Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବହୁବିଧ ସେବା ଓ ସେବକଙ୍କ ଆଲୋଚନା ଦିନକୁ ଦିନ ରୋଚକ ହେଉଛି। କାରଣ କିଛି ଅଜଣା ବା ଅନାଲୋଚିତ ସେବା ବିଷୟରେ ଆମେ ଜାଣିପାରିଛେ। ଆଜି ସେହିପରି କିଛି ସେବକଙ୍କ ବିଷୟରେ ଆଲୋଚନା କରିବା। ଯେଉଁମାନଙ୍କ ସେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ କିନ୍ତୁ ସାମୟିକ। ଅର୍ଥାତ ବର୍ଷର କିଛି ନିର୍ଦ୍ଧିଷ୍ଟ ପର୍ବ ପର୍ବାଣୀ ବା ଯାନିଯାତ୍ରା ସମୟରେ ଏହି ସେବା ପ୍ରଦାନ କରାଯାଇଥାଏ। ପ୍ରଥମେ ଆଲୋଚନା କରିବା ସ୍ନାନଯାତ୍ରା ପରେ ଅଣସର ଗୃହରେ ମହାପ୍ରଭୁଙ୍କ ଜ୍ୱର ଉପଶମ ପାଇଁ ଦଶମୂଳ ମୋଦକ ପ୍ରସ୍ତୁତ କରୁଥିବା ବୈଦ୍ୟ ସେବକଙ୍କ ବିଷୟରେ। ପରେ ପରେ ଆଲୋଚନା କରିବା ଚନ୍ଦନଯାତ୍ରା ସମୟରେ ମହାପ୍ରଭୁ ଙ୍କ ସେବାରେ ନିୟୋଜିତ ଚାପବେହେରା ଓ ଚାପ ଦଳେଇଙ୍କ ବିଷୟରେ। ଆସନ୍ତୁ ତେବେ ଜାଣିବା ବୈଦ୍ୟ ସେବା :-ଏମାନେ ବ୍ରlହ୍ମଣ ସେବକ। କିନ୍ତୁ ଶାଢ଼ୀ ବନ୍ଧା ନୁହଁନ୍ତି, ସାଧାରଣତଃ କିଛି ବୈଦ୍ୟ ଜ୍ଞାନ ଥିବା ବ୍ରlହ୍ମଣ ଏହି ସେବାକୁ ବଂଶାନୁକ୍ରମିକ ଭାବରେ କରି ଆସୁଛନ୍ତି। ପ୍ରତିବର୍ଷ ଅଣସର ଦଶମୀ ଦିନ ସନ୍ଧ୍ୟାରେ ଶ୍ରୀଜୀଉମାନଙ୍କ ପାଇଁ ଦଶମୂଳ ମୋଦକ (ନିଷ୍ଠାର ସହ ନିଜ ବାସ ଗୃହରେ ପ୍ରସ୍ତୁତ )ଆଣି ଶ୍ରୀମନ୍ଦିର ଗlରଦରେ ପ୍ରଦାନ କରନ୍ତି। ଏହା ଏକାଦଶୀ ଦିନ ଭୋଗ ସହିତ ଶ୍ରୀଜୀଉମାନଙ୍କୁ ଭୋଗ ଲାଗିଥାଏ। କୁହାଯାଏ ଏହା ପରେ ଠାକୁରମାନେ ସୁସ୍ଥ ହୋଇ ନବଯୌବନ ପାପ୍ତ ହୁଅନ୍ତି । ଏବେ ଜାଣିବା ଚାପ ବେହେରା ସେବା ଏମାନେ ବେହେରା ସଂଜ୍ଞା ଧାରୀ ସେବାକ, କିନ୍ତୁ ଶାଢ଼ୀ ବନ୍ଧା ନୁହଁନ୍ତି, ଏହି ସେଵା ବଂଶାନୁକ୍ରମିକ ଭାବରେ ଚାଲି ଆସିଛି.ଚନ୍ଦନଯାତ୍ରା ର ବାହାର ଚନ୍ଦନ ୨୧ ଦିନ ଯାକ ଏହି ସେବକ ବଜନ୍ତି ଡ଼ଙ୍ଗା ବାହିଥାନ୍ତି. ଶ୍ରୀଜୀଉମାନେ ବିଜେ କରୁଥିବା ଦୁଇଟି ଚାପର ଚାରି ଗୋଟି ନାହା (ଡ଼ଙ୍ଗା ) ଓ ବଜନ୍ତି ଡ଼ଙ୍ଗାକୁ ପାଣି ରୁ ବାହାର କରି ଆବଶ୍ୟକ ମରାମତି କରିଥାନ୍ତି। ଏହା ନରେନ୍ଦ୍ର ପୁଷ୍କରଣୀରେ ହୋଇଥାଏ। ସେହିପରି ମାର୍କଣ୍ଡେୟ ପୁଷ୍କରିଣୀରେ ଅନୁଷ୍ଠିତ ହେଉଥିବା କାଳୀୟ ଦଳନ ଯାତ୍ରା ସକାଶେ ଡ଼ଙ୍ଗା ମରାମତି ସହ ବାହିଥାନ୍ତି। ଏହି ସେବାର ଅନ୍ୟ ରୂପ ଚାପ ଦଳାଇ, ଏମାନେ ଜାଗିରି ଭୋଗୀ ପ୍ରଧାନ ସେବକ କିନ୍ତୁ ସଂଜ୍ଞା ଦଳାଇ ଅଟେ। ସେବା ବଂଶାନୁକ୍ରମିକ କିନ୍ତୁ ଶାଢ଼ୀ ବନ୍ଧା ନୁହଁନ୍ତି। ଚାପ ବେହେରାଙ୍କ ପରି ଏମାନେ ଚାପ ଡ଼ଙ୍ଗା ବାହିଥାନ୍ତି। ସେହି ବାହାର ଚାପ ୨୧ ଦିନ ଶ୍ରୀଜୀଉମାନଙ୍କ ଚଳନ୍ତି ପ୍ରତିମା ମଦନମୋହନ ଓ ରାମକୃଷ୍ଣ ଅଲଗା ଅଲଗା ଦୁଇଟି ଚାପରେ ବିଜେ କରନ୍ତି ଓ ଏହି ଦୁଇ ଚାପକୁ ଚାପ ଦଳାଇମାନେ ବାହିଥାନ୍ତି। କାର୍ଯ୍ୟ ଏକା ପ୍ରକାର ହୋଇ ଥିଲେ ମଧ୍ଯ ଚାପ ବେହେରାମାନେ ବିଜେ ପ୍ରତିମାଙ୍କ ଚାପ ବାହିବାର ଅଧିକାରୀ ନୁହଁନ୍ତି। ଆଗାମୀ ଅଧ୍ୟାୟରେ ଜାଣିବା ଏକ ବିଶେଷ ସେବା ବିଷୟରେ ଆଜି କିନ୍ତୁ କରିବା ଆରାଧନା ଓ ଭାଗବତ ପଠନ ।

କେବଳ ଦେହ ମାତ୍ର ଧରି
ଇନ୍ଦ୍ରିୟ ତର୍ପଣ ନକରି ।
ରକ୍ଷା ନକଲେ ନିଜ ପ୍ରାଣ
ବିକଳ ଭାବ ଲଭେ ମନ ।
ମନ ବିକଳେ ପ୍ରାଣ ନାଶ
ସୁବୁଦ୍ଧି ନୁହଁଇ ପ୍ରକାଶ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.