Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ବିଜେ ସ୍ଥଳି ଶ୍ରୀମନ୍ଦିରର ଭିତର ବେଢାର ପାର୍ଶ୍ଵଦେବତାମାନଙ୍କ ମଧ୍ୟରେ ସର୍ବ ପ୍ରଥମେ ବେଢାବୁଲା କ୍ରମରେ ଆମେ ଭେଟିଛେ ପ୍ରଭୂ ଶ୍ରୀ ସତ୍ୟନାରାୟଣଙ୍କୁ । ପ୍ରଭୁଙ୍କର ମନ୍ଦିର ସହ ମୂର୍ତ୍ତି ତତ୍ତ୍ୱର ଆଲୋଚନା ମଧ୍ୟ କରିଛେ। ଏଠି ମଧ୍ୟ ଶ୍ରୀମନ୍ଦିର ସତ୍ତ୍ୱଲିପି ଅନୁସାରେ ଶ୍ରୀମନ୍ଦିର ସେବକ ରାମଚନ୍ଦ୍ର ମହାସୁଆର, ମନୋହର ପଣ୍ଡା ଓ ଗଙ୍ଗାଧର ପଣ୍ଡା, ନଟବର ପ୍ରଧାନୀ ଓ କୃଷ୍ଣଚନ୍ଦ୍ର ଦାସ ଏହି ମନ୍ଦିର ସେବା ଅଧିକାର ପାଇଥିଲେ। ପରବର୍ତ୍ତୀ ସମୟରେ ମନୋହର ପଣ୍ଡା ଓ ଗଙ୍ଗାଧର ପଣ୍ଡାଙ୍କ ଅଂଶ ଖରିଦ ସୂତ୍ରରେ ମଙ୍ଗୁଳି ପଣ୍ଡା ଏଥିରେ ସାମିଲ ହେଲେ। ଏସବୁ କହିବାର ତାତ୍ପର୍ଯ୍ୟ ହେଲା, ଏହି ମନ୍ଦିର ପରିଚାଳନା ପାଇଁ କୌଣସି କୋଠ ଖଞ୍ଜା ଶ୍ରୀମନ୍ଦିର ତରଫରୁ ହୋଇନାହିଁ। ଉପରୋକ୍ତ ସେବକମାନେ ନିଜ ନିଜ ଖର୍ଚ୍ଚରେ ମନ୍ଦିରର ସେବା ପୂଜା କରିଥାନ୍ତି। ଏହା ସହିତ ଏହି ମନ୍ଦିରରୁ ହେଉଥିବା ଆୟ ମଧ୍ୟ ସେମାନେ ଭୋଗ କରନ୍ତି। ସମ୍ପ୍ରତି ଉକ୍ତ ମନ୍ଦିରର ବେଢ଼ପତ୍ର ଅନୁଯାୟୀ ସର୍ବଶ୍ରୀ ଲଷ୍ମୀଧର ମହାସୁଆର, ଜଗନ୍ନାଥ ପଣ୍ଡା, ଦାମୋଦର ଦାସ ଓ ଶ୍ରୀଧର ପ୍ରଧାନୀ ନିୟମିତ ସେବା ପୂଜା କରି ଆସୁଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀ ସତ୍ୟନାରାୟଣଙ୍କ ଦୈନଦିନ ନୀତି ପାଇଁ ଏକ ସରା ବଲ୍ଳଭ ମିଳୁଛି । ସେହିପରି ବିଶେଷ ଉତ୍ସବ ଭାବରେ ଗଜ ଉଦ୍ଧାରଣ ବେଶ ଦିନ ଖିରି ଓ ଅମlଲୁ ମିଳେ। ସାଧାରଣତଃ ପ୍ରତ୍ୟେକ ପୁର୍ଣିମା ଓ ସଂକ୍ରାନ୍ତିରେ ଏହି ମନ୍ଦିରରେ ଭକ୍ତଙ୍କ ଭିଡ଼ ହୁଏ ଓ ସେମାନଙ୍କ ମାନସିକ ଭୋଗ ପୂଜା କରାଯାଏ। ଏହି ମାନସିକ ଭୋଗ ମଧ୍ୟରେ ବିଶେଷ ଭାବରେ ସିକିରିଣି କ୍ଷୀର (ସିରିଣୀ ଭୋଗ ), ଯାହାକି ଅଟା, ଚିନି, କଦଳୀ, ଭଲଘିଅ, ମହୁ, ଗୋଲମରିଚ, ଅଳେଇଚ, ଖିସିମିସି ଓ ପାଞ୍ଚ ପ୍ରକାର ଫଳ ଇତ୍ୟାଦି କ୍ଷୀର ସହ ମିଶ୍ରଣ କରି ନୂଆ ନାଲି କୁଡୁଆରେ ରଖି ପ୍ରଭୁଙ୍କୁ ସମର୍ପଣ କରାଯାଏ। ଏହି ଭୋଗ ଅତ୍ୟନ୍ତ ସ୍ୱାଦିଷ୍ଠ ଓ ପୃଷ୍ଟିକର ହୋଇଥିବାରୁ ଅନେକ ଭକ୍ତ ଏହି ଭୋଗ ଲଗାଇଥାନ୍ତି। ଭକ୍ତମାନେ ନିଜ ନିଜ ଛୋଟ ଛୁଆମାନଙ୍କର ମଙ୍ଗଳ ମନାସି ଏହି ଭୋଗ କରିଥାନ୍ତି। ସ୍ଥାନୀୟ ଭକ୍ତଙ୍କ ଛଡା କିଛି କିଛି ତୀର୍ଥ ଯାତ୍ରୀ ମଧ୍ୟ ଏହି ଭୋଗ ଲଗାଇଥାନ୍ତି । ଯେପରି ଆଗରୁ କହିଛି ବାହାର ବେଢାରେ ଶ୍ରୀ କାଶୀ ବିଶ୍ୱନାଥଙ୍କ ଦର୍ଶନ ଓ ଭିତର ବେଢାରେ ଶ୍ରୀ ସତ୍ୟନାରାୟଣଙ୍କ ଦର୍ଶନ ଶ୍ରୀମନ୍ଦିର ବେଢା ବୁଲାର ଏକ ଅବିଛେଦ୍ୟ ଅଙ୍ଗ। ଏହାଙ୍କୁ ଛାଡି କୌଣସି ଭକ୍ତ ଶ୍ରୀମନ୍ଦିର ବେଢା ବୁଲା ସମ୍ପୂର୍ଣ୍ଣ କରି ପାରେନି। ପ୍ରଥମେ ମହେଶ୍ୱର, ତାପରେ ବିଷ୍ଣୁଙ୍କ ଦର୍ଶନ ଭକ୍ତଙ୍କ ମନରେ ଭରିଦିଏ ଅପୂର୍ବ ଉତ୍ସlହ ଓ ଭକ୍ତି ଭlବ, ଆସନ୍ତୁ ସେହି ଭକ୍ତି ସହ କରିବା ଆରାଧନା ଓ ଭାଗବତ ପଠନ ।

ଧନ ସଞ୍ଚୟ ଦୂର କରି
ନିୟତ କର୍ମକୁ ଆବୋରି ।
ଧୀରେ ରହନ୍ତି ସମଚିତ୍ତେ
ଧନ୍ୟ ଜୀବନ ଏ ଜଗତେ ।
ଧନ ର ଦୋଷ ଆର ଯେତେ
କହିବା ଶୁଣ ଏକ ଚିତ୍ତେ ।
ତାତ ଜନନୀ ଭ୍ରାତା ସୁତ
ସୁହୃଦ ବାନ୍ଧବ କଳତ୍ର ।
ଏହାଙ୍କୁ ଦେଖି ରିପୁ ପ୍ରାୟେ
\ଧନ ସଂଚୟ ନିତ୍ୟେ ଧ୍ୟାୟେ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.