Latest Odisha News

BREAKING NEWS

ଭାଷା ବିବାଦରେ ଫିଲ୍ମର ଏଣ୍ଟ୍ରି

ନୂଆଦିଲ୍ଲୀ: ଭାଷାକୁ ନେଇ ତାମିଲନାଡୁରେ ବିଦ୍ରୋହ ତେଜୁଛି। କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷା ନୀତିରେ ତ୍ରିଭାଷୀ ଫର୍ମୁଲାକୁ କୌଣସି ପରିସ୍ଥିତିରେ ଗ୍ରହଣ କରିବାକୁ ନାରାଜ ତାମିଲନାଡୁ। ଏବେ ଭାଷା ବିବାଦକୁ ଡେଇଁଛନ୍ତି ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ। ଟଙ୍କା ପାଇଁ ତାମିଲ ଫିଲ୍ମକୁ ହିନ୍ଦୀରେ ଡବିଂ କରିବାକୁ ଅନୁମତି ଦେଉଛନ୍ତି, ହେଲେ ହିନ୍ଦୀ ଭାଷାକୁ ବିରୋଧ କରୁଛନ୍ତି। ନାଁ ନନେଇ ସେ ଡିଏମକେକୁ କଟାକ୍ଷ କରିଛନ୍ତି। ସେପଟେ ହିନ୍ଦୀ ଭାଷା ଲଦିବାକୁ ଉଦ୍ୟମ ହେଉଥିବାରୁ ଡିଏମକେ ବିରୋଧ କରୁଥିବା ଦଳର ନେତା କହିଛନ୍ତି।

କାହିଁକି ହିନ୍ଦୀ ଡବିଂ ପାଇଁ ଅନୁମତି?
ତାମିଲନାଡୁ ଲୋକ ହିନ୍ଦୀ ଲଦି ଦିଆଯାଉଥିବା କହି ବିରୋଧ ପ୍ରଦର୍ଶନ କରୁଛନ୍ତି। ତେବେ ସେମାନେ ଯଦି ହିନ୍ଦୀ ଚାହୁଁନାହାନ୍ତି, ତେବେ ତାମିଲ ଫିଲ୍ମର ହିନ୍ଦୀ ଡବିଂ ପାଇଁ କାହିଁକି ଅନୁମତି ଦେଉଛନ୍ତି? କାରଣ ସେମାନେ ବଲିଉଡରୁ ଟଙ୍କା ଚାହୁଁଛନ୍ତି। ହେଲେ ହିନ୍ଦୀକୁ ସ୍ବୀକାର କରିବାକୁ ମନା କରୁଛନ୍ତି। ଏହା କେଉଁ ପ୍ରକାର ଯୁକ୍ତି? ବୋଲି ପ୍ରଶ୍ନ କରିଛନ୍ତି ଜନସେନା ମୁଖ୍ୟ ପବନ କଲ୍ୟାଣ। ସେହିପରି ତାମିଲନାଡୁରେ ଉତ୍ତରପ୍ରଦେଶ ଓ ବିହାର ପରି ହିନ୍ଦୀ ଭାଷାଭାଷୀ ରାଜ୍ୟର ଶ୍ରମିକଙ୍କୁ ସ୍ବାଗତ କରାଯାଉଛି, ତେବେ ଭାଷାକୁ ଅସ୍ବୀକାର କରିବା ଅନୁଚିତ୍ ବୋଲି ସେ କହିଛନ୍ତି। ତାମିଲନାଡୁରେ ହରିୟାଣା, ବିହାର, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ପରି ରାଜ୍ୟରୁ ଆସୁଥିବା ଶ୍ରମିକଙ୍କ ସଂଖ୍ୟା 15ରୁ 20ଲକ୍ଷ ହେବ।

