସରସା
ହୋଇ ବଢ଼ାଇଥାଏ ଆଶା

ଲେଖାକୁ କଲେ ସ୍ବାଭାବିକ
ଆଗ୍ରହୀ ହୁଅଂତି ପାଠକ
ଲିପି ତ ଧ୍ବନିର ପ୍ରତୀକ
ଏଯାଏଁ ହୋଇନି ବ୍ୟାପକ

ଶହକେ ତିନି ଚାରି ଜଣ
କରଂତି ପଠନ ଲିଖନ
ବଢ଼ିଲେ ଏମାନଂକ ସଂଖ୍ୟା
ଭାଷାକୁ ମିଳିବ ସୁରକ୍ଷା

ଭାଷା ଲୋଡ଼େନି ସଂଘ ଗୋଷ୍ଠୀ
ଅଥବା ଅନୁଦାନ ପାଂଠି
ଲୋକେ ଖୋଲଂତି ଯେବେ ପାଟି
ଭାଷା ତ ବିଦ୍ୟମାନ ସେଠି

ଭାଷା ଲୋଡ଼େନି ଗବେଷକ
ଅତୀତ ଗୌରବ ସ୍ତାବକ
ଆମର ସାଧାରଣ ଲୋକ
କହି ରଖଂତି ଭାଷା ଟେକ

ଆନୁଷ୍ଠାନିକ ଶିକ୍ଷାଧାରୀ
ହୁଅଂତି ଭାଷାର ବେପାରୀ
ସେହେତୁ ଭାଷାର ଲକ୍ଷଣ
ହୁଏନି କେବେ ଲୋକଚ୍ଛିନ୍ନ

ଜ୍ଞାନୀଂକ ସଂକୀର୍ଣ ସମିତି
କରେନି ଲାଭ କିଂବା କ୍ଷତି
ଆତ୍ମପ୍ରଚାର କାମେ ମାତି
ଆତ୍ମସଂତୋଷ କରେ ପ୍ରାପ୍ତି

Comments are closed, but trackbacks and pingbacks are open.