Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଶ୍ରୀଜଗନ୍ନାଥଙ୍କ ପୂଜା ବିଧି ( ୨ )

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ‘ଅବକାଶ ନୀତି’ ଆଲୋଚନା ପୂର୍ବରୁ ଆମେ ଏଥିପାଇଁ ଦରକାରୀ ପଦାର୍ଥ ଓ ତାର ରଖିବା ବିଧି ସହ ପୂଜକଙ୍କ ବସିବା ବିଧି ପ୍ରଭୃତି ଟିକିନିକି ଭାବରେ ଆଲୋଚନା କରିଛେ। ବର୍ତ୍ତମାନ ଜାଣିବା ସମ୍ପୂର୍ଣ ପୂଜା ବିଧି। ଏଠାରେ ଗୋଟିଏ କଥା କହିରଖେ ଶ୍ରୀମନ୍ଦିରରେ ତିନିଜଣ ପୂଜକ ଏକ ସଙ୍ଗେ ବସି ପୂଜା କରିଥାନ୍ତି। କିନ୍ତୁ ଯେଉଁ ମନ୍ଦିରରେ ଜଣେ ପୂଜକ ଥିବେ ସେଠାରେ ପ୍ରଥମେ ବଡ଼ବାଡ଼ ଠାକୁର ବଲଭଦ୍ରଙ୍କ ପୂଜା ହେବ ତତ୍ପରେ ଶ୍ରୀଜଗନ୍ନାଥଙ୍କ ପୂଜା ବିଧି ନିର୍ବାହ କରାଯିବ ଓ ଶେଷରେ ମା’ ସୁଭଦ୍ରାଙ୍କ ପୂଜା ହେବ। ଏଠାରେ ସ୍ନାନ ପାଇଁ ଗୋଟିଏ ଧାତୁ ନିର୍ମିତ୍ତ ଦର୍ପଣ ଓ ଗୋଟିଏ ଜଳପାତ୍ର ମଧ୍ୟ ବ୍ୟବହାର କାରାଯାଏ। ଅବକାଶ ନୀତିର ପ୍ରଥମ ପର୍ଯାୟ ହେଲା ଶ୍ରୀଜୀଉମାନଙ୍କ ମୁଖଧୌତ। ତେଣୁ କର୍ପୁର, ସୁବାସିତ ପୁଷ୍ପ ମିଶ୍ରିତ ଜଳକୁ ବୀକ୍ଷଣlଦି ଦ୍ୱାରା ସଂସ୍କାର କରି ନିମ୍ନ ମନ୍ତ୍ର ଉଚ୍ଚାରଣ ସହ ମୁଖଧୌତ କରିବେ।

“ଗଙ୍ଗାତୋୟସମାଯୁକ୍ତଂ ସୁବର୍ଣ୍ଣକଳଶୋଦ୍ଧୃତମ୍ , ସଲିଳଂ ତେ ପ୍ରୟଛାମି ମୁଖପ୍ରକ୍ଷାଳନଂ କୁରୁ ।”

ଏହା ପରେ ଶ୍ରୀଜୀଉମାନଙ୍କର ମୁଖ୍ୟତଃ ମୁତୁରି କିମ୍ବା ଅଭାବରେ ଅନ୍ୟ ବର୍ଣ୍ଣିତ ଦାନ୍ତ କାଠିକୁ ଛେଚି ତାର ଅଗ୍ର ଭାଗରେ ଗୁଣ୍ଡ ଗୁଆ ଓ ଗୁଣ୍ଡ କର୍ପୁରର ପ୍ରଲେପ ଦେଇ ଶ୍ରୀଜୀଉମାନଙ୍କ ଦନ୍ତମାର୍ଜନ କ୍ରିୟା ସମ୍ପର୍ଣ୍ଣ କରିବେ। ଏହି କ୍ରିୟାଟି ସମ୍ପାଦନ ହେବା ପରେ ସୁନା କିମ୍ବା ରୁପା ଜିଭ ଛେଲାରେ ଶ୍ରୀଜୀଉମାନଙ୍କ ଜିଭ ଛେଲିବାର ପ୍ରକ୍ରିୟା ଶେଷ କରିବେ। ଯେଉଁଠାରେ ଉପରୋକ୍ତ ପଦାର୍ଥର ଅଭାବ ଥାଏ, ସେଠାରେ କେବଳ ଫୁଲ ଓ ତୁଳସୀ ସାହାଯ୍ୟରେ ଦନ୍ତମାର୍ଜନ ଓ ଜିଭ ଛେଲିବା କାର୍ଯ୍ୟ ସମ୍ପାଦନ କରିବେ। ଶେଷରେ ସ୍ନାନ ମନ୍ତ୍ର ଉଚ୍ଚାରଣ କରି ସ୍ନାନ ବିଧି ପାଇଁ ଆୟୋଜନ କରିବେ। ଆଗାମୀ ଅଧ୍ୟାୟରେ ସେ ବିଷୟ ଆଲୋଚନା କରିବା। ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ।

କାମୀ ପୁରୁଷଙ୍କର ମନ
କେବେହେଁ ନୋହେ ସଂଯମନା
ନିତ୍ୟେ ରମନ୍ତି କାମ ଭୋଗେ
ଅଗ୍ନି ଯେସନେ ଘୃତ ଯୋଗେ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.