Latest Odisha News

BREAKING NEWS

ନବୀନଙ୍କ ରଣନୀତିରେ ଅନୁଗତଙ୍କ ଅକଲ ଗୁଡୁମ୍ !

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଅନେକ କିଛି ନୁଆ ଫର୍ମୁଲା ନବୀନ ଆପଣେଇଛନ୍ତି । ଅତୀତରେ ଏହାର ଅନେକ ପ୍ରମାଣ ମଧ୍ୟ ରହିଛି । କେତେବେଳେ ସେ କାହାର ପତ୍ତା କାଟନ୍ତି କାହାକୁ ଟେର ମଧ୍ୟ ମିଳେ ନାହିଁ । ତେବେ ବର୍ତମାନରେ ଦେଖିବାକୁ ଗଲେ ନବୀନଙ୍କ ନିଷ୍ପତ୍ତି କେବଳ ଶାସକ ଦଳର ନେତାଙ୍କୁ ଆଶ୍ଚର୍ଯ୍ୟ କରିନାହିଁ ବିରୋଧୀଙ୍କ ଚିନ୍ତା ମଧ୍ୟ ବଢ଼ାଇଦେଇଛି ।

ଏକାଥରକେ ସମସ୍ତ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କହି ନବୀନ କାହାର କପି କରିଥାଇପାରନ୍ତି ତେବେ ଓଡ଼ିଶା ଭୋଟରଙ୍କ ପାଇଁ ଏହା ନୂଆ । ଆଉ ସବୁଠୁ ବଡ଼ କଥା ହେଉଛି କ୍ଷମତାର ବଳୟ ଭିତରେ ରହିଥିବା ବିଦାୟୀ ମନ୍ତ୍ରୀମାନେ ପାଟି ବି ଖୋଲି ନାହାଁନ୍ତି । ଏହା ଦ୍ବାରା ସେ ଓଡ଼ିଶା ଭୋଟରଙ୍କୁ ଏହି ମେସେଜ ଦେବାକୁ ଚାହୁଁଛନ୍ତି ଯେ ସେ ହିଁ ସ୍ବଚ୍ଛ ଆଉ ଯେଉଁମାନେ ବିବାଦୀୟ ତାଙ୍କୁ ସେ ତାଙ୍କ ମନ୍ତ୍ରୀମଣ୍ଡଳରେ ନରଖି ପଡିଆ ବାହାରକୁ ପଠାଇଦିଅନ୍ତି ।

ଫଟାଫଟ୍ ନିଷ୍ପତ୍ତି ନେବାରେ ଓସ୍ତାଦ ନବୀନ ହିଁ ଓଡ଼ିଶା ରାଜନୀତିର ଟେଷ୍ଟ, ଓ୍ବାନ ଡେ, ଟି- ୨୦ ଟିମର ଅଧିନାୟକ । ସେ ଯାହାକୁ ଚାହିଁବେ ରଖିବେ ଯାହାକୁ ଚାହିଁବେ ବିତାଡିତ କରିଦେବେ ।

ତେବେ ପ୍ରଶ୍ନ ଉଠୁଛି ନବୀନ ପଂଚାୟତ ନିର୍ବାଚନ, ପୈାର ନିର୍ବାଚନ ଏବଂ ସଦ୍ୟସମାପ୍ତ ବ୍ରଜରାଜନଗର ଉପନିର୍ବାଚନରେ ରେକର୍ଡ ଭୋଟରେ ଜିତି ମଧ୍ୟ ଏପରି ଆଶ୍ଚର୍ଯ୍ୟ କଲା ଭଳି ନିଷ୍ପତ୍ତି ନେଲେ କାହିଁକି? ନିଜର ଅନୁଗତମାନଙ୍କ ସାହାଯ୍ୟରେ ଜିତୁଥିବା ବେଳେ ସେହିମାନଙ୍କ ପତ୍ତା କାଟିଦେଲେ କାହିଁକି? ତାଙ୍କ ଟିମରୁ ବାହାର କରିଥିବା ନେତା ଯେ ଭଲ ଖେଳାଳି ନୁହଁନ୍ତି ଏହା ମଧ୍ୟ କୁହାଯାଇପାରିବ ନାହିଁ ।

