ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୭୧
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ନାରାୟଣ ସ୍ୱରୂପ ଧାରଣ କରି ଯେଉଁ ସ୍ଥାନରେ ପ୍ରଭୂ ଚକ୍ର ନାରାୟଣ ପୂଜା ପାଆନ୍ତି। ସେହି ସ୍ଥାନଟି ଏତେ ପବିତ୍ର ଯେ ମହୋଦଧି କୂଳରେ ଅବସ୍ଥିତ ଏହି ଅଞ୍ଚଳ ଚକ୍ର ତୀର୍ଥ ନାମରେ ଅଭିହିତ। ଗତକାଲି ଆମେ ଭାରତର କିଛି ସ୍ଥାନର ପରିଚୟ ପାଇଥିଲେ, ଯେଉଁଠାରେ ଚକ୍ର ନାରାୟଣ ପୂଜା ପାଆନ୍ତି। ଆଜି ଆଲୋଚନା କରିବା ଓଡ଼ିଶାର କିଛି ବିଶେଷ ସ୍ଥାନ କଥା ଯେଉଁଠି ଚକ୍ରରାଜ ପୂଜା ପାଉଛନ୍ତି।
ପ୍ରଥମେ ଶ୍ରୀଜଗନ୍ନାଥଙ୍କ ମାମୁଁଘର ଭାବରେ ପରିଚିତ ନିଆଳି ମାଧବଙ୍କ ମନ୍ଦିରରେ ଠିକ ମୁଖଶlଳା ପ୍ରବେଶ ପଥର ଦକ୍ଷିଣ ପାର୍ଶ୍ୱରେ ବାରଟି ଅର ଥିବା ୩ ଫୁଟ ବ୍ୟାସର ଚକ୍ର ଉପରେ ଚତୁର୍ଭୁଜ ନାରାୟଣ ପୂଜା ପାଉଛନ୍ତି । ନିମାପଡା ନିକଟବର୍ତ୍ତୀ ବିଷ୍ଣୁପୁରଠାରେ ନାରାୟଣ ମନ୍ଦିରର ପ୍ରବେଶ ପଥର ଦକ୍ଷିଣ ପାର୍ଶ୍ଵରେ ମଧ୍ୟ ଚକ୍ରରାଜ ପୂଜା ପାଇଥାନ୍ତି। ସ୍ୱୟଂ ଶ୍ରୀମନ୍ଦିର ଭିତରେ ମଧ୍ୟ ପଶ୍ଚିମ ପଟ ବାହ୍ୟ ବେଢାରେ, ଅର୍ଥାତ ନୀଳାଦ୍ରିବିହାରର ଅପରପାର୍ଶ୍ଵ ରେ ଥିବା ପୁଷ୍ପ ବଟିକାରେ ଚକ୍ରନାରାୟଣଙ୍କ ମନ୍ଦିର ରହିଅଛି। ସେଠାରେ ଅଢେଇ ଫୁଟ ଉଚ୍ଚତାର କଳା ମୁଗୁନି ପଥରରେ ନିର୍ମିତ୍ତ ବିଭିନ୍ନ ଆୟୁଦ୍ଧରେ ସଜିତ ଅଷ୍ଟଭୁଜ ନାରାୟଣ ଚକ୍ରଙ୍କୁ ପଶ୍ଚାତ ଭାଗରେ ରଖି ଦଣ୍ଡାୟମାନ ମୁଦ୍ରାରେ ପୂଜିତ ହେଉଛନ୍ତି। ଏହାଙ୍କ ଛଡା ଶ୍ରୀମନ୍ଦିରରେ କେବଳ ଚକ୍ରରାଜ ରୋହିଣୀକୁଣ୍ଡରେ ବିରାଜିତ ହୋଇ ପୂଜା ପାଉଛନ୍ତି। ଆମର ମୁଖ୍ୟ ଆଲୋଚନାର ସ୍ଥାନ ହେଲା ବାଙ୍କୀ ମୁହାଣରେ ପୂଜିତ ଚକ୍ରନାରାୟଣ, ଯାହାଙ୍କ ପାଇଁ ଉକ୍ତ ଅଞ୍ଚଳ ଚକ୍ରତୀର୍ଥ ଭାବରେ ପରିଚିତ ।
ପୁରାଣ ବର୍ଣ୍ଣନା ଅନୁସାରେ ଦ୍ୱାପର ଯୁଗର ଶେଷ ସମୟଚାଲିଥାଏ । ଯଦୁବଂଶ ଶେଷ ସମୟରେ ଶ୍ରୀକୃଷ୍ଣଙ୍କ ହସ୍ତରୁ ଚକ୍ରରାଜ ଖସିଯାଇ ପ୍ରଦ୍ୟୁମ୍ନଙ୍କୁ ବିନାଶ କରିବା ପରେ ଆଉ ଶ୍ରୀକୃଷ୍ଣଙ୍କ ପାଖକୁ ଫେରିଲେନି। କୁହାଯାଏ ସେହି ଚକ୍ରରାଜ ଶ୍ରୀକ୍ଷେତ୍ରରେ ବାଙ୍କୀ ମୁହାଣ ନିକଟରେ ଆଜି ବିରାଜିତ ଓ ପୂଜିତ। ସ୍ୱର୍ଗଦ୍ୱାରଠାରୁ ବାମ ଦିଗରେ ପ୍ରାୟ ୨ /୩ କି.ମି ଦୂରରେ ଏହି ଚକ୍ରତୀର୍ଥ ଅବସ୍ଥିତ। ଏହି ବାଙ୍କୀ ମୁହାଣର ଐତିହାସିକ ମହତ୍ୱ ତଥା ଅନ୍ୟ ପ୍ରସଙ୍ଗ ଆଲୋଚନା କରିବା। ଏବେ ଆରାଧନା ଓ ଭାଗବତ ପଠନ ।
ପରମ, ପରମଆନନ୍ଦୀ
ଅବିଦ୍ୟା ସଙ୍ଗେ ଜୀବ ବନ୍ଦି।
ପ୍ରତକ୍ଷେ ଦେହେ ସେ ବସଇ
ନ ଥିଲା ପ୍ରାୟ ଲକ୍ଷ୍ୟ ହୋଇ ।
ଏଭାବେ ଥାନ୍ତି ଯେତେ ପ୍ରାଣୀ
ପଣ୍ଡିତ ବୋଲି ତାଙ୍କୁ ଗଣି ।
ଜୟ ଜଗନ୍ନାଥ (ଦ. ତ୍ରି.ଉବାଚ )