ନୂଆଦିଲ୍ଲୀ:ପାକିସ୍ତାନରେ ଯାହା ଘଟୁଛି, ତାହା ସାରା ବିଶ୍ବ ଦେଖୁଛି । ବଲୁଚିସ୍ତାନ ଲିବରେସନ୍ ଆର୍ମି ଜାଫର୍ ଏକ୍ସପ୍ରେସକୁ ହାଇଜାକ୍ କରି ଶାହବାଜ ସରକାର ଓ ପାକିସ୍ତାନ ସରକାରଙ୍କୁ ଏକ ବଡ଼ ଚ୍ୟାଲେଞ୍ଜ ଦେଇଛି । ଏହାରି ଭିତରେ ପାକିସ୍ତାନ ମିଛ କହୁଥିବା ଅଭିଯୋଗ ହୋଇଛି । କାରଣ, ଜାଫର୍ ହାଇଜାକ୍ ଅପରେସନ୍ ଶେଷ କରିଥିବା ନେଇ ପାକିସ୍ତାନ ସେନା ଦାବି କରୁଥିବାବେଳେ ବଲୁଚିସ୍ତାନ ଲିବରେସନ୍ ଆର୍ମି କିନ୍ତୁ ଏହି ଦାବିକୁ ମିଛ କହୁଛି । ଏହାରି ଭିତରେ ସାମ୍ନାକୁ ଆସିଛି ଜାଫର ଏକ୍ସପ୍ରେସର ପାଇଲଟଙ୍କ ଛାତିଥରା ବୟାନ ।
ଅମଜାଦ କହିଛନ୍ତି, ବୋମା ବିସ୍ଫୋରଣରେ ଆମ ଟ୍ରେନ ଲାଇନଚ୍ୟୁତ ହେଲା । ଆମେ ଟ୍ରେନକୁ ଅଟକାଇବାରେ ସଫଳ ହୋଇଥିଲୁ । ଆତଙ୍କବାଦୀମାନେ ଇଞ୍ଜିନ ଉପରକୁ ଗୁଳି ଚଳାଇଲେ । ନିଜକୁ ରକ୍ଷା କରିବା ପାଇଁ ଇଞ୍ଜିନ ଭିତରେ ଶୋଇଗଲୁ । ପ୍ରାୟ ୨୭ ଘଣ୍ଟା ଧରି ସେଠାରେ ରହିବାକୁ ବାଧ୍ୟ ହେଲୁ । ଆତଙ୍କବାଦୀମାନେ ଝରକା ଭାଙ୍ଗି ଭିତରକୁ ଦେଖିଲେ । ଆମେ ମରିଯାଇଛୁ ଭାବି ଆମକୁ ଛାଡ଼ି ଚାଲିଗଲେ । ସେହିଭଳି ଉଦ୍ଧାର ହୋଇଥିବା ଯାତ୍ରୀ ମହମ୍ମଦ ତନଭିର କହିଛନ୍ତି,ଆମେ ଆମ ଟିମ୍ ସହ ଆଫଗାନିସ୍ତାନରୁ ଘରକୁ ଫେରୁଥିଲୁ । ବସ୍ ବଦଳରେ ଟ୍ରେନରେ ଯିବାକୁ ଲୋକେ ପରାମର୍ଶ ଦେଇଥିଲେ । ପ୍ରଥମେ ଆମ ଟ୍ରେନ ଉପରକୁ ଗୁଳି ଚାଳନା କରାଯାଇଥିଲା । ତା’ପରେ ସେମାନେ ଆଖିବୁଜା ଗୁଳି ଚଳାଇବା ଆରମ୍ଭ କଲେ ।
ପ୍ରାୟ ତିନି ଘଣ୍ଟା ଧରି ସେମାନେ ଗୁଳି ଚଳାଇଥିଲେ । ପରେ ଆମକୁ ଟ୍ରେନରୁ ବାହାରକୁ ଯିବା ପାଇଁ ବାଧ୍ୟ କଲେ । ଆମକୁ ଜାତିଭିତ୍ତିରେ ଅଲଗା ଅଲଗା କରିଦେଲେ । ସାରିକି, ପଞ୍ଜାବୀ, ବଲୁଚ, ପଠାନ ଗ୍ରୁପରେ ଅଲଗା କଲେ । ସବୁଠାରୁ ଅଧିକ ନିର୍ଯାତନା ପଞ୍ଜାବୀଙ୍କୁ ଦେଇଥିଲେ । ପରିସ୍ଥିତି ଭୟଙ୍କର ଥିଲା। ଦୁଇ ଦିନ ପର୍ଯ୍ୟନ୍ତ କିଛି ଖାଇନଥିଲୁ । ଆମେ କେବଳ ଟ୍ରେନର ୱାସରୁମର ପାଣି ପିଇ ବଞ୍ଚିଥିଲୁ । ଆର୍ମି ପହଞ୍ଚିବା ପରେ ଆମକୁ ଖାଇବାକୁ ଦେଇଥିଲେ ।
Comments are closed.