ଅନେକ ମ୍ୟାଚରେ ସେମାନେ ମଧ୍ୟ ବିଜୟୀ ହୋଇଛନ୍ତି ଏବଂ ମ୍ୟାନ ଅଫ ଦି ମ୍ୟାଚ ହୋଇ ଦଳକୁ ସଫଳତା ଦେଇଛନ୍ତି । ତେବେ ଅସଲ କଥା ହେଉଛି ସମସ୍ତ ନିର୍ବାଚନରେ ଜିତୁଥିଲେ ମଧ୍ୟ ପୁଣି କେଉଁଠି ନା କେଉଁଠି ନବୀନଙ୍କ ମନରେ ଦ୍ବନ୍ଦ୍ବ ରହୁଛି । ଓଡ଼ିଶାବାସୀଙ୍କ ମନରେ ସେ ତାଙ୍କ ମନ୍ତ୍ରୀମଣ୍ଡଳ ପ୍ରତି ଯେଉଁ ଖରାପ ଧାରଣା ରହିଛି ସେଥିରେ ସେ କଳାଦାଗ ରଖିବାକୁ ଚାହୁଁନାହାଁନ୍ତି ।

ଏହା ସହ ରାଜ୍ୟରେ ବିରୋଧୀଙ୍କ ପ୍ରତି ନବୀନଙ୍କ ଡର ଭୟ ନଥିବା ବେଳେ ମନ ଭିତରେ ମୋଦିଙ୍କ ଭୟ ରହିଛି । କାରଣ ଜାତୀୟ ଗଣମାଧ୍ୟମରେ ଯେତେ ସର୍ଭେ ହେଉଛି ସବୁଥିରେ ମୋଦିଙ୍କ ପ୍ରତି ଓଡ଼ିଶା ଭୋଟରଙ୍କ ଲୋକପ୍ରିୟତା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି । ୨୦୧୯ ଭଳି ୨୦୨୪ରେ ମୋଦିଙ୍କୁ ଅଧିକ ଲୋକ ପସନ୍ଦ କରି ଅଧିକ ଆସନ ଦେଇଦେବେ କି?

ଏହି ଭୟ କେବଳ ନବୀନଙ୍କୁ ନୁହେଁ ବିଜେଡିର ସମସ୍ତ ରଣନୀତିକାର ଭଲ ଭାବେ ଜାଣନ୍ତି । କାରଣ ଗତ ତିନି ବର୍ଷ ହେଲା ଭୋଟରଙ୍କ ମୁଡ ହିଁ ସେଇଆ କହୁଥିଲା । ନବୀନଙ୍କୁ ଭୋଟ ମିଳୁଛି ସତ କିନ୍ତୁ ଭୋଟରମାନେ ଯେ ମନ୍ତ୍ରୀମାନଙ୍କ ଉପରେ ଖପା ଅଛନ୍ତି ତାହା ସୋସିଆଲ ମିଡିଆଠୁ ଆରମ୍ଭ କରି ଗାଁ, ସହର ଚା ଖଟିରେ ସବୁଠି ଚର୍ଚା ହେଉଥିଲା । ରାଜନୀତି ସମୀକ୍ଷକମାନେ ମଧ୍ୟ ଅନେକ ସମୟରେ ନବୀନଙ୍କ ମନ୍ତ୍ରୀମାନଙ୍କ ପ୍ରତି ଅଙ୍ଗୁଳି ଉଠାଇ ପ୍ରଶ୍ନ କରୁଥିଲେ । କଣ ପାଇଁ ନବୀନ କାର୍ଯ୍ୟାନୁଷ୍ଠାନ ନେଉନାହାଁନ୍ତି ତାହା ସାଧାରଣ ଲୋକେ ବି ପ୍ରଶ୍ନ କରୁଥିବା ଦେଖିବାକୁ ମିଳୁଥିଲା ।

ଏସବୁ ଭିତରେ ନବୀନ ଯେ ମନସ୍ଥ କରିସାରିଥିଲେ ବିବାଦୀୟ ମନ୍ତ୍ରୀଙ୍କୁ ନିଜ ମନ୍ତ୍ରୀମଣ୍ଡଳରୁ ହଟାଇବା ପାଇଁ । ଆଉ ଶେଷରେ ସେୟା ହିଁ କଲେ । ଯାହା ଚର୍ଚା ହେଉଥିଲା ତାହାର ପରିସମାପ୍ତି ଘଟାଇଲେ । ଏବେ ନବୀନଙ୍କ ନୂଆ ଟିମ୍‌ ଗଠନ ହୋଇସାରିଛି । ଆଗକୁ ଆସୁଛି ୨୦୨୪ ସାଧାରଣ ନିର୍ବାଚନ । ତା ପୂର୍ବରୁ ନବୀନ ଖେଳିଛନ୍ତି ଏଭଳି ଏକ ମାଷ୍ଟର ଷ୍ଟ୍ରୋକ୍ । ଯାହା ସମସ୍ତ ବିରୋଧୀଙ୍କୁ ଘାଇଲା କରିପକାଇଛି।

