Latest Odisha News

BREAKING NEWS

ପୁସ୍ତକ ପରିଚୟ : ତମେ କେମିତିକା ଜହ୍ନ

ତମେ କେମିତିକା ଜହ୍ନ
କବୀ : ଅନୀତା ରାୟ
ପ୍ରକାଶକ : ଏଥେନା ବୁକସ
ଭୁବନେଶ୍ୱର- ୨
ପୃଷ୍ଠା : ୧୬୦
ମୂଲ୍ୟ : ୧୮୦

କବିତା କେବଳ ଭାବ ଓ ଆବେଗର ଛଳ ଛଳ ଧାରା ନୁହେଁ ବରଂ ଅନୁଭବ ଓ ଅନୁଭୂତିର ଏକ ପରିପକ୍ୱ ଚେତନାମୟ ଉପଲବ୍ଧି। କବିର କଲମରୁ କବିତାଟିଏ ଜନ୍ମନିଏ ସଂଘର୍ଷ , ବିଦ୍ରୋହ ଭାବ, ପ୍ରତିକ୍ରିୟାଶୀଳ ଦୃଷ୍ଟିଭଙ୍ଗୀ ଦ୍ଵନ୍ଦ ଏବଂ ବିଚଳିତ ଭାବରୁ। କବିତା ହିଁ ପ୍ରଜ୍ଞାର ଅବତରଣ। କବିତାରେ ଚେଷ୍ଟାକରି କିଛି ଚମକ ଅଣାଯାଇ ପାରେନା। ମୁଁ କବିତା ଲେଖିବି ବୋଲି ଭାବି କବିତାଟିଏ ଲେଖି ହୁଏନା । କବିତା ତା ନିଜସ୍ବ ଶୈଳୀରେ ଉତୁରି ଆସେ।

କବୀ ଅନୀତା ରାୟଙ୍କର ‘ତମେ କେମିତିକା ଜହ୍ନ’ କବିତା  ସଙ୍କଳନଟି ଏକ ଅନୁପମ ସୃଷ୍ଟି। କବିତା ମାଧ୍ୟମରେ କବୀ ଖୋଜିଛନ୍ତି କିଛି ଛିଣ୍ଡା ଫୁଲରୁ ବାସ୍ନା। ପୁଣି ଜହ୍ନକୁ ପ୍ରଶ୍ନ କରିଛନ୍ତି। ମନ ଅନେକ କିଛି ଚାହେଁ କିନ୍ତୁ ସବୁ ଚାହିଁବା ହୃଦୟ ଛୁଇଁ ପାରେନା। କିଛି ଅବୁଝା ଶବ୍ଦରେ ଛୋଟ ଛୋଟ ଶୁନ୍ୟତାକୁ ଆବୋରି ରଖି ଆପେ ଆପେ ସୀମାରେଖା ଟାଣିନିଏ। ସତରେ କ’ଣ କିଛି ବଦଳିଯାଏ ! ସବୁ ଫିକା ହୋଇଯାଏ। କୋହ ସବୁ ଅଦେଖା ଯନ୍ତ୍ରଣାରେ ଆନମନା ହୋଇଯାଆନ୍ତି ! ଝରକା ଫାଙ୍କରୁ ଜହ୍ନ ଦେଖି କବୀ ରାତିରେ ଉଷ୍ମତାକୁ ଅନୁଭବ କରିଛନ୍ତି। ପ୍ରୟାସ ଯେତେଥର ନିଷ୍ପଳ ହେଉ କବୀ ଅଟକିଯାଇ ପାରେନା, ସେ ଚାଲିଥାଏ। ଗୋଟିଏ ମିଠା।ବିଶ୍ୱାସର ଅନୁରାଗରେ ଭିଜି , ଅଧୁରା ଆବେଗସବୁକୁ  ଗିଳି ଚେନାଏ ହସ ପାଇଁ ବାରମ୍ବାର ପ୍ରୟାସ କରୁଥାଏ।

କବିଙ୍କର କେହି ଜଣେ ଖୋଜୁଥାଏ କବିତାରୁ ଏକ ଚମତ୍କାର ଅଂଶ

ଅଧୁରା ଆବେଗ ସବୁକୁ
ଢକ , ଢକ ଗିଳି ବି ଦେଉଛି
ଏ କି ଅବଶୋଷ!
ଚେନାଏ ହସ ପାଇଁ
କେତେ ଥର ମନଟା ମରୁଛି
ଲିଭିଥିବା ଆଲୁଅଟା ଏବେ ଏବେ ଜଳୁଛି
କେହି ଜଣେ ଅପେକ୍ଷାରେ ଅଛି
କେହି ଜଣେ ଅପେକ୍ଷାରେ ଅଛି।

