ରାୟଗଡ଼ା: ରାୟଗଡା ଜିଲ୍ଲା ନଗର ଉନ୍ନୟନ ସଂସ୍ଥା କର୍ଯ୍ୟାଳୟରେ ଅର୍ଥ ଆତ୍ମସାତ ହୋଇଥିବା ନଜରକୁ ଆସିଛି । କାର୍ଯ୍ୟାଳୟର ଜଣେ ଅଧିକାରୀ ବିନୟ ହରିଜନ ସରକାରୀ ଅର୍ଥ ପ୍ରାୟ ୧ କୋଟି ୯ ଲକ୍ଷ ନିଜ ଆକାଉଣ୍ଟକୁ ଟ୍ରାନସଫର୍ କରି ନେଇଯାଇଥିବା ଜଣାପଡିଛି । ଏନେଇ ରାୟଗଡା ଡିଆରଡିଏ ପକ୍ଷରୁ ଟାଉନ୍ ଥାନାରେ ଏକ ମାମଲା ରୁଜୁ କରାଯାଇଛି ।
ସରକାରୀ ଅର୍ଥକୁ ନିଜ ଏକାଉଣ୍ଟରେ ଟ୍ରାନସଫର୍ କରିବା ପରେ ଦୀର୍ଘ ସପ୍ତାହେ ହେବ ବାବୁ ଜଣକ ନିଜ କୋଠରୀରେ ତାଲା ପକାଇ ଫେରାର୍ ହୋଇଯାଇଛନ୍ତି । ତାଙ୍କ ମୋବାଇଲ ଫୋନ୍ ବନ୍ଦ ରହିଥିବା ବେଳେ ସେ ବର୍ତ୍ତମାନ ଫେରାର୍ ଥିବା ଆଶଙ୍କା କରାଯାଉଛି । ବିନୟ ହରିଜନ ରାୟଗଡା ନଗର ଉନ୍ନୟନ ସଂସ୍ଥା ବା ଡୁଡାରେ ପରିଚାଳନା ସୂଚନା ପ୍ରଣାଳୀ ବିଶେଷଜ୍ଞ ଭାବେ ଦୀର୍ଘ ଦିନ ହେବ କାମ କରୁଥିଲେ । ତେବେ ସେ ଅଫିସ କୁ ଆସୁନଥିବା ବେଳେ ଡୁଡାର ଅନ୍ୟ କର୍ମଚାରୀ ମାନେ ଅଫିସ କାର୍ଯ୍ୟ ଠିକ୍ ରେ କରିପାରୁନଥିବା ଜଣାପଡିଛି ।
ବିନୟ ହରିଜନଙ୍କ କାର୍ଯ୍ଯାଳୟ କୋଠରୀରେ ଏବେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି । ଅଧିକାରୀ ଜଣକ ସହରାଞ୍ଚଳରେ ଷ୍ଟ୍ରିଟ୍ ଲାଇଟ୍ ଓ ଏଲଇଡି ଟିଭି ପରିଚାଳନା କଥା ବୁଝୁଥିଲେ ବୋଲି ଜଣାପଡିଛି । ବର୍ତ୍ତମାନ ଏହି ଘଟଣାରେ ଟାଉନ ଥାନାରେ ଏତଲା ଦିଆଯାଇନଥିବା ବେଳେ ବିଭାଗୀୟ ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
ଏଥିପାଇଁ ଏକ ଟିମ୍ ଗଠନ କରାଯାଇଥିବା ଜିଲ୍ଲା ପରିଷଦ ଅଧିକାରୀ ବା ସିଡିଓ ସୂଚନା ଦେଇଛନ୍ତି । ସରକାରୀ ଗାଡିର ତେଲ,ଦରମା ଓ ଅନ୍ୟ ବାବଦକୁ ବିଭିନ୍ନ ପର୍ଯ୍ୟାୟରେ ଅର୍ଥ ଅତ୍ମସାତ୍ ହୋଇଥିବା ଜଣାପଡିଛି । ପାଖାପାଖି ୫ ବର୍ଷରୁ ଏହି ସରକାରୀ ଅର୍ଥକୁ ପର୍ଯ୍ୟାକ୍ରମେ ବିଭାଗୀୟ ଅଧିକାରୀ ବା ପିଡିଙ୍କ ଜାଲ ଦସ୍ତଖତ କରି ବିନୟ ହରିଜନ ବ୍ୟାଙ୍କ ମାଧ୍ୟମରେ ନିଜ ଏକାଉନଣ୍ଟକୁ ନେଇ ଯାଇଛନ୍ତି । ତେବେ ସଂପୃକ୍ତ ବ୍ୟାଙ୍କ ଏପରି ଅନିୟମିତତାକୁ କିପରି ଜାଣିପାରିଲା ନାହିଁ ବୋଲି ଏବେ ପ୍ରଶ୍ନ ଉଠୁଛି । ଏନେଇ ପୁଲିସର କିମ୍ବା ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।