ନବୀନ ୨୧ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୧୩ କ୍ୟାବିନେଟ୍ ଓ ୮ ରାଷ୍ଟ୍ରମନ୍ତ୍ରୀଙ୍କୁ ନେଇଛନ୍ତି। ନୂଆ ବ୍ରିଗେଡ୍‌ କ୍ୟାବିନେଟରେ ଜଣେ ନୂଆ ମୁହଁକୁ ସୁଯୋଗ ମିଳିଛି । ସେହିଭଳି ୯ ଜଣ ମନ୍ତ୍ରୀଙ୍କୁ ରିପିଟ୍ କରାଯାଇଛି । ୬ ଜଣ ନୂଆ ମୁହଁକୁ ମଧ୍ୟ ବିଜେଡି ସୁପ୍ରିମୋ ତାଙ୍କ ମନ୍ତ୍ରୀମଣ୍ଡଳରେ ସୁଯୋଗ ଦେଇଛନ୍ତି। ଆଉ ସବୁଠୁ ବଡ଼ କଥା ହେଲା ନବୀନଙ୍କ ମନ୍ତ୍ରୀମାନଙ୍କ ମଧ୍ୟରେ ୫୦ ପ୍ରତିଶତ ଓବିସି ଙ୍କୁ ସ୍ଥାନ ଦେଇଛନ୍ତି । ଏହାଦ୍ବାରା ରାଜ୍ୟରେ ସେ ଦର୍ଶାଇବାକୁ ଚାହୁଁଛନ୍ତି ଯେ ସେ ମଧ୍ୟ ଓବିସିମାନଙ୍କୁ ଉଚିତ ସମ୍ମାନ ଦିଅନ୍ତି ।

ସେହିଭଳି ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ୨୫ ପ୍ରତିଶତ ମହିଳାଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେଇଛନ୍ତି । ଏସବୁକୁ ଦେଖିଲେ ନବୀନଙ୍କ ଏହା ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଏକ ନୂଆ ଟିମର ଚେହେରା ସେ ଓଡ଼ିଶାବାସୀଙ୍କୁ ଆଗରେ ରଖିବାକୁ ଚାହିଁଛନ୍ତି ।

ଏହା ସତ ଯେ ଏହି ସବୁ ମନ୍ତ୍ରୀମାନଙ୍କ ନାମରେ ଭୋଟ ଅଛି କି ନାହିଁ ତାହା ବଡ଼ କଥା ନୁହେଁ । କାରଣ ନବୀନ ଜାଣନ୍ତି ତାଙ୍କ ନାମରେ ହିଁ ଭୋଟ ରହିଛି । ତେବେ ବିବାଦୀୟଙ୍କୁ ନିଜ ଟିମରେ ରଖି ସେ ରିକ୍ସ ନେବାକୁ ଚାହୁଁନାହାଁନ୍ତି ।

ତେବେ ସବୁଠୁ ବଡ଼ କଥା ହେଉଛି । ମନ୍ତ୍ରୀମଣ୍ଡଳ ବଦଳିଲେ ବିଜେଡିକୁ ଲାଭ ହେଉଛି କି କ୍ଷତି ହେଉଛି ସମୟ କହିବ । କିନ୍ତୁ ଓଡ଼ିଶାରେ ଯେଉଁ ମୂଳ ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଛି ତାହା ସମାଧାନ କରିବାରେ ନବୀନଙ୍କ ନୂଆ ମନ୍ତୀମଣ୍ଡଳ, ନୂଆ ଚେହେରା କେତେ ସକ୍ଷମ ହେଉଛି ତାହା ଦେଖିବାକୁ ଓଡ଼ିଶାବାସୀଙ୍କ ଅପେକ୍ଷା।

Leave A Reply

Your email address will not be published.