Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ଶ୍ରୀମନ୍ଦିର ଭିତର ବେଢାରେ ଥିବା ପଞ୍ଚଶକ୍ତି ମନ୍ଦିର ମଧ୍ୟରେ ଉପବେଶନ କରିଥିବା ମା ସାବିତ୍ରୀଙ୍କ ବିଷୟରେ ଆଜି ଆଲୋଚନା କରିବା । ଆମ ସଂସ୍କୃତିରେ ସାବିତ୍ରୀ ଦେବୀଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ଅଛି । କିମ୍ବଦନ୍ତୀ ଅନୁସାରେ ଜନ୍ତୁପତି ଯମରାଜଙ୍କୁ ନିଜ ନିଷ୍ଠା ଓ ବୁଦ୍ଧିମତ୍ତାର ପରିଚୟ ଦେଇ ନିଜ ମୃତ ସ୍ୱାମୀଙ୍କ (ସତ୍ୟବାନ )ପ୍ରାଣ ଫେରାଇ ଆଣିବା ଆଜି ସର୍ବଜନ ବିଦିତ । ସେଥିପାଇଁ ଏକ ସ୍ୱତନ୍ତ୍ର ଦିବସରେ,ଅର୍ଥାତ ସାବିତ୍ରୀ ଅମାବାସ୍ୟା ରେ ସଧବା ସ୍ତ୍ରୀମାନେ ନିଜ ନିଜ ସ୍ୱାମୀଙ୍କ ମଙ୍ଗଳ କାମନା କରି ପାଳନ କରନ୍ତି “ସାବିତ୍ରୀ ବ୍ରତ ” ।

ପଞ୍ଚ ଶକ୍ତି ମନ୍ଦିର ମଧ୍ୟରେ ଥିବା ନାଟ ମଣ୍ଡପର ଦକ୍ଷିଣ ଦିଗ କାନ୍ଥରେ ମା ସାବିତ୍ରୀଙ୍କ ବିଗ୍ରହ ସ୍ଥାପିତ ଓ ପୂଜିତ ହେଉଛନ୍ତି । ଏହି ପ୍ରସ୍ତର ମୂର୍ତ୍ତି ଦୁଇ ଭୁଜା ଅଟନ୍ତି ।ଏହାଙ୍କ ପୂଜା ଦୈନିକ ପାଳିଆ ସେବକମାନେ କରିଥାନ୍ତି । କିନ୍ତୁ ସାବିତ୍ରୀ ଅମାବାସ୍ୟାରେ ପତି ମହାପାତ୍ର ସେବକ ଦ୍ବିପ୍ରହର ପ୍ରଯ୍ୟନ୍ତ ସେବା କରନ୍ତି ଓ ତାପରେ ଉକ୍ତ ପାଳିଆ ସେବକ ପୂଜା କରିଥାନ୍ତି । କାରଣ ଏହି ଦିନ (ସାବିତ୍ରୀ ଅମାବାସ୍ୟା )ସଧବା ସ୍ତ୍ରୀ ମାନଙ୍କ ଭିଡ଼ ଲାଗି ରହେ ପୁରୀ ସହର ତଥା ବାହାରୁ ଆସିଥିବା କିଛି ଶ୍ରଦ୍ଧାଳୁ ମା ସାବିତ୍ରୀଙ୍କ କୃପା ଲାଭ ପାଇଁ ନିଷ୍ଠାର ସହ ଧାଡି ବାନ୍ଧି ନିଜ ନିଜ ସ୍ୱାମୀଙ୍କ ମଙ୍ଗଳ ମନାସି ଅନେକ ପ୍ରକାର ଫଳ, ଗଜାମୁଗ ଇତ୍ୟାଦି ଭୋଗ ଲାଗନ୍ତି. ସମସ୍ତେ ନୂଆ ବସ୍ତ୍ର ପରିଧାନ କରି, ଉପବାସ ରହି ଏହି ପୂଜା କରୁଥିବାରୁ, ଉକ୍ତ ଦିବସରେ ଶ୍ରୀମନ୍ଦିର ପରିବେଶ ହୋଇ ଉଠେ ଉତ୍ସବ ମୁଖର । ଅବଶ୍ୟ ଏହି ଦିନର ବ୍ୟୟ ବହୁଳ ପୂଜା ପଦ୍ଧତି ଦେଖି ଅନେକ ବ୍ୟକ୍ତି ବ୍ୟଙ୍ଗ କରିଥାନ୍ତି ତଥାପି ଭାରତୀୟ ସଂସ୍କୃତିରେ ଏହି ପର୍ବ ଜୀବନ ଦର୍ଶନର ସୁନ୍ଦର ଉପସ୍ଥାପନା ବୋଲି ବିବେଚନା କରାଯାଏ । ଏହି ଦର୍ଶନର ଅତି ସୁନ୍ଦର ଦାର୍ଶନିକ ବ୍ୟାଖ୍ୟା ଯୋଗୀ ଅରବିନ୍ଦ ଙ୍କ “ସାବିତ୍ରୀ ମାହା କାବ୍ୟ “ପ୍ରଦାନ କରିଥାଏ । ତେବେ ଆସନ୍ତୁ ସେହି ମହାନ ଦେବୀ ସାବିତ୍ରୀଙ୍କ ଆରାଧନା କରିବା “ଦ୍ବିଭୁଜାଂ ବ୍ରହ୍ମଣ ଶକ୍ତିଂ ବ୍ରହ୍ମଶକ୍ତି ପ୍ରଦାୟିନାମ୍, ସାବିତ୍ରୀ ମନ୍ତ୍ରରୁପାଂ ଚ ସ୍ମରାମି ତତ ପଦlମ୍ମୁଜମ୍”. ଅର୍ଥାତ ହେ ସାବିତ୍ରୀ !

ତୁମେ ବ୍ରହ୍ମl ଙ୍କର ଶକ୍ତି, ଏବଂ ବ୍ରହ୍ମ ଶକ୍ତି ପ୍ରଦାୟିନୀ, ତୁମେ ଦ୍ବିଭୁଜା ମନ୍ତ୍ରରୁପା, ମୁଁ ତୁମ ପାଦ କମଳକୁ ସ୍ମରଣ କରୁଛି । ଜୟ ମା ସାବିତ୍ରୀ ଦେବୀ

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.