Latest Odisha News

BREAKING NEWS

୨ ମହିଳାଙ୍କୁ ଦଙ୍ଗାକାରୀଙ୍କ ପାଖରେ ଛାଡ଼ିଥିଲା ମଣିପୁର ପୋଲିସ: ସିବିଆଇ ଚାର୍ଜସିଟ୍‌ରେ ଖୁଲାସା

ନୂଆଦିଲ୍ଲୀ: ମଣିପୁରରେ କୁକି-ଜୋମି ସମ୍ପ୍ରଦାୟର ଦୁଇ ମହିଳାଙ୍କୁ ଉଲଗ୍ନ କରି ପ୍ୟାରେଡ୍ କରିବା ମାମଲାରେ ସିବିଆଇର ବଡ଼ ଖୁଲାସା। ଏହି ଖୁଲାସାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଗତବର୍ଷ ବିଜେପି ଶାସିତ ରାଜ୍ୟ ମଣିପୁରରେ ଜାତିଆଣ ହିଂସା ଉଗ୍ର ରୂପ ନେଇଥିଲା। ସେହି ସମୟରେ ପୋଲିସର ଶରଣ ଚାହିଁଥିଲେ କୁକି-ଜୋମି ସମ୍ପ୍ରଦାୟର ୨ ମହିଳା। ମଣିପୁର ପୋଲିସ ଅଧିକାରୀ ସେମାନଙ୍କୁ ନିରାପଦ ସ୍ଥାନରେ ଆଶ୍ରୟ ଦେବା ପରିବର୍ତ୍ତେ କାଙ୍ଗପୋକ୍‌ସି ଜିଲ୍ଲାର ମେଇତି ଦଙ୍ଗାକାରୀମାନଙ୍କ ମେଳି ନିକଟରେ ଛାଡ଼ିଦେଇଥିଲେ। ଦଙ୍ଗାକାରୀମାନେ ୨ ମହିଳାଙ୍କୁ ଉଲଗ୍ନ ପରେଡ୍‌ କରାଇବା ସହ ଯୌନ ନିର୍ଯାତନା ଦେଇଥିଲେ। ଯାହାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଏହି ଘଟଣାର ତଦନ୍ତ କରିଥିଲା ସିବିଆଇ। ଆଉ ଏହାପରେ ବୋଲି ସିବିଆଇ ଚାର୍ଜସିଟ୍‌ରେ ଉଲ୍ଲେଖ ରହିଛି।

ହୁରେମ ହେରୋଦାସ୍ ମେଟି ଏବଂ ଅନ୍ୟ ପାଞ୍ଚଜଣଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଛି। ଜଣେ ନାବାଳିକାଙ୍କ ବିରୋଧରେ ଏଜେନ୍ସି ଏକ ରିପୋର୍ଟ ମଧ୍ୟ ଦାଖଲ କରିଛି। ଗତ ବର୍ଷ ଜୁଲାଇରେ ହେରୋଦାସ୍‌ଙ୍କୁ ରାଜ୍ୟ ପୋଲିସ ଗିରଫ କରିଥିଲା। ସିବିଆଇ ଚାର୍ଜସିଟ୍‌ରେ କୁହାଯାଇଛି ଯେ ପୋଲିସ ନିଜେ ମହିଳାମାନଙ୍କୁ ଦଙ୍ଗାକାରୀମାନଙ୍କ ନିକଟକୁ ହସ୍ତାନ୍ତର କରିଛି।

ସିବିଆଇ ଚାର୍ଜସିଟ୍‌ ଅନୁଯାୟୀ, ରାଜ୍ୟରେ ଜାତି ହିଂସା ସମୟରେ ଉଭୟ ମହିଳା ପାର୍କିଂ ପୋଲିସ ଗାଡିରେ ଆଶ୍ରୟ ନେଇଥିଲେ ଏବଂ ଜଣେ ଯୁବକ ମଧ୍ୟ ସେମାନଙ୍କ ସହ କାରରେ ବସିଥିଲେ। ଗାଡିଟିକୁ ସୁରକ୍ଷିତ ସ୍ଥାନକୁ ନିଆଯିବା ଉଚିତ ବୋଲି ମହିଳାମାନେ କହିଥିଲେ। ଉକ୍ତ ମହିଳାଙ୍କ ମଧ୍ୟରୁ ଜଣେ କାର୍‌ଗିଲରେ ଯୁଦ୍ଧ ଲଢ଼ିଥିବା ଯବାନଙ୍କ ସ୍ତ୍ରୀ। ସେମାନଙ୍କୁ ଏକ ନିରାପଦ ସ୍ଥାନକୁ ନେଇଯିବା ପାଇଁ ମହିଳାମାନେ ଗୁହାରି କରିଥିବାବେଳେ ଗାଡ଼ି ଚାବି ନ ଥିବା କହି ପୋଲିସ ଅଧିକାରୀ ସେମାନଙ୍କୁ ତଡ଼ି ଦେଇଥିଲେ ଏବଂ କୌଣସି ପ୍ରକାର ସହାୟତା କରି ନ ଥିଲେ।