କବୀ ତାଙ୍କ କବିତା ମାଧ୍ୟମରେ ଜୀବନକୁ ଖୁବ୍ ପାଖରୁ ଦେଖିଛନ୍ତି। ଅଭିମାନିନୀ ହୋଇଛନ୍ତି , ଭସ୍ମ ଆବେଗର ତତଲା ଦୀପରେ ଅଲିଭା ସଳିତାଟେ ହୋଇଛନ୍ତି। ତଥାପି ମୁଠା ମୁଠା ପ୍ରେମ ଅଜାଡି ଦେବାକୁ କାର୍ପଣ୍ୟ କରି ନାହାନ୍ତି। ରାତିର ଶେଷ ପହରର ନିରବତା ଭିତରେ ନିଷ୍ପାପ ଆକାଶରେ ଜହ୍ନର ଜ୍ୟୋତ୍ସ୍ନରେ ଭିଜିଛନ୍ତି। ତାହା ହିଁ କବୀ ପ୍ରାଣର ଅନୁରାଗ। ଗୋଟିଏ ବିନ୍ଦୁରେ ଆତ୍ମୀୟତା ପୁଣି ଆଖି କୋଣର ବର୍ଷା। କବିଙ୍କ ମତରେ ହୃଦୟ ଛୁଇଁବାକୁ ହେଲେ ମଳୟ ବିନା ବି ବିମୁଗ୍ଧ ରାଗିଣୀ ଗାଇବାକୁ ହେବ। ହତାଶାର ଦୀର୍ଘଶ୍ଵାସ ରେ ଶୁନ୍ୟତାର ଚାରିକାନ୍ଥ ଭିତରେ ଚିତ୍ରଶାଳାଟେ ତିଆରିବାକୁ ହେବ। ଲୁହର ଉଷୁମ ଧାରରେ ସୁଖକୁ ଖୋଜିବାକୁ ହେବ। ଚେନାଏ ହସ ପାଇଁ ଉଛୁଳା ଅନ୍ଧାରର ଅବସନ୍ନ ମୁହୂର୍ତ୍ତମାନଙ୍କୁ ସାଇତିବାକୁ ହେବ।

‘ନିରୁଦ୍ଦିଷ୍ଟ ସମୟ’ କବିତାରେ ତାଙ୍କର ଅସ୍ଥିରପଣ ଭିତରେ ଦୁଃଖ ଓ ସୁଖର ଭାଗ ମାପ ତଉଳିଛନ୍ତି। କବୀଙ୍କ ଭାଷାରେ :

ମୋ ଅସ୍ଥିରପଣ
ସବୁବେଳେ ଆକ୍ରାନ୍ତ ହୁଏ ମୋ ଭିତରେ
ମୁଁ ସୁଖୀ ଲୋକଟିଏ
ନା ଦୁଃଖୀ ଲୋକଟିଏ
କିଛି ବୁଝି ପାରେନା
ନିରୁଦ୍ଦିଷ୍ଟ ହୋଇ ଯାଆନ୍ତା କି ମନଟା
ମୁଁ ସତରେ ବଦଳି ଯାଆନ୍ତି !

କେଉଁଠି କବୀ ମୁଠାଏ ଭାବନା ଭିତରେ ଅସରାଏ ପ୍ରୀତିର ଧାରାକୁ ଖୋଜିଛନ୍ତି ତ କେଉଁଠି ଅସମ୍ଭବ ସ୍ୱପ୍ନମାନଙ୍କ ଭିତରେ ଏକ ନିର୍ଜନତାକୁ ଆବୋରି ବସିଛନ୍ତି। ଆଉ କେତେବେଳେ ଝରଝର ବ୍ୟାକୁଳତାରେ ବି ଅଗଣିତ ଆଶାକୁ ସଂଜୀବିତ କରି ରଖିଛନ୍ତି। ସେଇ ଆଶା ଭିତରେ ବିନ୍ଦୁଏ କାକରରେ କବିତାର ଫଲଗୁକୁ ଅନୁଭବ କରିଛନ୍ତି। ଅସୁମାରୀ ବିମୁଖତାରେ ଅସ୍ଥାୟମାନ ଜୀବନରୁ ପ୍ରାଣସ୍ପନ୍ଦନକୁ ଧରି ରଖିଛନ୍ତି। କବୀ ପାଇଁ ସବୁକିଛି ମଧୁର , ସବୁକିଛି ସୁନ୍ଦର। ଯନ୍ତ୍ରଣା ଭିତରେ ବି କବି ହସିପାରେ । ଯନ୍ତ୍ରଣାକୁ ଭଲପାଇପାରେ। ଭଙ୍ଗା ଆଇନା ଭିତରେ ଜୀବନକୁ ଦେଖିପାରେ। ତାହା ହିଁ ତ କବିତ୍ୱର ଅନୁଭବ। ତାହା ହିଁ କବିର କବିତା।

