Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୦୫ 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଆଦି ପରମପୁରୁଷ ପରମାତ୍ମା ନିଜ ଯୋଗମାୟାଙ୍କୁ ଶକ୍ତି ସ୍ୱରୂପ ବା ପ୍ରକୃତି ସ୍ୱରୂପରେ ନିଜ ସତ୍ତାରେ ଧାରଣ କରି ଥିବାରୁ ସୃଷ୍ଟି ସର୍ଜନା କରିବା ପାଇଁ ସ୍ୱଇଚ୍ଛା ପ୍ରକାଶ କରନ୍ତେ ସମସ୍ତ ସୃଷ୍ଟିର ପରିପ୍ରକାଶ ଘଟିଲା। ତେଣୁ ମନୁସ୍ମୃତିରେ ବର୍ଣ୍ଣିତ ହୁଏ ।

“ତତଃ ସ୍ୱୟଂ ଭୂ ଭ୍ରଗବାନ ବ୍ୟକ୍ତ ବ୍ୟଯଂୟନ୍ନିଦମ, ମହାଭୁତlଦି ବୃତ୍ତୋଯାଃ ପ୍ରଦୂରlସୀତ୍ତ ମୋନୁଦହଃ”

ଅର୍ଥାତ ଅବ୍ୟକ୍ତ ପରମାତ୍ମା ପରଂବ୍ରହ୍ମ ଭଗବାନ (ଶ୍ରୀଜଗନ୍ନାଥ )ଅନ୍ଧକାର ଅପସାରଣ ପୂର୍ବକ ମହାଭୂତମାନଙ୍କୁ ପ୍ରକାଶ କରି ନିଜକୁ ପ୍ରକଟିତ କରାଇଲେ। ଆମେ ମାନେ ଆଗରୁ ଜାଣିଛେ ପରଂବ୍ରହ୍ମ ସର୍ବଦା ନିର୍ଗୁଣ, ନିରାକାର, ଅବ୍ୟକ୍ତ, ଅନିତ୍ୟ ଭାବରେ ବିରାଜିତ। ତେବେ ସେ ନିଜକୁ କିଭଳି ପ୍ରକଟ କରାଇଲେ। ହାର ଅତି ସୁକ୍ଷ୍ମ ତତ୍ତ୍ୱ ବିଚାର ହେଲା ପରଂବ୍ରହ୍ମ ବା ପରମାତ୍ମା ନିଜର ପ୍ରକୃତି ସ୍ୱରୂପିଣୀ ମହାମାୟା ଙ୍କୁ ପ୍ରକଟ କରାଇଲେ। ସେ ଜାଣିଥିଲେ ଏ ବିଶ୍ୱବ୍ରହ୍ମlଣ୍ଡର ସୃଷ୍ଟି, ସ୍ଥିତି ଓ ଲୟରେ କେବଳ ମହାମାୟାଙ୍କ ମାୟା ଶକ୍ତି ହିଁ ଜଡିତ ହୋଇ ରହି ପାରିବ। ଯାଜ୍ଞ୍ୟବଳକ୍ୟ -ଗାର୍ଗୀ ସମ୍ବାଦରେ ଏହି ବିଷୟରେ ବିଷଦ ଆଲୋଚନା କରାଯାଇଛି ସଂସାରର ପଞ୍ଚତତ୍ତ୍ୱ, ସପ୍ତଲୋକ ଆଦିର ମୂଳ ଭିତ୍ତି ଖୋଜୁ ଖୋଜୁ ଶେଷରେ ବ୍ରହ୍ମଲୋକ ଓ ମହାମାୟାଙ୍କ ପାଖରେ ପରଂବ୍ରହ୍ମଙ୍କ ଉପସ୍ଥିତି ଜାଣି ବୃହଦlରଣ୍ୟକ ଉପନିଷଦରେ ଏହାର ବର୍ଣନା କରାଯାଇଛି । ଅତଏବ ପରଂବ୍ରହ୍ମଙ୍କ ସତ୍ତlର ଏକ ସାକାର ପରିପ୍ରକାଶ ହେଲା ଯୋଗମାୟା ବା ମହାମାୟା ଅଥବା ଏ ଶାରଦୀୟ ପୂଜା ଅବସରରେ ଆମେ ତାଙ୍କୁ ଅତି ଆଦରରେ ଡାକିବା ମା ଦୁର୍ଗା। ସେ ନିଜର ବିଭିନ୍ନ ସ୍ଵଭାବର ପରିପ୍ରକାଶ ଘଟାଇ କେତେବେଳେ ଅଷ୍ଟମାତୃକା ରୂପେ, କେତେବେଳେ ନବଦୁର୍ଗା ରୂପରେ, କେବେ ଅବା ଦେବୀଙ୍କ କ୍ରୋଧିତ ସତ୍ତାରୁ ଉତ୍ପନ୍ନ ଦଶ ମହାବିଦ୍ୟା ରୂପରେ ପ୍ରକାଶିତ। କିନ୍ତୁ ପରଂବ୍ରହ୍ମଙ୍କ ଅଭିନ୍ନ ସତ୍ତା ରୂପେ ସୃଷ୍ଟି, ସ୍ଥିତି ଓ ପ୍ରଳୟର କାରଣ ସେ ଯୋଗମାୟା, ମହାମାୟା, ମହାଶକ୍ତି।