ଗାଡ଼ିରେ ୨ ଜଣ ପୋଲିସ କର୍ମଚାରୀ ଓ ଜଣେ ଡ୍ରାଇଭର ଥିଲେ ଏବଂ ଗାଡ଼ି ବାହାରେ ୩/୪ ଜଣ ରହିଥିଲେ। ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯିବା ପାଇଁ ମହିଳାମାନେ ଡ୍ରାଇଭରଙ୍କୁ ଅନୁରୋଧ କରିଥିଲେ। ତେବେ ଚାବି ନ ଥିବା କହି ପୋଲିସ ସେମାନଙ୍କ ଗୁହାରିକୁ କର୍ଣ୍ଣପାତ କରି ନଥିଲେ। ଏପରିକି ଦଙ୍ଗାକାରୀଙ୍କ ଆକ୍ରମଣର ବାପାଙ୍କୁ ହରାଇଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ସହାୟତା କରି ନଥିଲା। ପରେ ଡ୍ରାଇଭର ଜିପ୍ସି ଗାଡ଼ିକୁ ଦଙ୍ଗାକାରୀମାନଙ୍କ ପାଖକୁ ନେଇଯାଇଥିଲା। ଗାଡ଼ିରେ ୨ ମହିଳାଙ୍କ ସମେତ ଉକ୍ତ ବ୍ୟକ୍ତି ଥିଲେ। ଦଙ୍ଗାକାରୀ ମାଡ଼ି ଆସିବାରୁ ପୋଲିସ ମହିଳା ଓ ଉକ୍ତ ବ୍ୟକ୍ତିଙ୍କୁ ସେଠାରେ ଛାଡ଼ିଦେଇ ପଳାଇଥିଲା। ଦଙ୍ଗାକାରୀ ମହିଳା ୨ ଜଣଙ୍କୁ ଘୋଷାଡ଼ି ନେଇ ଉଲଗ୍ନ ପରେଡ୍‌ କରାଇବା ପରେ ଯୌନ ନିର୍ଯାତନା ଦେଇଥିଲେ ବୋଲି ଅଭିଯୋଗ ପତ୍ରରେ ଦର୍ଶାଯାଇଛି।

ସିବିଆଇ ରିପୋର୍ଟ ଅନୁଯାୟୀ ଏକେ ରାଇଫଲ୍ସ, ଏସ୍‌ଏଲ୍‌ଆର୍‌, ଇନ୍‌ସାସ୍‌ ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ମେଇତି ସମ୍ପ୍ରଦାୟର ୯୦୦ରୁ ୧,୦୦୦ ଲୋକ କଙ୍ଗପୋକ୍‌ସି ଜିଲ୍ଲାର ଏକ ଗାଁରେ ଧସେଇ ପଶିବାରୁ ୨ ମହିଳାଙ୍କ ସମେତ ଅନ୍ୟମାନେ ଜୀବନ ବଞ୍ଚାଇବାକୁ ଜଙ୍ଗଲକୁ ପଳାଇଥିଲେ। ଗତବର୍ଷ ଅକ୍ଟୋବର ୧୬ରେ ଗୁଆହାଟୀର ସ୍ବତନ୍ତ୍ର ସିବିଆଇ ବିଚାରପତିଙ୍କ କୋର୍ଟରେ ତଦନ୍ତକାରୀ ସଂସ୍ଥା ଚାର୍ଜଶିଟ୍‌ ଦାଖଲ କରିଥିଲା, ଯେଉଁଥିରେ ୬ ଜଣଙ୍କୁ ଅଭିଯୁକ୍ତ କରାଯାଇଥିଲା। ଏହା ବ୍ୟତୀତ ଜଣେ ନାବାଳକ ଘଟଣାରେ ସମ୍ପୃକ୍ତ ଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ ଥିଲା।

Leave A Reply

Your email address will not be published.