ଭୁବନେଶ୍ବର : ସାରା ରାଜ୍ୟରେ ବିଭିନ୍ନ ମଣ୍ଡି ମାନଙ୍କରେ ଚାଲିଛି ଧାନ ସଂଗ୍ରହ। ସରକାରଙ୍କ ତତ୍ୱାବଧାନରେ ଚାଲିଛି ଏହି ପ୍ରକ୍ରିୟା। କିପରି ଚାଷୀ ଟିକେ ବି ହଇରାଣ ନହେବେ ସେପାଇଁ ସଜାଗ ଅଛନ୍ତି ବୋଲି କହୁଛନ୍ତି ସରକାର। ଏହାରି ଭିତରେ ଧାନର କଟଣୀ ଛଟନୀକୁ ନେଇ ବଡ଼ ବୟାନ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।
ସେ କହିଛନ୍ତି, “ସରକାରଙ୍କ ନୀତି ହେଉଛି ଜିରୋ କଟନୀ ଛଟନୀ । ଅନେକ ଜିଲ୍ଲାରେ ଏହା ହୋଇନି। କିଛି ଜିଲ୍ଲାରେ ମିଲର ମାନମାନି କରୁଛନ୍ତି। ୬ ରୁ ୭ କିଲୋ କାଟିବା ପାଇଁ ଜିଦି ଧରୁଛନ୍ତି । ମିଲର କହୁଛନ୍ତି ଚାଷୀ ଏତେ ଟଙ୍କା ପାଉଛନ୍ତି ଆମେ କ’ଣ ପାଇବୁ? ଏହା ଶୁଣି ମୋତେ ଆଶ୍ଚର୍ଯ୍ୟ ଲାଗିଲା। ”
ମନ୍ତ୍ରୀ ଆହୁରି କହିଛନ୍ତି, “ମୋତେ ଜଣେ ଆଇଏସ ଅଫିସର କହିଲେ, କୃଷକ ମିଲରଙ୍କ ମଧ୍ୟରେ ସେମାନଙ୍କ ସମସ୍ଯା ଛାଡ଼ି ଦିଅନ୍ତୁ। ଆପଣ ମୁଣ୍ଡ ପୁରାନ୍ତୁନି, ସେମାନେ ଆପେ ନେଇଯିବେ। ମୁଁ ଅଫିସରଙ୍କୁ କହିଲି, ତେବେ ଆମ ପଲିସିର ଲାଭ କ’ଣ । ଆଶ୍ଚର୍ଯ୍ୟ ଏଭଳିଆ ମାନସିକତା ରହିଛି ସମସ୍ତଙ୍କୁ ପରିବର୍ତ୍ତନ କରିବାକୁ ସମୟ ଲାଗୁଛି। ଯେତେବଡ଼ ଅଫିସର ହେଉ କଟନୀ ଛଟନୀରେ ସହଯୋଗ କଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ଯେଉଁ ମିଲରମାନେ ଏମିତି କରିବେ ତାଙ୍କ ମିଲ ବ୍ଲାକ ଲିଷ୍ଟେଡ଼ ହେବ। ”
ମନ୍ତ୍ରୀଙ୍କ ବୟାନ ପରେ ପ୍ରତିକ୍ରିୟା ଦେଇଛି ବିଜେଡି। ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, “ମନ୍ତ୍ରୀମାନେ ଏମିତି ସତ କହିବା ଉଚିତ। ଡବଲ ଇଞ୍ଜିନ ସରକାରରେ ଡବଲ କଟନୀ ଛଟନୀ ହେଉଛି। ମନ୍ତ୍ରୀମାନେ ଜାଣି ପାରୁନାହାନ୍ତି ସେମାନେ ବିଭାଗର ମୁଖ୍ୟ। କିନ୍ତୁ ମନ୍ତ୍ରୀଙ୍କୁ ପଚାରିଲେ ସେମାନେ ଡିପାର୍ଟମେଣ୍ଟରୁ ବୁଝି କହିବା କଥା କହୁଛନ୍ତି। ”
ଅନ୍ୟପଟେ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ। ସେ କହିଛନ୍ତି, “ସରକାରଙ୍କର କିଛି ଦୋଷ ଦୁର୍ବଳତା ରହିଛି। ସେଥିପାଇଁ ସେମାନେ କୌଣସି କଥାରେ ମୁଣ୍ଡ ନପୁରେଇବାରୁ ଅଫିସର ମାନେ କହୁଛନ୍ତି ।” କର୍ମଚାରୀମାନେ ଯଦି ମନ୍ତ୍ରୀଙ୍କୁ ବିଶ୍ଵାସ କରୁନାହାନ୍ତି ତେବେ ନୈତିକତା ଦୃଷ୍ଟିରୁ ସେମାନେ ଇସ୍ତଫା ଦେବା ଉଚିତ ବୋଲି କହିଛନ୍ତି ରାମଚନ୍ଦ୍ର କାଡାମ ।
ହେଲେ କିଏ ସେହି ଆଇଏସ ଅଫିସର ? କିଏ ମନ୍ତ୍ରୀଙ୍କୁ ଏପରି କହିଛନ୍ତି ? କେଉଁ ଅଫିସରଙ୍କୁ ଟାର୍ଗେଟ କରିଛନ୍ତି ଯୋଗାଣ ମନ୍ତ୍ରୀ। ବିଜେଡି ଭଳିଆ କଣ ବିଜେପି ସରକାରରେ ଚାଲିଛି ବାବୁ ରାଜ ? ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
Comments are closed.