Latest Odisha News

BREAKING NEWS

୪ମାସ ହେଲା ମିଳୁନି ଚାଉଳ , ଓଳିଏ ଖାଇଲେ ଓଳିଏ ଉପାସ ଲୋକେ

ନୂଆପଡା : ନୂଆପଡା ଜିଲ୍ଲା କୋମନା ବ୍ଳକର ଲର୍କୀ ଗାଁ। ଏହା ହେଉଛି ଏକ ଆଦିବାସୀ ବହୁଳ ପଛୁଆ ଗାଁ । ଏହି ଗାଁର ପ୍ରାୟ ଅଧିକାଂଶ ଲୋକ ଚାଷବାସ ସହ ଶ୍ରମିକ ଭାବେ କାମ କରି ନିଜ ପେଟ ପୋଷନ୍ତି । ଏମାନେ ସାଧାରଣତଃ ପିଡିଏସ ଚାଉଳ ଉପରେ ନିର୍ଭର କରିଥାନ୍ତି । ହେଲେ ଗଣ୍ଡାମେର ପଞ୍ଚାୟତ ର ଏହି ଗାଁ ପ୍ରତି ଯୋଗାଣ ବିଭାଗ ର କୁଦୃଷ୍ଟି ବାରମ୍ବାର ସମସ୍ତ ଙ୍କୁ ବ୍ୟଥିତ କରିଛି ।

ଗତ ଏକ ବର୍ଷ ତଳେ ପାଞ୍ଚ ମାସ ର ଚାଉଳ ହଡ଼ପ ଅଭିଯୋଗ ରେ ସ୍ଥାନୀୟ ଯୋଗାଣ ସହାୟକ ଙ୍କୁ କାର୍ଯ୍ୟ ରୁ ନିଲମ୍ବିତ କରାଯାଇଥିବା ବେଳେ ବକେୟା ଚାଉଳ ହିତାଧିକାରୀ ଙ୍କୁ ପ୍ରଦାନ କରାଯାଇଥିଲା । ବର୍ତ୍ତମାନ ପୁଣିଥରେ ଜୁଲାଇ ମାସ ରୁ ଆଜି ଯାଏଁ ଅର୍ଥାତ ଚାରି ମାସ ର ଚାଉଳ ନପାଇ ଗରିବ ଲୋକେ ନାହିଁନଥିବା  ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଵିଶେଷ କରି ବୟସ୍କ ବୃଦ୍ଧବୃଦ୍ଧା ଲୋକ ଭୋକ ଉପାସରେ ରହି ଭିକ୍ଷା ବୃତ୍ତି କରିବା ପାଇଁ ବାଧ୍ୟ ହେଉଛନ୍ତି । ଗଣ୍ଡାମେର ପଞ୍ଚାୟତ ର ଯୋଗାଣ ସହାୟକ ନିଲମ୍ବିତ ହେବା ଦିନ ଠାରୁ ଏହି ଦାଇତ୍ୱ ସ୍ଥାନୀୟ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ହାତରେ । ହେଲେ ପରିତାପର ବିଷୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜଣକ ମାସ ମାସ ଧରି ପଞ୍ଚାୟତ କାର୍ଯ୍ୟାଳୟ କୁ ଆସୁ ନାହାଁନ୍ତି ।  ଯାହାକି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । କେବଳ ପିଡିଏସ ନୁହେଁ ଭତ୍ତା ମଧ୍ୟ ସଠିକ ଭାବେ ମିଳୁନଥିବା ଅଭିଯୋଗ ହୋଇଛି ।

ଏ ନେଇ ବାରମ୍ବାର ଖବର ପାଇ  ଆଜି  ଦଳିତ ଅଧିକାର ମଞ୍ଚ ରାଜ୍ୟ ସଭାପତି ଲର୍କୀ ଗାଁକୁ ଯାଇ ଲୋକଙ୍କ ସମସ୍ୟା ଉପରେ ଆଲୋଚନା କରି  ବ୍ଲକ କାର୍ଯ୍ୟାଳୟ କୁ ଘେରାଉ କରି ବ୍ଲକ ପ୍ରଶାସନ ବିରୁଦ୍ଧରେ ନରାବାଜି ଦେଇଛନ୍ତି ।  ଆସନ୍ତା ଦୁଇ ଦିନ ମଧ୍ୟରେ ହିତାଧିକାରୀଙ୍କ ଚାଉଳ ନମିଳିଲେ ରାଜରାସ୍ତାକୁ ଓଲ୍ହାଇ  ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।  ଅପରପକ୍ଷରେ କୋମନା ବିଡ଼ିଓ ଙ୍କ ସହ ଯୋଗାଣ ନିରୀକ୍ଷକ ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରି ଆସନ୍ତା କିଛି ଦିନ ମଧ୍ୟରେ ସମସ୍ତ ହିତାଧିକାରୀ ଙ୍କୁ ଚାଉଳ ପ୍ରଦାନ କରାଯିବା ସହ ତଦନ୍ତ ପରେ ଦୋଷୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Leave A Reply

Your email address will not be published.