Latest Odisha News

ଲଗାଣ ବର୍ଷାରେ ଧସିଲା ସାମନବାଡ଼ି ପୋଲ ରାସ୍ତା

ବାଲିଗୁଡ଼ା: ବନ୍ୟା ପରେ ପୁଣି ଲଘୁଚାପ ଜନିତ ଲଗାଣ ବର୍ଷା ଆରମ୍ଭ ହୋଇଛି । ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତର ସାମନବାଡ଼ି ଗାଁ ନିକଟରେ ଥିବା ସାମନବାଡ଼ି ପୋଲର ପାର୍ଶ୍ଵ ରାସ୍ତା ଧସି ଯାଇଛି । ଯାହା ଫଳରେ ବର୍ତ୍ତମାନ ସେହି ରାସ୍ତା ଦେଇ ବସ୍ ଚଳାଚଳ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇ ଯାଇଥିବା ବେଳେ ଲୋକେ ବିପଦ ସଂକୁଳ ଅବସ୍ଥାରେ ଅଟୋ ରେ ଯାତାୟାତ କରୁଛନ୍ତି ।

ପୋଲ ଧସି ଯିବାରୁ ଏହି ରାସ୍ତା ଦେଇ ଦାରିଙ୍ଗବାଡିରୁ ବୁଡ଼ାଗୁଡ଼ା ଦେଇ ବାଲିଗୁଡ଼ା ଯାତାୟାତ କରୁଥିବା ସମସ୍ତ ବସ୍ ଅଟକି ରହିଛି । ଏହି ରାସ୍ତା ଉପରେ ଦାରିଙ୍ଗବାଡ଼ି ବ୍ଲକର ତିଲୋରୀ ସମେତ ବୁଡ଼ାଗୁଡା, ଗୁମିକିଆ ସହିତ ପଡ଼ୋଶୀ କୋଟଗଡ଼ ବ୍ଲକର ପକାରୀ ଓ ବାଲିଗୁଡା ବ୍ଲକର ଋତୁଙ୍ଗିଆ ପଞ୍ଚାୟତ ବାସୀ ନିର୍ଭର କରିଥାନ୍ତି । ଗତକାଲି ଠାରୁ ଅଞ୍ଚଳରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଆଜି ପୋଲଟି ଧସି ଯାଇଛି ।

ପୋଲଟି ପ୍ରାୟ ୧୯୮୨ ମସିହାରେ ନିର୍ମାଣ ହୋଇଥିଲା । ରାସ୍ତାଟି ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରହିଥିଲା ଏବେ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ହୋଇଛି । ଧସି ଯାଇଥିବା ସ୍ଥାନଟିକୁ ଯୁଦ୍ଧ କାଳୀନ ଭିତ୍ତିରେ ମରାମତି କରିବା ସହିତ ଉକ୍ତ ପୋଲ ଦେଇ ଯାତାୟାତ ସୁବିଧା କରିବାକୁ କାର୍ଯ୍ୟ ଆରମ୍ଭ କରାଯାଇଥିବା କହିଛନ୍ତି ନିର୍ବାହୀ ଯନ୍ତ୍ରୀ । ଉକ୍ତ ରାସ୍ତା ସହିତ ସେହି ସ୍ଥାନରେ ନୂତନ ପୋଲ ନିର୍ମାଣ କରାଯିବ । ଏଥିପାଇଁ ଟେଣ୍ଡର ସରିଯାଇଛି କେବଳ ଏଗ୍ରିମେଣ୍ଟ ବାକି ରହିଛି ବୋଲି ପୂର୍ତ୍ତ ବିଭାଗ ଏସଡିଓ ବ୍ରଜ କିଶୋର ମହାପାତ୍ର ପ୍ରକାଶ କରିଛନ୍ତି ।

ଅନ୍ୟ ପକ୍ଷରେ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ତୁହାକୁ ତୁହା ବର୍ଷା ଲାଗି ରହିଥିବା ବେଳେ କାର୍ଯ୍ୟ ଶୀଘ୍ର ନସରିଲେ, ରାତିସାରା ବର୍ଷା ଲାଗି ରହିଲେ ପୋଲଟି ସମ୍ପୂର୍ଣ୍ଣ ଧୋଇଯିବା ନେଇ ଆଶଙ୍କା ପ୍ରକାଶ ପାଇଛି ।

Leave A Reply

Your email address will not be published.