ଜବାବ ରଖିଲା ଡିଏମକେ
ପବନ କଲ୍ୟାଣ ଡିଏମକେକୁ ପରୋକ୍ଷରେ କଟାକ୍ଷ କରିବା ପରେ ଏନେଇ ଜବାବ ରଖିଛି ଦଳ। ଡିଏମକେ ମୁଖପାତ୍ର ଡକ୍ଟର ସୟଦ ହଫିଜୁଲ୍ଲା ପବନ କଲ୍ୟାଣଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ତାମିଲନାଡୁ ବ୍ୟକ୍ତିଗତ ଭାବେ କେହି ହିନ୍ଦୀ କିମ୍ବା ଅନ୍ୟ ଭାଷା ଶିଖିବାକୁ ବିରୋଧ କରେନି। ତେବେ ହିନ୍ଦୀକୁ ରାଜ୍ୟବାସୀଙ୍କ ଉପରେ ଲଦି ଦେବାକୁ ବିରୋଧ କରାଯାଉଛି। ଏପରିକି ରାଜ୍ୟରେ ହିନ୍ଦୀ ପ୍ରଚାର ସଭା ରହିଛି। ଏଥିରେ ଯେଉଁମାନେ ଆଗ୍ରହୀ ସେମାନଙ୍କୁ ହିନ୍ଦୀ ଶିକ୍ଷା ଦିଆଯାଉଛି। ତେବେ କେନ୍ଦ୍ର ସରକାର ଏନଇପି ଓ ପିଏମଶ୍ରୀ ସ୍କୁଲ ଦ୍ବାରା ହିନ୍ଦୀ ଶିକ୍ଷାକୁ ବାଧ୍ୟତାମୂଳକ କରିବାକୁ ବିରୋଧ କରାଯାଉଛି।

ପବନ କଲ୍ୟାଣଙ୍କ ସମର୍ଥନରେ ବିଜେପି
ପବନ କଲ୍ୟାଣଙ୍କ ସମର୍ଥନରେ ବାହାରିଛି ବିଜେପି। ହିନ୍ଦୀ ଆମର ରାଷ୍ଟ୍ରୀୟ ଭାଷା। ତେଣୁ ଏହାର ପ୍ରଚାର ପ୍ରସାରକୁ ପ୍ରୋତ୍ସାହନ ଦିଆଯାଉଛି। କେମିତି ଏହା ଲୋକଙ୍କ ପାଖରେ ପହଞ୍ଚି ପାରିବ ସେନେଇ ପଦକ୍ଷେପ ନିଆଯାଉଛି। ତେଣୁ ଦକ୍ଷିଣ ଭାରତରେ ମଧ୍ୟ ହିନ୍ଦୀ ଭାଷାର ବ୍ୟବହାରକୁ ଜୋର ଦିଆଯାଉଛି। ସେପଟେ ଡିଏମକେ ନେତା ଟିକେଏସ ଏଲାଙ୍ଗୋଭନ କହିଛନ୍ତି, ତାମିଲନାଡୁରେ ହିନ୍ଦୀକୁ ୧୯୩୮ ମସିହାରୁ ବିରୋଧ କରାଯାଉଛି। ତାମିଲନାଡୁରେ ଦୁଇଟି ଭାଷାରେ ଶିକ୍ଷା ଦାନ ବ୍ୟବସ୍ଥା କରାଯାଇଛି। ଅଭିନେତା ନୁହେଁ ବରଂ ଶିକ୍ଷା କ୍ଷେତ୍ରରେ ବିଶେଷଜ୍ଞଙ୍କ ରାୟ ନେଇ ଏହି ନିଷ୍ପତ୍ତି ନିଆଯାଇଛି। ୧୯୬୮ ରେ ବିଲ୍ ପାସ ହୋଇଥିଲା, ସେତେବେଳେ ପବନ କଲ୍ୟାଣ ଜନ୍ମ ବି ହୋଇନଥିଲେ। ସେ କେବଳ ବିଜେପିକୁ ସମର୍ଥନ କରିବାକୁ ଯାଇ ଏସବୁ କହିଥିବା ଡିଏମକେ କହିଛି।

ଜାତୀୟ ଶିକ୍ଷା ନୀତି-୨୦୨୦ର ତିନି ଭାଷା ଫର୍ମୁଲା ଦ୍ବାରା ତାମିଲନାଡୁରେ କେନ୍ଦ୍ର ସରକାର ହିନ୍ଦୀ ଭାଷାକୁ ଲଦିବାକୁ ଉଦ୍ୟମ କରୁଥିବା ଡିଏମକେ କହୁଛି । କେନ୍ଦ୍ର ଏହାକୁ ଖଣ୍ଡନ କରିଥିଲେ ବି ଭାଷାକୁ ନେଇ ଯୁଦ୍ଧଂ ଦେହୀ ଡାକରା ଦେଇଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ। ସଡ଼କରୁ ସଂସଦ ଜୋରଦାର ହୋଇଛି ଭାଷା ଯୁଦ୍ଧ।

ବ୍ୟୁରୋ ରିପୋର୍ଟ, ଓଡିଶା ସମ୍ବାଦ

Comments are closed.