ସବୁ ଦୁଃଖ ସୁଖର ସ୍ଵାଦକୁ
ମୁଁ ବାରମ୍ବାର ପରଖିଛି
ଅବଲୁପ୍ତ ହୋଇ ଯାଇନି
ମୋ ବିଶ୍ୱାସ
ଭସ୍ମ ନହେଉ ମୋର ମାୟାର ବନ୍ଧନ
ମୁଁ ପୁଣିଥରେ ବଞ୍ଚିବି
ଘୁମେଇ ପଡ଼ିବି
ସଳଖ ଚାହିଁବି
ଅଛି ଆତ୍ମ ବିଶ୍ୱାସ ।

ଲୁହରେ ହେଉ କି କୋହରେ ହେଉ କବୀ ଅନୁଭବ କରିଛନ୍ତି ଈଶ୍ୱରଙ୍କ ସତ୍ତା। ନିଜର ବିଡ଼ମ୍ବନାରେ ବିଦ୍ରୋହୀ ହୋଇଛନ୍ତି । ଆଞ୍ଜୁଳା ଆଞ୍ଜୁଳା ଲୁହ ଆଉ ଲହୁରେ ବିଶ୍ୱାସକୁ ସାଇତି ରଖିଛନ୍ତି। ପୁଣି ଖାପଛଡ଼ା ହୋଇଛନ୍ତି। ଅଜାଣତରେ ମାରି ଦେଇଛନ୍ତି ସବୁତକ ଇଚ୍ଛାକୁ। ମିଛି ମିଛିକା ଅଭିନୟରେ ପରିପୂର୍ଣ୍ଣ ଜୀବନକୁ କାନଭାସରେ ଆଙ୍କିଛନ୍ତି। କାଚ ଖଣ୍ଡକୁ ମଖମଲି କନାରେ ଗୁଡେଇ ଧରିବାର ପ୍ରୟାସରେ ବାରମ୍ବାର କ୍ଷତାକ୍ତ ହୋଇ ମଧ୍ୟ ଓହରି ଯାଇ ନାହାଁନ୍ତି ବରଂ ସାମନା କରିଛନ୍ତି ସବୁତକ ଦୁଃଖକୁ। ସେଇ ଦୁଃଖ ଭିତରେ ସୁଖର ଧାରେ ଆଲୁଅରେ ବିଭୋର ହୋଇଛନ୍ତି। କାହାକୁ ବୁଝେଇ ହୁଏନା ଛାତିତଳର କଥା। ନିଜ ଚେତନାରେ ନିଜେ ହିଁ ଶିହରିତ ହେବାକୁ ହୁଏ।

କବୀଙ୍କ ଭାଷାରେ

ମୋ ଚେତନା
ମତେ ନିମନ୍ତ୍ରଣ କରେ
ମୋ ଭିତରେ
ମତେ କିଏ ଶିହରଣ ଦିଏ
ମୁଁ କିନ୍ତୁ ଧୀରେ ଧୀରେ
ଜାଲୁଥାଏ କବିତ୍ୱର ସୃଜନୀ।

କିଛି ବନାନ ଓ ବ୍ୟାକରଣଗତ ତ୍ରୁଟିକୁ ବାଦ ଦେଲେ, ଏଇ ସଙ୍କଳନସ୍ଥ ସମସ୍ତ କବିତା ତାର ଶବ୍ଦ, ଭାବ ଓ ଲାଳିତ୍ୟରେ ପାଠକଙ୍କୁ ବାନ୍ଧି ରଖିବାର କ୍ଷମତା ରଖନ୍ତି। ବିପୁଳ ପାଠକୀୟ ଆଦୃତି ସହ ଓଡ଼ିଆ ସାହିତ୍ୟ ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ଅଳଙ୍କୃତ କରିବ ବୋଲି  ଆଶା ଓ ବିଶ୍ୱାସ।

Comments are closed, but trackbacks and pingbacks are open.