ସନାତନ ଧର୍ମର ଦୁଇ ମହାନ ଗ୍ରନ୍ଥ ରାମାୟଣ ଓ ମହାଭାରତରେ ମଧ୍ୟ ଏହି ମହାଶକ୍ତି, ମହାଦେବୀଙ୍କ ବର୍ଣ୍ଣନା ଦେଖିବାକୁ ମିଳେ। ପ୍ରଭୁ ଶ୍ରୀରାମ ରାବଣର ଆସୁରିକ ଶକ୍ତିକୁ ବିନାଶ କରିବା ପାଇଁ ଉଭୟ ଶିବ ଓ ଶକ୍ତି ଙ୍କୁ ଆରାଧନା କରିଥିଲେ। ସେହିପରି ଅଜ୍ଞାତବାସ ସମୟରେ ଯୁଧିଷ୍ଠିର ମହାଶକ୍ତି ଦେବୀଙ୍କୁ ଆରାଧନା କରିଥିଲେ “ଦୁର୍ଗlତ ତlରୟସେ ଦୁର୍ଗେ ତତ ତ୍ବଂ ଦୁର୍ଗା ସ୍ମୃତା ଜନେ।” ମହାଭାରତରେ ବିରାଟ ପର୍ବ ଓ ଭୀଷ୍ମ ପର୍ବରେ ଦେବୀଙ୍କ ଉପାସନା କରାଯାଇଛି। ମହାଭାରତ ଯୁଦ୍ଧରେ ବିଜୟୀ ହେବାପାଇଁ ମଧ୍ୟମ ପାଣ୍ଡବ ଅର୍ଜୁନ, ଶ୍ରୀକୃଷ୍ଣଙ୍କ ଉପଦେଶ ମାନି ଦେବୀଙ୍କ ଉପାସନା କରିଥିଲେ। କାରଣ ମହାଶକ୍ତିଙ୍କ ବରଦାନ ବିନା ଶତ୍ରୁ ଜୟ କରିବା ଅସମ୍ଭବ। କେବଳ ଭାରତବର୍ଷରେ ନୁହେଁ, ସମଗ୍ର ପୃଥିରେ ଶକ୍ତି ଉପାସନା ଜାରି ରହିଛି। ଅବଶ୍ୟ ନିଜ ନିଜର ତତ୍ତ୍ୱ ଓ ମତ ଅନୁସାରେ ମାଙ୍କ ନାମ ଓ ସ୍ୱରୂପର ବିଭିନ୍ନତା ରହିଛି, କିନ୍ତୁ ପରଂବ୍ରହ୍ମଙ୍କ ଶକ୍ତି ସ୍ୱରୂପରେ ଏକ ଓ ଅଭିନ୍ନ।

ଆସନ୍ତୁ ସେହିଶକ୍ତିଙ୍କୁ ଆରାଧନା କରିବା। “ଆର୍ତ୍ତତ୍ରାଣକରୀ ସଦାଶିବକରୀ କୈବଲ୍ୟ ଲୋଲୁପିନୀ ନାନା ଚିତ୍ର ବିଚିତ୍ର ଭୂଷଣକରୀ କାରୁଣ୍ୟ ପୂର୍ଣ୍ଣଶ୍ୱରୀ, କୌମାରି କରୁଣାମୟୀ ତ୍ରୀଲହରୀ ନୀଳାଦ୍ରି ଗୃହେଶ୍ୱରୀ, ତ୍ରାହିମାଂ ବିମଳେ ସଦା ସୁଖକରି ଶ୍ରୀକ୍ଷେତ୍ର ରାଜେଶ୍ୱରୀ । ”

ଜୟ ମା ଦୁର୍ଗା (ବିମଳା ), ଜୟ ଜଗନ୍ନାଥ. (ଦ. ତ୍ରୀ. ଉବାଚ )

Comments are closed, but trackbacks and pingbacks are open.